ଭାରତର ଅଣ୍ଡର ୧୯ ଟିମର ଅଧିନାୟକ ଆୟୁଷ ମହାତ୍ରେ, ଦଳରେ ଅଛନ୍ତି ସୂର୍ଯ୍ୟବଂଶୀ

0 117

ନୂଆଦିଲ୍ଲୀ, : ଭାରତର ଅଣ୍ଡର ୧୯ ଟିମର ଅଧିନାୟକ ହୋଇଛନ୍ତି ୧୭ ବର୍ଷୀୟ ଆୟୁଷ ମହାତ୍ରେ । ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଗୁରୁବାର ଜୁନିୟର କ୍ରିକେଟ କମିଟି ଆୟୁଷଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି । ଭାରତର ଅଣ୍ଡର ୧୯ ଟିମ ଇଂଲଣ୍ଡ ଗସ୍ତ କରି ପ୍ରଥମେ ଗୋଟିଏ ୫୦ ଓଭର ବିଶିଷ୍ଟ ଅଭ୍ୟାସ ମ୍ୟାଚ୍‌ ଖେଳିବ । ଏହାପରେ ଭାରତୀୟ ଅଣ୍ଡର ୧୯ କ୍ରିକେଟ ଟିମ ଓ ଇଂଲଣ୍ଡ ଅଣ୍ଡର ୧୯ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଯୁବ ଦିନିକିଆ ସିରିଜ ଖେଳାଯିବ । ସେହିପରି ୨ଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଦୁଇ ଦେଶର ଯୁବ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହେବ । ଇଂଲଣ୍ଡ ଟୁର ପାଇଁ ଘୋଷଣା ହୋଇଥିବା ୧୬ ଜଣିଆ ସ୍କ୍ୱାଡରେ ୧୪ ବର୍ଷୀୟ ବାମହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ରହିଛନ୍ତି । ନିକଟରେ ସୂର୍ଯ୍ୟବଂଶୀ ଆଇପିଏଲରେ ସର୍ବକନିଷ୍ଠ କ୍ରିକେଟର ଭାବେ ଡେବ୍ୟୁ କରିବା ସହ ବିସ୍ଫୋରକ ଶତକ ହାସଲ କରିଥିଲେ । ସେ ରାଜସ୍ଥାନ ରୟାଲ୍ସ ପାଇଁ ଚଳିତ ଆଇପିଏଲରେ ୭ଟି ମ୍ୟାଚ୍ ଖେଳି ୨୦୬.୫୬ ଷ୍ଟ୍ରାଇକ ରେଟରେ ୨୫୨ ରନ କରିଛନ୍ତି । ମାସକ ତଳେ ସୂର୍ଯ୍ୟବଂଶୀ ନିଜର ୧୪ତମ ଜନ୍ମ ଦିନ ପାଳିଥିଲେ । କିନ୍ତୁ ଏହାପୂର୍ବରୁ ଅର୍ଥାତ ଗତବର୍ଷ ହୋଇଥିବା ଅକ୍ସନରେ ରାଜସ୍ଥାନ ତାଙ୍କୁ ୧.୧ କୋଟି ଟଙ୍କାରେ କିଣିଥିଲା । ଆଇପିଏଲରେ ସୂର୍ଯବଂଶୀ ଲକ୍ଷ୍ନୌ ବିପକ୍ଷରେ ଡେବ୍ୟୁ କରିଥିଲେ । ପ୍ରଥମ ବଲରେ ହିଁ ସେ ଛକା ମାରି ନିଜ ଦକ୍ଷତା ସମସ୍ତଙ୍କୁ ଦେଖାଇଥିଲେ । ଏହାପରେ ସେ ୩୫ ବଲରେ ଶତକ, ୧୫ ବଲରେ ୪୦ ଓ ଚେନ୍ନାଇ ବିପକ୍ଷ ଶେଷ ମ୍ୟାଚରେ ୩୩ ବଲରେ ୫୭ ରନର ଇନିଂସ ଖେଳିଥିଲେ । ଏହି କାରଣରୁ ତାଙ୍କୁ ଭାରତର ଅଣ୍ଡର ୧୯ ଟିମରେ ସୁଯୋଗ ମିଳିଛି । ଅନ୍ୟପକ୍ଷରେ ମହାତ୍ରେ ମଧ୍ୟ ଚଳିତ ଆଇପିଏଲରେ ନିଜର ଛାପ ଛାଡ଼ିଛନ୍ତି । ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ପାଇଁ ସେ ୬ଟି ଇନିଂସରେ ୨୦୬ ରନ କରିଛନ୍ତି । ଆରସିବି ବିପକ୍ଷରେ ସେ ୪୮ ବଲରେ ବିସ୍ଫୋରକ ୯୪ ରନର ଖେଳିଥିଲେ । ଆଇପିଏଲ ୨୦୨୫ ଆରମ୍ଭରୁ ମହାତ୍ରେ କିମ୍ବା ସୂର୍ଯ୍ୟବଂଶୀ ଖେଳିବାର କୌଣସି ସୁଯୋଗ ପାଇ ନଥିଲେ । କିନ୍ତୁ ଉଭୟ ଟିମର ଅଧିନାୟକ ଆହତ ହେବାକୁ ସେମାନଙ୍କୁ ସୁଯୋଗ ମିଳିଥିଲା । ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଆହତ ହେବାରୁ ସୂର୍ଯବଂଶୀ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଥିଲେ । ସେହିପରି ଅକ୍ସନରେ ଅନସୋଲ୍ଡ ରହିଥିବା ୧୭ ବର୍ଷୀୟ ମହାତ୍ରେଙ୍କୁ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ବଦଳ ଖେଳାଳି ଭାବେ ଟୁର୍ଣ୍ଣାମେଣ୍ଟ ଅଧାରୁ ନିଜ ସହ ସାମିଲ କରିଥିଲା । ଏହି ସୁଯୋଗର ସେ ଫାଇଦା ଉଠାଇଥିବାରୁ ଏବେ ତାଙ୍କୁ ଭାରତୀୟ ଅଣ୍ଡର ୧୯ ଟିମର କମାଣ ଦିଆଯାଇଛି ।

Leave A Reply

Your email address will not be published.