ପୁରୀ,: ଆଗାମୀ ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ବ୍ୟବସ୍ଥା କରୁଛି ପ୍ରଶାସନ । ମଙ୍ଗଳବାର ଅପରାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସିଦ୍ଧାର୍ଥ
ଶଙ୍କର ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରି ଶ୍ରଦ୍ଧାଳୁମାନେ ଯେପରି ଖରାରେ ହଇରାଣ ନ ହୋଇ ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସମସ୍ତ ବିଭାଗ ଅତ୍ୟନ୍ତ ନିଷ୍ଠାର ସହ ସେମାନଙ୍କ ବିଭାଗର ଦାୟିତ୍ୱକୁ ନିର୍ବାହ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଗ୍ରୀଷ୍ମ ପ୍ରବାହ ସମୟରୁ ବର୍ଷା ଋତୁ ପର୍ଯ୍ୟନ୍ତ ପାନୀୟ ଜଳର ବ୍ୟବସ୍ଥା ଓ ଜଳ ସିଞ୍ଚନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଛାଇ, ପାନୀୟ ଜଳ, ତଳେ ମ୍ୟାଟ୍, ଚିକିତ୍ସା ବ୍ୟବସ୍ଥା ସାଙ୍ଗକୁ ପରିଷ୍କାର ପରିଛନ୍ନତା, ଶୌ·ଳୟ,
ଆଇନ ଶୃଙ୍ଖଳା ବ୍ୟବସ୍ଥା, ସ୍ୱେଚ୍ଛାସେବୀ ବ୍ୟବସ୍ଥା ଆଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା । ସେହିପରି ମନ୍ଦିର ପ୍ରଶାସନ ପକ୍ଷରୁ ଡାକବାଜି ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ପରିବ୍ୟାପ୍ତ କରାଯିବାକୁ ପରାମର୍ଶ ଦିଆଯାଇଥିଲା । ଡାକବାଜି ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଗଲେ ହଜୁଥିବା ଓ ତାଙ୍କୁ ଖୋଜୁଥିବା ଶ୍ରଦ୍ଧାଳୁମାନେ ଶୀଘ୍ର ମିଳିବା ସମ୍ଭବ ହେବ ବୋଲି ଜିଲ୍ଲାପାଳ କହିଥିଲେ । ଏସପି ବିନୀତ ଅଗ୍ରୱାଲ
ଶୃଙ୍ଖଳା ରକ୍ଷା ସହ ଶ୍ରଦ୍ଧାଳୁମାନଙ୍କ ସୁବିଧା ପ୍ରତି ସମ୍ମିଳିତ ଭାବେ ଉଦ୍ୟମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବେନ୍ଦ୍ର ସାହୁ, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଉପ
ଜିଲ୍ଲାପାଳ ନୀଳମାଧବ ମାଝୀ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା, ମନୀଷା ଷଡ଼ଙ୍ଗୀ, ମୁନିସିପାଲଟି ଏନଫୋର୍ସମେଣ୍ଟ ଅଫିସର ଦେବାଶିଷ ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଦର୍ଶନାର୍ଥିଙ୍କ ଲାଗି ଗ୍ରୀଷ୍ମ ପ୍ରବାହ ପ୍ରତିକାର ବ୍ୟବସ୍ଥାର ସମୀକ୍ଷା
Next Post