ଜୋରିମାନା ଦେବେ ଈଶାନ୍ତ ଶର୍ମା

0 59

ନୂଆଦିଲ୍ଲୀ, : ଆଇପିଏଲରେ ରବିବାର ସନରାଇଜର୍ସ ହାଇଦ୍ରବାଦ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଟିମ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା । ଏହାର ଜବାବରେ ଗୁଜରାଟ ଶୁବମନ ଗିଲଙ୍କ ଅପରାଜିତ ୬୧, ୱାଶିଂଟନ ସୁନ୍ଦରଙ୍କ ୪୯ ଓ ଶେରଫନ ରଥର୍ଫୋଡଙ୍କ ଅପରାଜିତ ୩୫ ରନ ବଳରେ ମ୍ୟାଚକୁ ୧୬.୪ ଓଭରରେ ୩ ୱିକେଟ ହରାଇ ଜିତି ନେଇଥିଲା । ଏହି ବିଜୟ ସହ ଗୁଜରାଟ ଆଇପିଏଲ ପଏଣ୍ଟ ଟେବୁଲର ୨ ନମ୍ବର ସ୍ଥାନକୁ ଉଠିଥିବା ବେଳେ ହାଇଦ୍ରାବାଦ ୧୦ ନମ୍ବର ସ୍ଥାନକୁ ଖସି ଯାଇଛି । ଦଳ କ୍ରମାଗତ ୪ଟି ମ୍ୟାଚ୍ ହାରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଗୁଜରାଟ ମ୍ୟାଚ୍ ଜିତିଥିଲେ ହେଁ ଦଳର ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ବଡ଼ ଝଟକା ଲାଗିଛି । ଈଶାନ୍ତ ଶର୍ମାଙ୍କ ମ୍ୟାଚ୍ ଫି\’କୁ ୨୫% କାଟ କରାଯାଇଥିବା ବେଳେ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି । ସେ ମ୍ୟାଚ୍ ବେଳେ ଆଇପିଏଲର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ବିସିସିଆଇକୁ ପକ୍ଷରୁ ଏପରି ଦଣ୍ଡ ଦିଆଯାଇଛି । ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଈଶାନ୍ତ ଶର୍ମା ଲେଭଲ ୧ ଅପରାଧକୁ ସ୍ୱୀକାର କରିଛନ୍ତି । ଲେଭଲ ୧ ଅପରାଧ ଧାରା ୨.୨ ଅଧୀନରେ ରହିଛି । ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ମ୍ୟାଚ୍ ରେଫରୀ ଦଣ୍ଡ ବିଧାନ କରିଥିଲେ । ଏହାକୁ ସେ ଗ୍ରହଣ କରି ନେଇଛନ୍ତି । ଲେଭଲ ୧ ଆଚରଣ ବିଧି ଉଲ୍ଲଙ୍ଘନରେ ମ୍ୟାଚ୍‌ ରେଫରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଓ ଏହାକୁ ମାନିବାକୁ ସମସ୍ତେ ବାଧ୍ୟ । କ୍ରିକେଟ ସରଞ୍ଜାମ କିମ୍ବା କପଡ଼ା, ଗ୍ରାଉଣ୍ଡ ସରଞ୍ଜାମ କିମ୍ବା ଫିକ୍ସର ଓ ମ୍ୟାଚ୍‌ ବେଳେ କୌଣସି ଜିନିଷକୁ କ୍ଷତି ପହଞ୍ଚାଇବା ଆଦି ଅପରାଧ ଆପିଏଲ ଆଚରଣ ବିଧି ଉଲ୍ଲଙ୍ଘନର ଧାରା ୨.୨ ଅଧୀନରେ ରହିଛି । ଈଶାନ୍ତଙ୍କ ପ୍ରକୃତ ଅପରାଧ ବିଷୟରେ କିଛି ବି କୁହାଯାଇ ନଥିଲେ ହେଁ ସେ କେବଳ ଲଭେଲ ୧ ଅପରାଧ କରିଥିବା ବିସିସିଆଇ ସୂଚିତ କରିଛି । ଏଥିପାଇଁ ତାଙ୍କ ଉପରେ ଫାଇନ ଲଗାଯାଇଛି । ମ୍ୟାଚ୍ କଥା ବିଚାରକୁ ନେଲେ ଗୁଜରାଟ ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲରେ ନିଜର ଦବଦବା ଦେଖାଇଛି । ଦଳର ବିଜୟରେ ବୋଲରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମହମ୍ମଦ ସିରାଜ ୪ ଓଭରରେ ମାତ୍ର ୧୭ ରନ ଦେଇ ୪ ୱିକେଟ ଦଖଲ କରିଥିଲେ । ଏହା ତାଙ୍କ ଆଇପିଏଲ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ସିରାଜ ଗୁଜରାଟ ପାଇଁ ସବୁ ଠାରୁ ଭଲ ବୋଲିଂ କରିଥିବା ବେଳେ ଈଶାନ୍ତ ଶର୍ମା ୪ ଓଭରରେ ୫୩ ରନ ଦେଇ କୌଣସି ୱିକେଟ ପାଇ ନାହାନ୍ତି ।

Leave A Reply

Your email address will not be published.