ଦୁବାଇ, : ବିଶ୍ୱକପର ବଦଲା ନେଲା ଭାରତ । ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ହରାଇ ୨୦୨୪ ପ୍ରତିଶୋଧ ନେଇଛି ରୋହିତ ବାହିନୀ । ମଇଦାନରେ ଗର୍ଜିଲା ଚେଜ୍ ମାଷ୍ଟର କୋହଲିଙ୍କ ବ୍ୟାଟ୍ । କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଚାମ୍ପିଅନ୍ସ ଟ୍ରଫି
୨୦୨୫ର ପ୍ରଥମ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ । ବିଜୟ ସହ ଭାରତ ଫାଇନାଲରେ ସ୍ଥାନ ପକ୍କା କରିଛି । ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୮ ଓଭରରେ ୬ ୱିକେଟ୍ ହରାଇ ଜିତି ନେଇଛି ବାଜି । ବିରାଟ କୋହଲି ୮୪ ରନର ଇନିଂସ ଖେଳି ଭାରତକୁ ବିଜୟ ଭେଟି ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ବ୍ୟତୀତ ଶ୍ରେୟସ ଆୟର ୪୫ ରନର ଉପଯୋଗୀ ଇନିଂସ ଖେଳିଛନ୍ତି । ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ୭୩ ରନ ଓ ଆଲେକ୍ସ କେରିଙ୍କ ୬୧ ରନ ବଳରେ ୨୬୪ ରନ କରିଥିଲା । ଭାରତ ଏବେ ଦକ୍ଷିଣ ଆଫ୍ରିକା ବନାମ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସେମି ଫାଇନାଲର ବିଜେତାକୁ
ଫାଇନାଲରେ ଭେଟିବ । ୨୬୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ପ୍ରଥମ ୱିକେଟ୍ ସୁଦ୍ଧା ୩୦ ରନ ଯୋଡ଼ିଥିଲେ । ଗିଲ୍ ୮ ରନ୍ କରି ପାଭିଲିୟନ ଫେରିଥିଲେ । ଅଧିନାୟକ ରୋହିତ ଶର୍ମା ୨୯ ବଲରୁ ୩ ଚୌକା ଓ ୧ ଛକା ସହ ୨୮ ରନ କରିଥିଲେ । ୪୩ ରନରେ ଦୁଇ ଓପନ ଆଉଟ୍ ହେବା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଜବରଦସ୍ତ ବ୍ୟାଟିଂ କରିଥିଲେ । ଉଭୟ ତୃତୀୟ ୱିକେଟ୍ ସୁଦ୍ଧା ୯୧ ରନ ଯୋଡ଼ି ଦଳ ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ୧୩୪ ରନ ସ୍କୋରରେ ଶ୍ରେୟସ ଆୟର ବ୍ୟକ୍ତି ଗତ ୪୫ ରନର ଉପଯୋଗୀ ଇନିଂସ ଖେଳି ପାଭିଲିୟନ ଫେରିଥିଲେ । ଅନ୍ୟପଟେ ବିରାଟ କୋହଲି ଆକର୍ଷଣୀୟ ଅର୍ଦ୍ଧଶତକ
ହାସଲ କରିଥିଲେ । ବିରାଟ କୋହଲି ଓ ଅକ୍ଷର ପଟେଲ୍ ଚତୁର୍ଥ ୱିକେଟ୍ ସୁଦ୍ଧା ୪୪ ରନ ଯୋଡ଼ିଥିଲେ । ଅକ୍ଷର ୨୭ ରନ କରି ପାଭିଲିୟନ
ଫେରିଥିଲେ । ଭାରତ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ କୋହଲି ମଧ୍ୟ ଶତକ ଅଭିମୁଖେ ବଢୁଥିଲେ । ହେଲେ ବଡ଼ ସଟ୍ ଖେଳିବାକୁ ଯାଇ କୋହଲି ୮୪ ରନ କରି ଆଉଟ୍ ହୋଇଥିଲେ । ଶେଷ ଆଡ଼କୁ ମ୍ୟାଚ୍ ରୋମାଞ୍ଚକର ମୋଡ଼ ନେଇଥିଲା । ହେଲେ
କେଏଲ ରାହୁଲ ୪୦ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୫ ରନ କରି ଭାରତକୁ ୬ ବଲ୍ ବଳକା ଥାଇ ଜିତାଇଛନ୍ତି ।
ବିଶ୍ୱକପ୍ ପ୍ରତିଶୋଧ ନେଲା ଭାରତ; ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପକ୍କା କଲା ସ୍ଥାନ
Next Post