ଜମ୍ମୁ,: ସକାଳେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲାର ଘଗୱାଲ ସେକ୍ଟରରେ ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଏକ ସନ୍ଦିଗ୍ଧ ବେଲୁନ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅଧିକାରୀଙ୍କ ଅନୁଯାୟୀ, ଏହି ବେଲୁନଟି ପାଲୌନା ଗାଁର କ୍ଷେତରେ ପଡ଼ିଥିବା ଦେଖିବାକୁ ମିଳିଥିଲା ଯାହା ଉପରେ ପାକିସ୍ତାନର ନାମ ଏବଂ ପତାକା ଲେଖାଯାଇଥିଲା । କ୍ଷେତରେ କାମ କରୁଥିବା ଜଣେ ମହିଳା ଏହା ଦେଖି ତୁରନ୍ତ ସ୍ଥାନୀୟ ଲୋକ ଏବଂ ଘଗୱାଲ ପୋଲିସ ପୋଷ୍ଟକୁ ଜଣାଇଥିଲେ । ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ବେଲୁନଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଏପରି ବେଲୁନ ମିଳିଥିବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏପରି ଘଟଣାକୁ ଗମ୍ଭୀରତାର ସହ ନେଉଛନ୍ତି । ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ତଦନ୍ତ କରୁଛନ୍ତି ଯେ ଏହି ବେଲୁନ କେଉଁଠାରୁ ଆସିଲା ଏବଂ ଏହା ପଛରେ କୌଣସି ଷଡ଼ଯନ୍ତ୍ର ଅଛି କି ନାହିଁ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଓଝଓ ସହାୟତାରେ ଆତଙ୍କବାଦୀ ସଂଗଠନଗୁଡ଼ିକ ଜମ୍ମୁକାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅନେକ ଉପାୟ ବ୍ୟବହାର କରୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ, ଦେଖାଯାଇଛି ଯେ ଆତଙ୍କବାଦୀ ସଂଗଠନଗୁଡ଼ିକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଡ୍ରଗ୍ସ ଏବଂ ନଗଦ ଚୋରା ଚାଲାଣ ପାଇଁ ଡ୍ରୋନ ବ୍ୟବହାର କରୁଛନ୍ତି ।