ବ୍ରହ୍ମପୁର,: କ୍ଷଣିକ ମଧ୍ୟରେ ଝାମ୍ପି ନେଉଥିଲେ ସୁନା ଚେନ୍ । ଭିଡ଼ର ଫାଇଦା ଉଠାଇ ମହିଳାମାନେ ଜିଲ୍ଲାରୁ ଜିଲ୍ଲା ବୁଲି ସୁନା ଚେନ ଲୁଟୁଥିଲେ । ଆଉ ଏହି ମହିଳା ସୁନା ଚେନ ଲୁଟେରାଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗତ ଫେବୃୟାରୀ ମାସ ୮ ତାରିଖରେ ବୈଦ୍ୟନାଥପୁର ଥାନା କୋର୍ଟପେଟା ଜଗନ୍ନାଥ ମନ୍ଦିରରେ ବଂଶିଧର ବକ୍ସି ନାମକ ଜଣେ ଯୁବକଙ୍କ ମା\’ର ସୁନା ଚେନ କେହି ଦୁବୃର୍ତ୍ତ ଝାମ୍ପି ନେଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସୁନା ଚେନ ଲୁଟ ଘଟଣାରେ କଟକର ଜମୁନା ବେହେରା ନାମକ ଜଣେ ମହିଳଙ୍କୁ ଗିରଫ କରିଥିଲା ପୋଲିସ । ଘଟଣାର ଅଧିକ ତଦନ୍ତ ପରେ ଜଣାପଡିଥିଲା ଯେ ଏଥିରେ ଏକ ମହିଳା ଲୁଟେରା ଗ୍ୟାଙ୍ଗ କାମ କରୁଛି । ଏହି ମହିଳା ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ପୋଲିସ । ଆଉ ଏକ ମହିଳା ଲୁଟେରା ଗ୍ୟାଙ୍ଗକୁ ମଧ୍ୟ ଗିରଫ କରିଛି ପୋଲିସ । ଲୁଟେରା ମହିଳଙ୍କ ମଧ୍ୟରେ ତାମିଲନାଡୁର ଏଚ.ପୁଷ୍ପା, କଟକର ନାଗୁ ବେହେରା ଓ ଏସ.ପୁଷ୍ପା, ଭଦ୍ରକର ସବିତା ସାହୁ ଓ ବାସନ୍ତୀ ରାଓଙ୍କ ସମେତ କଟକର ବିଜୟ ଜେନାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ବିଜୟ ନିଜ ଟାଭେରା ଗାଡ଼ିରେ ଏହି ୬ ମହିଳାଙ୍କୁ ନେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହେଉଥିବା ପର୍ବପର୍ବାଣୀ ସମୟରେ ବିଭିନ୍ନ ମନ୍ଦିରକୁ ନେଇଥାଏ । ସେଠାରେ ମହିଳାମାନେ ଭିଡ଼ର ଫାଇଦା ଉଠାଇ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କର ସୁନା ଚେନ ଲୁଟୁଥିଲେ । ସୁନା ଚେନ ଲୁଟିବା ପରେ ଟାଭେରା ଗାଡ଼ିରେ ବସି ଘଟଣାସ୍ଥଳରୁ ଫେରାର ହୋଇ ଯାଉଥିଲେ । ବର୍ତ୍ତମାନ ପୋଲିସ ଏହି ମହିଳା ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଥିବା ବେଳେ ମହିଳାଙ୍କ ଠାରୁ ୫ଟି ସୁନା ଚେନ, ୨୫ ହଜାର ଟଙ୍କା ଓ ଲୁଟରେ ବ୍ୟବହୃତ ହେଉଥିବା ଟାଭେରା ଗାଡ଼ିକୁ ଜବତ କରିଛି ପୋଲିସ । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଏହି ମହିଳା ଲୁଟେରା ଗ୍ୟାଙ୍ଗ ଭଳି ଆଉ ଦୁଇଟି ଓଡ଼ିଶାରେ ଏହି ଗ୍ୟାଙ୍ଗ କାମ କରୁଛି । ମୁଖ୍ୟତଃ ଏହି ଲୁଟେରା ମାନେ କଟକର ଏକ ଭଡ଼ା ଘରେ ରହି ବିଭିନ୍ନ ସ୍ଥାନକୁ ଲୁଟ କରିବା ନିମନ୍ତେ ଯାଉଥିଲେ । ଏହି ଲୁଟେରା ଗ୍ୟାଙ୍ଗରେ ରହିଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶିଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।