ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ଫାଇନାଲ

0 61

ଅହମଦାବାଦ, : ଆଇପିଏଲ ୨୦୨୫ର ଫାଇନାଲ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଭାରତ-ପାକିସ୍ତାନ ବିବାଦ ଯୋଗୁ ଆଇପିଏଲ ପ୍ରାୟ ୧୦ ଦିନ ବନ୍ଦ ରହିଥିଲା । ଶନିବାର ଠାରୁ ବଳକା ମ୍ୟାଚଗୁଡ଼ିକ ଘୋଷଣା ହୋଇଥିବା ଭେନ୍ୟୁରେ ଖେଳା ଯାଉଛି । କିନ୍ତୁ ପ୍ଲେ ଅଫ ଓ ଫାଇନାଲ କେଉଁଠି ଖେଳାଯିବ, ସେକଥା ଘୋଷଣା ହୋଇନଥିଲା । ଏବେ କିନ୍ତୁ ବିସିସିଆଇ ଜୁନ ୩ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ଫାଇନାଲ ନରେନ୍ଦ୍ର ମୋଦି ଷ୍ଟାଡିୟମ ଖେଳାଯିବ ବୋଲି ଘୋଷଣା କରିଛି । ଆଇପିଏଲ ଫାଇନାଲ ବ୍ୟତୀତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କ୍ୱାଲିଫାୟର ୨ ମଧ୍ୟ ଖେଳାଯିବ । କିନ୍ତୁ କ୍ୱାଲିଫାୟର-୧ ଓ ଏଲିମିନେଟର ମୁଲ୍ଲାନପୁର ଷ୍ଟାଡିୟମରେ ଅନୁଷ୍ଠିତ ହେବ । ମୁଲ୍ଲାନପୁର ହେଉଛି ପଞ୍ଜାବ କିଙ୍ଗସର ହୋମଗ୍ରାଉଣ୍ଡ । ଭାରତ-ପାକିସ୍ତାନ ବିବାଦ ଯୋଗୁ ସ୍ଥଗିତ ରହିଥିବା ଆଇପିଏଲ ପୁଣି ଚାଲୁ କରିବା ପାଇଁ ବିସିସିଆଇ ଘୋଷଣା କରିବା ବେଳେ ପାଣିପାଗ ଉପରେ ନଜର ରଖିଥିଲା । ବିଭିନ୍ନ କାରଣ ପାଇଁ ବାକି ରହିଥିବା ୧୭ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ କ୍ୱାଲିଫାୟର୍ସ ଓ ଫାଇନାଲ ପାଇଁ ଭେନ୍ୟୁ ଘୋଷଣା ହୋଇ ନଥିଲା । ଶନିବାର ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ବେଙ୍ଗାଲୁରୁରେ ହେବାକୁଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ମ୍ୟାଚ୍‌ ବାତିଲ ହେବାରୁ କେକେଆର ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା । ବର୍ଷା ବିପଦ ଆଇପିଏଲ ଉପରେ ରହିଥିବାରୁ ବିସିସିଆଇ ଫାଇନାଲ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ତୃତୀୟ ଥର ପାଇଁ ଅହମଦାବାଦ ଆଇପିଏଲ ଫାଇନାଲ ଆୟୋଜନ କରିବାକୁ ଯାଉଛି । ୨୦୨୨ ଓ ୨୦୨୩ ଆଇପିଏଲର ଫାଇନାଲ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା । ଏବେ ୨୦୨୫ରେ ମଧ୍ୟ ଫାଇନାଲ ଏଠାରେ ଖେଳାଯିବ । ପ୍ରକୃତରେ ୨୦୨୫ ଆଇପିଏଲର ଫାଇନାଲ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବାର ଥିଲା । କିନ୍ତୁ କୋଲାକତାରେ ଜୁନ ମାସ ବେଳକୁ ବର୍ଷାର ଆଶଙ୍କା ରହିଛି । ତେଣୁ ବିସିସିଆଇ ଫାଇନାଲ ଭେନ୍ୟୁକୁ ବଦଳାଇ ଦେଇଛି ।

Leave A Reply

Your email address will not be published.