ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ

0 91

ନୂଆଦିଲ୍ଲୀ, : ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ କରିପାରେ । ଦିନିକିଆ ଫର୍ମାଟରେ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ହେଲା ଦୁଇ ନୂଆ ବଲ ବ୍ୟବହାର କରାଯାଉଛି । ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଆଇସିସି କ୍ରିକେଟ କମିଟି ଦିନିକିଆରେ ଗୋଟିଏ ବଲ ବ୍ୟବହାର କରିବାକୁ ସୁପାରିସ କରିଛି । ଏହି ସୁପାରିସକୁ ପ୍ଲେଇଂ କଣ୍ଡିଶନରେ ସାମିଲ କରିବା ପାଇଁ ଆଇସିସି ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ମଞ୍ଜୁରୀ ଦରକାର । ଆଇସିସି ବୋର୍ଡ ସଦସ୍ୟ ହରାରେରେ ରବିବାର ଏ ସଂକ୍ରାନ୍ତରେ ଆଲୋଚନା କରିବେ । ପର୍ଯ୍ୟନ୍ତ ଦିନିକିଆରେ ଦୁଇଟି ନୂଆ ଧଳା କୁକାବୁରା ବଲ ବ୍ୟବହାର କରାଯାଉଛି । ବୋଲରମାନେ ଉଭୟ ଏଣ୍ଡରୁ ଭିନ୍ନ ଭିନ୍ନ ନୂଆ ବଲ
ବ୍ୟବହାର କରୁଥିବାରୁ ବଲ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ହାର୍ଡ ରହୁଛି । ଏହା ବ୍ୟାଟରଙ୍କୁ ମୁକ୍ତ ଭାବେ ସ୍କୋର କରିବାକୁ ସୁଯୋଗ ଦେଉଛି । ୩୦ ୟାର୍ଡ ସର୍କଲ ବାହାରେ ମାତ୍ର ୪ ଖେଳାଳିଙ୍କୁ ଅନୁମତି ଥିବାରୁ ବୋଲରଙ୍କ ଅପେକ୍ଷା ବ୍ୟାଟରମାନେ ଅଧିକ ଫାଇଦାରେ ରହୁଛନ୍ତି । ଏପରି କି କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ମଧ୍ୟ ଦୁଇ ନୂଆ ବଲ ବ୍ୟବହାରକୁ ନାପସନ୍ଦ କରିଥିଲେ । ଦୁଇ ନୂଆ ବଲର ବ୍ୟବହାର ଯୋଗୁ ରିଭର୍ସ ସ୍ୱିଙ୍ଗ ଦେଖିବାକୁ ମିଳୁନାହିଁ । କାରଣ ରିଭର୍ସ ସ୍ୱିଙ୍ଗ ହେବା ଲାଗି ବଲକୁ ଅତିକମରେ ୩୫ ଓଭର ପୁରୁଣା ହେବା ଦରକାର । ବଲ ପୂରା ମ୍ୟାଚରେ ହାର୍ଡ ରହୁଥିବାରୁ ସ୍ପିନରମାନେ ବି ସଂଘର୍ଷ କରୁଛନ୍ତି । କ୍ରିକେଟ କମିଟି ୩ଟି ନିୟମରେ ପରିବର୍ତ୍ତନ କରିବାକୁ ସୁପାରିସ କରିଛି । ଦିନିକିଆ କ୍ରିକେଟରେ ଗୋଟିଏ ଧଳା ବଲର ବ୍ୟବହାର । ଟେଷ୍ଟରେ ଓଭର ହାର ଯାଞ୍ଚ କରିବା ପାଇଁ କ୍ଲକ ଟାଇମର ବ୍ୟବହାର ଓ ୧୯ ବର୍ଷରୁ କମ୍ ବିଶ୍ୱକପକୁ ୫୦ ଓଭର ବଦଳରେ ଟି-୨୦ ଫର୍ମାଟରେ ଖେଳାଯିବା ଲାଗି ସୁପାରିସ କରିଛି ବୋଲି ଆଇସିସି ବୋର୍ଡ ସଦସ୍ୟ କହିଛନ୍ତି । ଦୁଇଟି ବଲ ୨୫ତମ ଓଭର ପର୍ଯ୍ୟନ୍ତ ବ୍ୟବହାର କରାଯିବାର ସମ୍ଭାବନା ରହିଛି । ତା\’ ପରେ ବୋଲିଂ ଦଳକୁ ଦୁଇ ବଲ ମଧ୍ୟରୁ ଗୋଟିଏ ବାଛିବାକୁ ବିକଳ୍ପ ଦିଆଯାଇପାରେ, ଯେଉଁଥିରେ ଦଳ ମ୍ୟାଚ ଶେଷ ପର୍ଯ୍ୟନ୍ତ ବୋଲିଂ କରିବ ।

Leave A Reply

Your email address will not be published.