ସରକାରୀ ଜମିରୁ କାଠ ମାଫିଆ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାମୂଲ୍ୟର ଜୀବନ୍ତ ଗଛ

0 73

ନିଶ୍ଚିନ୍ତକୋଇଲି,: ପରିବେଶର ସୁରକ୍ଷା ନିମନ୍ତେ ସରକାର ଅଧିକରୁ ଅଧିକ ବନୀକରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏଥିନିମନ୍ତେ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ବିନିଯୋଗ ହେଉଛି । ଏପରିସ୍ଥଳେ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ପୋଲିସ ପ୍ରଶାସନ ସର୍ବୋପରି ବନ ବିଭାଗର ଜ୍ଞାତସାରରେ କାଠ ମାଫିଆଙ୍କ ଅଭୟାରଣ୍ୟରେ ପରିଣତ ହୋଇଛି ।ସ୍ପଷ୍ଟ ଦିବାଲୋକରେ କାଠ ମାଫିଆମାନେ କିପରି ସରକାରୀ ଜମିରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଜୀବନ୍ତ ଗଛକୁ କାଟି ନେଉଛନ୍ତି ତାହାର ଏକ ନଗ୍ନ ଉଦାହରଣ ରାମକୃଷ୍ଣପୁର ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି । ନିଶ୍ଚିନ୍ତକୋଇଲି ତହସିଲ ଅଂଚଳ ଦେଇ ୧୧ନମ୍ବର ପାଟନାଳୀ ପ୍ରବାହିତ ହେଉଛି । ଏହି
ପାଟନାଳୀର ଦୁଇ ପାଶ୍ୱର୍ରେ ବର୍ଷ ବର୍ଷ ଧରି ବିରାଟ ବିରାଟ ଚାକୁଣ୍ଡା, ୟୁକାଲପଟାସ, ଶାଳ ସମେତ ବିଭିନ୍ନ ପ୍ରକାର ମୂଲ୍ୟବାନ ଗଛ ରହିଛି । ଆଜି ସ୍ପଷ୍ଟ ଦିବାଲୋକରେ କାଠ ମାଫିଆମାନେ ରାମକୃଷ୍ଣପୁର ଗ୍ରାମପଞ୍ଚଚାୟତ ନିକଟରେ ଥିବା ପାଟନାଳୀ ପାଶ୍ୱର୍ରୁ ବହୁ ପୁରାତନ ଚାକୁଣ୍ଡା, ଶାଳ, ୟୁକାଲପଟାସ ଶତାଧିକ ଜୀବନ୍ତ ଗଛକୁ ମେସିନ ସାହାଯ୍ୟରେ କାଟି ଟ୍ରାକ୍ଟର ସାହାଯ୍ୟରେ ଅନ୍ୟତ୍ର ବିକ୍ରୟ ପାଇଁ ନେଇଯାଉଥିବାର ଦେଖିବାକୁ ମିଳିଥିଲା । ଗଛକଟା ଯାଇ ଅନ୍ୟତ୍ର ଚାଲାଣ ହେଉଥିବା ସମୟରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ କାଠ ମାଫିଆ ସ୍ଥାନୀୟ ଲୋକଙ୍କ ଭିତରେ ବହୁ ସମୟ ଧରି କଥା କଟାକଟି ହୋଇଥିଲା । ଏପରିକି ଚାଷୀମାନେ ରବି ଫସଲ
କରିଥିଲେ ମଧ୍ୟ ଏହି ବିଲକୁ ଟ୍ରାକ୍ଟର ପ୍ରବେଶ କରିବା ଯୋଗୁ ବହୁ ରବି ଫସଲ ନଷ୍ଟ ହୋଇଯାଇଥିବାର ଚାଷୀମହଲରେ ଅଭିଯୋଗ ହୋଇଛି । ଏସମ୍ପର୍କରେ ଲୋକେ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ମୋବାଇଲ ଯୋଗେ ଜଣାଇଥିଲେ । ତେବେ ତହସିଲଦାର ଅନିତା ନାୟକ ଏହି
ଘଟଣାର ତଦନ୍ତ ନିମନ୍ତେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ରାଜସ୍ୱ ନିରୀକ୍ଷକ ଧର୍ମକୁ ଆଖିଠାର ଭଳି ନାମକୁ ମାତ୍ର ଘଟଣାସ୍ଥଳରେ ପହଞ୍ଚି କାଠ ମାଫିଆଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ବରଂ ସେମାନଙ୍କୁ ସୁରକ୍ଷା ପ୍ରଦାନ
କରିଥିବାର ଅଭିଯୋଗ ହୋଇଛି । ଅପରପକ୍ଷରେ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ କାଠ ମାଫିଆମାନେ ଦିନକୁ ଦିନ ସକ୍ରିୟ ହେବା ସହ ସ୍ଥାନୀୟ ନଦୀ ନାଳ ପଠା ସରକାରୀ ଜମିରେ ରହିଥିବା ମୂଲ୍ୟବାନ ଗଛ ଗୁଡିକୁ ଅବାଧରେ କାଟି ନେଉଥିବାର କାହାରିକୁ ଅଛପା ନାହିଁ । ତେବେ ବନ ବିଭାଗ ତରଫରୁ ଏହି ଅଞ୍ଚଳରେ ଅବାଧରେ ଗଛକାଟୁଥିବା ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି ।

Leave A Reply

Your email address will not be published.