ନୂଆଦିଲ୍ଲୀ, : ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ବିଶ୍ୱର ବିଭିନ୍ନ ଦେଶ ଏହି ଦୁଃଖର ମୁହୂର୍ତ୍ତରେ ଭାରତ ସହିତ ଠିଆ ହୋଇଛନ୍ତି । ଗୁରୁବାର ଦିନ ଇଜିପ୍ଟ, ଇଟାଲୀ ଏବଂ ଫ୍ରାନ୍ସର ରାଷ୍ଟ୍ରମୁଖ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଆମେ ଆତଙ୍କବାଦ ବିରୋଧରେ ଭାରତ ସହିତ କାନ୍ଧକୁ କାନ୍ଧ ମିଶାଇ ଛିଡ଼ା ହୋଇଛୁ । ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ସେ ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣରେ ନିର୍ଦ୍ଦୋଷ ଲୋକଙ୍କ ନିର୍ମମ ହତ୍ୟା ପାଇଁ ନିଜର ବ୍ୟକ୍ତିଗତ ସମବେଦନା ପ୍ରକାଶ କରିଥିଲେ । ସେ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଭାରତର ଜନସାଧାରଣଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ଏବଂ ଏକତା ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ବର୍ବରତା ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସମର୍ଥନ ବାର୍ତ୍ତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଅପରାଧୀମାନଙ୍କୁ ନ୍ୟାୟ ଦେବା ପାଇଁ ଭାରତର ଦୃଢ଼ ସଂକଳ୍ପ ଜଣାଇଥିଲେ । ସେହିପରି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଭାରତ ମାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ନିନ୍ଦା କରିଛନ୍ତି । ସେ ପୀଡିତମାନଙ୍କ ପାଇଁ ତାଙ୍କର ସମବେଦନା ଏବଂ ପ୍ରାର୍ଥନା ପ୍ରକାଶ କରିଛନ୍ତି । ସେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା ମଧ୍ୟ କରିଛନ୍ତି । ଆତଙ୍କବାଦ ବିରୋଧରେ ଲଢ଼େଇରେ ଇଟାଲୀର ପୂର୍ଣ୍ଣ ସମର୍ଥନ ପ୍ରକାଶ କରିଛନ୍ତି । ଭାରତ ଏବଂ ଇଟାଲୀ ଆତଙ୍କବାଦ ବିରୋଧୀ ପ୍ରୟାସକୁ ମଜବୁତ କରିବା ପାଇଁ ଅନ୍ତର୍ଜାତୀୟ ମଞ୍ଚ ସମେତ ମିଳିତ ଭାବରେ କାମ କରିବା ଜାରି ରଖିବେ । ଏହା ବ୍ୟତୀତ ଇଜିପ୍ଟର ରାଷ୍ଟ୍ରପତି ଅବଦୁଲ ଫତାହ ଅଲ-ସିସି ମଧ୍ୟ ପହଲଗାମ ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲେ । ରଣଧୀର ଜୟସୱାଲ ସୋସିଆଲ ମିଡ଼ିଆରେ ଏକ୍ସରେ ସୂଚନା ଦେଇଛନ୍ତି, ମିଶର ରାଷ୍ଟ୍ରପତି ଅଲ-ସିସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି ଭାରତ ମାଟିରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ । ସେ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିଲେ । ତେବେ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରିଥିଲେ ।