ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ଖଜୁରୀପଦା ଠାରେ ରହିଥିବା ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ଏବେ ଭୂତକୋଠି ପାଲଟିଛି । ବିଭାଗୀୟ ଅଧିକାରୀଙ୍କ ସୁରକ୍ଷା ପ୍ରତି ଦାୟିତ୍ୱହୀନତା ସହ ରକ୍ଷଣବେକ୍ଷଣର ଅଭାବ ଏବଂ ଖାମଖିଆଲି ନୀତି ଯୋଗୁ ଏଭଳି ପଡ଼ି ରହିଥିବା ଅଭିଯୋଗ ହେଉଛି । ବିଭାଗୀୟ ସହକାରୀ ଯନ୍ତ୍ରୀ, କର୍ମଚାରୀମାନଙ୍କ ବାସ ଗୃହ ଏବଂ ଡାକ ବଙ୍ଗଳା କୋଠା ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଭାଙ୍ଗି ଚୁରୁମାର ହୋଇରହିଛି । କେଉଁଠି ଟିଣ କଣା ହୋଇ ପାଣି ଗଳିବା ସହ ସୂର୍ଯ୍ୟ ଚନ୍ଦ୍ର ଦେଖା ଯାଉଛି କିଛି କିଛି ସ୍ଥାନର କାନ୍ଥ ଫାଟି ଆଁ କଲାଣି ତ କେଉଁଠି କାନ୍ଥ ଭୁଶୁଡ଼ି ପଡ଼ିବାରେ ଲାଗିଛି । ବଙ୍ଗଳାର ପରିସର ଗଛ ଉଠି ଲଟା ବୁଦା ହୋଇ ଜଙ୍ଗଲ ପାଲଟିଛି । ସହକାରୀ ଯନ୍ତ୍ରୀଙ୍କ ବାସଗୃହ ଏବଂ ବଙ୍ଗଳା ପରିସର ଏବେ ଅପରିଷ୍କାର ଭାବେ ପଡ଼ି ରହୁଛି । ବର୍ଷ ତମାମ ସମ୍ମୁଖ ଫାଟକ ଏବଂ କବାଟରେ ତାଲା ଝୁଲି ରହୁ ଥିବା ସ୍ଥାନୀୟ ଲୋକେ କହିଛନ୍ତି । ବଙ୍ଗଳା ପରିସରରେ ରାସ୍ତା ଓ ଗୃହ ର୍ନିମାଣ ବିଭାଗର ସହକାରୀ ଯନ୍ତ୍ରୀ ଓ କୌଣସି କର୍ମଚାରୀ କିମ୍ବା ଗୋଟିଏ ବି ଜଗୁଆଳି ରହୁ ନାହାନ୍ତି । ତେଣୁ ଏବେ ଅସାମାଜିକ ବ୍ୟକ୍ତି ମଦୁଆ, ଯୁଆଡିଆମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବଙ୍ଗଳାର ସୁରକ୍ଷା ଦାୟିତ୍ୱ ନିମନ୍ତେ ବାରମ୍ବାର ଅଭିଯୋଗ କଲେ । ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ ହେଉଛି । ଏହି ବଙ୍ଗଳା ୩୨୬(ଏ) ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ । ଡାକ ବଙ୍ଗଳାରେ ପୂର୍ବରୁ ବିଭିନ୍ନ ସମୟରେ ବଡ଼ବଡ଼ିଆ ମାନେ ଏଠାରେ ବିଶ୍ରାମ ନେବା ସହ କିଛି କାର୍ଯ୍ୟକ୍ରମରେ ବଙ୍ଗଳା ବ୍ୟବହାର ହେଉଥିଲା । ପୂର୍ତ୍ତ ବିଭାଗର ପରିଦର୍ଶନ ଡାକ ବଙ୍ଗଳା ଅଛି ହେଲେ କାମରେ ଲାଗୁନ ଥିବା ଚର୍ଚ୍ଚା ହେଉଛି । ସୂଚନାଅନୁସାରେ ପୁର୍ବରୁ ଡାକ ବଙ୍ଗଳାରେ ଗୋଟିଏ ସହକାରୀ ଯନ୍ତ୍ରୀ, ପିଅନ ଓ ରାତି ଜଗୁଆଳି ରହୁଥିଲେ । ବଙ୍ଗଳାର ପରିବେଶ ବି ସଫାସୁତୁରା ରହୁଥିଲା । ବର୍ତମାନ ସେଠାରେ କେହି କର୍ମଚାରୀ ନଥିବାରୁ ସବୁବେଳେ ତାଲା ଝୁଲି ରହୁଛି । ତେଣୁ ବଙ୍ଗଳା ଭୂତ କୋଠୀ ପାଲଟି ପରିସର ଅପରିଷ୍କାର, ଅସାମାଜିକଙ୍କ ଆଡ୍ଡାସ୍ଥଳୀ ହୋଇଥିବା ଅଭିଯୋଗ ହେଉଛି ।