ନୂଆଦିଲ୍ଲୀ ୧/୩/୨୦୨୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିଲ୍ଲୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦି ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ୨୦୨୫ ଭାରତର ବିକାଶ ପାଇଁ ଏକ ବିପୁଳ ସୁଯୋଗର ବର୍ଷ ହେବ, ଯାହା ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ଆଡକୁ ଆଗେଇ ନେବ । ଆଜି ଭାରତ ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାର ଏକ ବିଶ୍ୱ ପ୍ରତୀକ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଗାମୀ ବର୍ଷରେ ଦେଶର ଭାବମୂର୍ତ୍ତି ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି । ଶ୍ରୀ ମୋଦି ୨୦୨୫ ପାଇଁ ଭିଜନ୍ ବିଷୟରେ ଆଲୋକପାତ କରିଥିଲେ, ଏହାକୁ ବିଶ୍ୱର ସର୍ବବୃହତ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା, ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗପାଇଁ ଯୁବକମାନଙ୍କୁ ସଶକ୍ତ କରିବା, ନୂତନ କୃଷି ରେକର୍ଡ ସ୍ଥାପନ କରିବା, ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା
ଏବଂ ସହଜ ଜୀବନଧାରଣ ଉପରେ ଧ୍ୟାନ ଦେଇ ପ୍ରତ୍ୟେକ ନାଗରିକଙ୍କ ଜୀବନର ଗୁଣବତ୍ତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଗରିବଙ୍କ ପାଇଁ ଘର ଏବଂ ସ୍କୁଲ ଓ କଲେଜ ସହ ଜଡ଼ିତ ପ୍ରକଳ୍ପ ରହିଛି । ବିଶେଷ କରି ଯେଉଁମାନେ ଏକ ନୂଆ ଇନିଂସ ଆରମ୍ଭ କରୁଛନ୍ତି,
ସେମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବସ୍ତି ସ୍ଥାନରେ ପକ୍କା ଘର ଏବଂ ଭଡ଼ା ଘର ବଦଳରେ ନିଜ ଘର ରହିଛି, ବାସ୍ତବରେ ଏହା ଏକ ନୂତନ ଆରମ୍ଭ । ଲୋକଙ୍କୁ ଦିଆଯାଇଥିବା ଘରଗୁଡ଼ିକ ଆତ୍ମସମ୍ମାନ, ସ୍ୱାଭିମାନ ଏବଂ ନୂତନ ଆକାଂକ୍ଷା ଓ ସ୍ୱପ୍ନର ପ୍ରତୀକ ବୋଲି ଶ୍ରୀ ମୋଦି କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସେମାନଙ୍କ ଉତ୍ସବ ଏବଂ ପର୍ବର ଏକ ଅଂଶ ହେବା ପାଇଁ ଉପସ୍ଥିତ ଥିଲେ । ଅତୀତରେ ଜରୁରୀକାଳୀନ ପରିସ୍ଥିତିର କଳା ଦିନକୁ ମନେ ପକାଇ ଶ୍ରୀ ମୋଦି କହିଥିଲେ ଯେ ସେ ଏବଂ ତାଙ୍କ ଭଳି ଅନ୍ୟ ଅନେକ ଦଳୀୟ କର୍ମୀ ଯେଉଁମାନେ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ନିରବ ଆନ୍ଦୋଳନରେ ସାମିଲ ଥିଲେ, ସେମାନେ ଅଶୋକ ବିହାରରେ ରହିଥିଲେ । ସମଗ୍ର ଦେଶ ଆଜି ବିକଶିତ ଭାରତ ନିର୍ମାଣରେ ନିୟୋଜିତ ଅଛି, ଶ୍ରୀ ମୋଦି କହିଥିଲେ । ଭାରତର ପ୍ରତ୍ୟେକ ନାଗରିକଙ୍କୁ ବିକଶିତ ଭାରତରେ ପକ୍କା ଘର ଦେବା ପାଇଁ ଆମେ ଏକ ସଂକଳ୍ପ ନେଇ କାମ କରୁଛୁ ବୋଲି ସେ କହିଛନ୍ତି । ଏହି ସଂକଳ୍ପକୁ ସାକାର କରିବାରେ ଦିଲ୍ଲୀର ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଛନ୍ତି । ତେଣୁ କେନ୍ଦ୍ର ସରକାର ବସ୍ତିଗୁଡିକ ସ୍ଥାନରେ ପକ୍କା ଘର କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି । ଦୁଇ ବର୍ଷ ତଳେ ସେ ବସ୍ତି ବାସିନ୍ଦାଙ୍କ ପାଇଁ କାଲକାଜୀ ଏକ୍ସଟେନ୍ସନରେ ୩୦୦୦ରୁ ଅଧିକ ଘର ଉଦଘାଟନ କରିବାର ସୁଯୋଗ ପାଇଥିଲେ ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ପରିବାରରେ ଅନେକ ପିଢ଼ି ବିନା କୌଣସି ଆଶାରେ ବସ୍ତିରେ ରହୁଥିଲେ ସେମାନେ ପ୍ରଥମ ଥର ପାଇଁ ପକ୍କା ଘରକୁ ଚାଲିଆସିଛନ୍ତି । ସେ ଆହୁରି ମଧ୍ୟ ମନେ ପକାଇଲେ ଯେ ସେ କହିଥିଲେ ଯେ ଏହା କେବଳ ଆରମ୍ଭ ଥିଲା । ଆଜି ପ୍ରାୟ ୧୫୦୦ ଘରର ଚାବି ଲୋକଙ୍କୁ ଦିଆଯାଇଥିବା ଶ୍ରୀ ମୋଦି ଆଲୋକପାତ କରିଥିଲେ । ସ୍ୱାଭିମାନ ଆପାର୍ଟମେଣ୍ଟ ଲୋକଙ୍କ ସ୍ୱାଭିମାନକୁ ଆହୁରି ବଢ଼ାଇବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଅନୁଭବ କରିଛନ୍ତି ଯେ ହିତାଧିକାରୀମାନଙ୍କ ସହିତ ଆଲୋଚନା ସମୟରେ ସେମାନଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଏବଂ ଶକ୍ତି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଘରର ମାଲିକ ଯିଏ ବି ହୁଅନ୍ତୁ ନା କାହିଁକି, ସେମାନେ ସମସ୍ତେ ତାଙ୍କ ପରିବାରର ଅଂଶ ଥିଲେ । ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସରକାର ୪ କୋଟିରୁ ଅଧିକ ଲୋକଙ୍କ ପକ୍କା ଘରର ସ୍ୱପ୍ନ ପୂରଣ କରିଛନ୍ତି । ବର୍ତ୍ତମାନ ଖୋଲା ଅ।।କାଶ ତଳେ ରହୁଥିବା ସମସ୍ତଙ୍କୁ ନିଶ୍ଚିତ ଭାବେ ସମସ୍ତ ମୌଳିକ ସୁବିଧା ସହ ଘର ମିଳିବ ବୋଲି ପ୍ରଚାର କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଶ୍ରୀ ମୋଦି କହିଛନ୍ତି
ଯେ ଏଭଳି ପଦକ୍ଷେପ ଜଣେ ଗରିବ ବ୍ୟକ୍ତିଙ୍କ ଆତ୍ମସମ୍ମାନକୁ ବଢ଼ାଇବ ଏବଂ ସେମାନଙ୍କୁ ଆତ୍ମବିଶ୍ୱାସ ସୃଷ୍ଟି କରିବ ଯାହା କି ବିକ୍ଷିତ ଭାରତର ପ୍ରକୃତ ଶକ୍ତି । ଦିଲ୍ଲୀରେ ପାଖାପାଖି ୩୦୦୦ ନୂଆ ଘର ନିର୍ମାଣ ପାଇଁ ଘୋଷଣା କରିବା ସହ ଆଗାମୀ ବର୍ଷରେ ସହରବାସୀଙ୍କ ପାଇଁ ହଜାର ହଜାର ନୂଆ ଘର ଉପଲବ୍ଧ ହେବ ବୋଲି ସେ ଘୋଷଣା କରିଛନ୍ତି