ଭୁବନେଶ୍ୱର,: କୁନି କୁନି ପିଲାଙ୍କ ଆଖିରେ ଭରି ରହିଥିଲା ଅନେକ ସ୍ୱପ୍ନ । ସିଲଟ୍ ଓ ଖଡି ଧରି ସେମାନେ ବସିଥିଲେ ବଡଗଡ ଗାଁ ସ୍କୁଲର ପ୍ରାଙ୍ଗଣରେ । ସେମାନଙ୍କ ପାଖରେ ଯାଇ ହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପିଲାମାନଙ୍କୁ ଦେଖି ତାଙ୍କ ଭିତରେ ଲୁଚି ରହିଥିବା ଶିକ୍ଷକର ସ୍ୱରୂପ ପୁଣି ଥରେ ଫୁଟିଉଠିଥିଲା । ସେ ପିଲାମାନଙ୍କ ହାତ ଧରି ଚକ୍ ଖଡିରେ ବୃତ୍ତ କାଟି ପିଲାଙ୍କ ଖଡି ଛୁଆଁ ଆରମ୍ଭ କରିଥିଲେ । ତା ପରେ ପ୍ରଥମ ଅକ୍ଷର ଭାବେ \”ମା\’ ଲେଖାଇ ଅକ୍ଷର ଶିକ୍ଷା ଆରମ୍ଭ କରିଥିଲେ । ଏହା ସହିତ ଆରମ୍ଭ ହୋଇଥିଲା ଶିଶୁ ବାଟିକା ଓ ପିଲାଙ୍କ ପ୍ରବେଶ ଉତ୍ସବ । ଶିକ୍ଷକତାରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ଶିକ୍ଷକତାର ଅଭିଜ୍ଞତାରୁ ପିଲାଙ୍କ ସହିତ ବାର୍ତ୍ତାଳପ ଆରମ୍ଭ କରିଥିଲେ । ଖୁବ୍ ସହଜ ଭାବରେ ପିଲାଙ୍କ ମା\’ଙ୍କ ନାଁ, ବାପାଙ୍କ ନାଁ, କ’ଣ ଖାଇଚ । ଏମିତି ଅନେକ ପ୍ରଶ୍ନ ପଚାରି ପିଲାଙ୍କ ସହିତ ଭାବଗତ ସମ୍ପର୍କ ଯୋଡିଥିଲେ । ପିଲାମାନେ ମଧ୍ୟ ଖୁବ୍ ଉତ୍ସାହର ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେଉଥିଲେ । ଏହା ମଧ୍ୟ ଥିଲା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ପାଇଁ ଏକ ବାର୍ତ୍ତା । ଛୋଟ ଛୋଟ ପିଲାଙ୍କ ମନୋଭାବକୁ ଠିକ୍ ଭାବେ ବୁଝି ସେମାନଙ୍କ ସହିତ ସହଜ ହୋଇ ଶିକ୍ଷା ପ୍ରଦାନ କଲେ ପିଲାମାନେ ଆଗ୍ରହରେ ଶିକ୍ଷାଲାଭ କରିଥାନ୍ତି । ଏହା ଅଧିକ ପ୍ରଭାବଶାଳୀ ହୁଏ । ଏହା ପରେ ମୁଖ୍ୟମନ୍ତ୍ରୀ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିଥିଲେ ଏବଂ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ-୨୦୨୫ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଶିକ୍ଷଣ ସାମଗ୍ରୀ କିଟ୍ ପ୍ରଦାନ କରିଥିଲେ ଏବଂ ସ୍କୁଲ ପରିସରରେ ଆୟୋଜିତ ସାକ୍ଷରତା ଶିକ୍ଷଣ ସାମଗ୍ରୀ ଷ୍ଟଲ, ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ଷ୍ଟଲ, ସୃଜନାତ୍ମକ ଶିକ୍ଷଣ ସାମଗ୍ରୀ ଷ୍ଟଲ ବୁଲି ଦେଖିବା ସହିତ ଶିଶୁ ବାଟିକା ପିଲାଙ୍କ ପଠନ ପ୍ରଣାଳୀ ଅନୁଧ୍ୟାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଛୋଟ ପିଲାଙ୍କ ମାନସିକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଛି । ଆଜି ପାଠ ପଢା ଆରମ୍ଭ ଦିନରେ ପିଲାମାନେ ବହୁତ ଖୁସି ଅଛନ୍ତି । ଏହି ଶିଶୁ ବାଟିକା ରାଜ୍ୟରେ ପ୍ରାଥମିକ ଶିକ୍ଷାଦାନ କ୍ଷେତ୍ରକୁ ସୁଦୃଢ କରିବ ଏବଂ ଏହି କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଫଳପ୍ରଦ ହେବ । ଆଗାମୀ ଦିନରେ ପିଲାମାନେ ଏକ ସୁନ୍ଦର ଓ ମନୋଜ୍ଞ ପରିବେଶରେ ପାଠ ପଢିବେ । ସୂଚନା ଯୋଗ୍ୟ ଯେ ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ଆଜିଠାରୁ ଶିଶୁ ବାଟିକା ବା ପ୍ରାକ୍ ପ୍ରାଥମିକ ଶ୍ରେଣୀ ଶିକ୍ଷା ଆରମ୍ଭ କରାଯାଇଛି । ୨୦୨୫-୨୬ ଶିକ୍ଷା ବର୍ଷରୁ ସବୁ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏ ଶିଶୁ ବାଟିକା ଖୋଲାଯିବ । ଏହି ସବୁ ଶିଶୁ ବାଟିକାରେ ୫ରୁ ୬ ବର୍ଷ ବୟସର ପିଲାମାନେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିବେ । ଶିଶୁ ବାଟିକାର ପିଲାମାନଙ୍କୁ ଶିକ୍ଷଣୀୟ ସାମଗ୍ରୀ କିଟ୍ ଯୋଗାଇ ଦିଆଯାଇ ମନୋରଞ୍ଜନ ଧର୍ମୀ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା ପ୍ରତି ଆକୃଷ୍ଟ କରାଯିବ । ପ୍ରାଥମିକ ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଏକାମ୍ର ଭୁବନେଶ୍ୱର ବାବୁ ସିଂହ, ବିଧାୟକ ଖୋର୍ଦ୍ଧା ପ୍ରଶାନ୍ତ ଜଗଦ୍ଦେବ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସମାଜସେବୀ ଜଗନ୍ନାଥ ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଲିନ ପଣ୍ଡିତ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।