ଭାରତ ଜିତିବାରୁ ରୋହିତଙ୍କୁ ପ୍ରଶଂସା କଲେ ଶମା ମହମ୍ମଦ

0 68

ନୂଆଦିଲ୍ଲୀ, : ଦୁବାଇରେ ଲିଭିଛି ମୋଟେରା ଓ ଲର୍ଡସର ଦୁଃଖ । ଅଷ୍ଟ୍ରେଲିଆଠାରୁ ୨୦୨୩ ମସିହାର ଡବଲ୍ ଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ । ବୋଲରଙ୍କ ମିଳିତ ପ୍ରୟାସ ସହ ରୋହିତ ଶର୍ମାଙ୍କ ନେତୃତ୍ୱ ଏବଂ ବିରାଟ କୋହଲିଙ୍କ ବ୍ୟାଟିଂ ବଳରେ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପହଞ୍ଚିଯାଇଛି । ଭାରତକୁ ଏତେ ବଡ଼ ସଫଳତା ମିଳିବା ପରେ ଏବେ କଂଗ୍ରେସର ମୁଖପାତ୍ର ଶମା ମହମ୍ମଦ ନିଜର ପ୍ରତିକ୍ରିୟା ରଖିଛନ୍ତି । କିଛି ଦିନ ତଳେ ଅଧିନାୟକ ରୋହିତ ଶର୍ମାଙ୍କୁ ମୋଟା ବୋଲି କହି ବିବାଦୀୟ ହୋଇଥିବା ଶମା ଏବେ ରୋହିତଙ୍କୁ ପ୍ରଶଂସା କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ଜିତିଥିବାରୁ ମୁଁ ଆଜି ବହୁତ ଖୁସି । ଏହା ସହ ବିରାଟ କୋହଲିଙ୍କୁ ୮୪ରନ କରିବା ଏବଂ ଆଇସିସି ନକଆଉଟରେ ୧୦୦୦ରନ ସ୍କୋର କରିବାରେ ପ୍ରଥମ ଖେଳାଳି ହୋଇଥିବାରୁ ଅଭିନନ୍ଦନ ଜଣାଉଛି । ମୁଁ ବହୁତ ଉତ୍ସାହିତ ଏବଂ ଫାଇନାଲ ପାଇଁ ଅପେକ୍ଷା କରିଛି । କିଛି ଦିନ ତଳେ ଶମା ମହମ୍ମଦ ସୋସିଆଲ ମିଡିଆରେ ଲେଖିଥିଲେ, ରୋହିତ ଶର୍ମା ଖେଳାଳି ଭାବରେ ମୋଟା । ତାଙ୍କୁ ଓଜନ ହ୍ରାସ କରିବାକୁ ପଡିବ । ନିଶ୍ଚିତ ଭାବରେ, ସେ ଭାରତର ସବୁଠାରୁ ସାଧାରଣ ଅଧିନାୟକ । ତାଙ୍କ ଭିତରେ ସ୍ୱତନ୍ତ୍ର ବୋଲି କିଛି ନାହିଁ । ଶମାଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରେ ରୋହିତଙ୍କ ପ୍ରଶଂସକମାନେ ଶମାଙ୍କୁ ଟ୍ରୋଲ କରିବା ସହ କ୍ରିକେଟରଙ୍କ ଫିଟନେସ୍ ଏବଂ ଅଧିନାୟକତ୍ୱକୁ ସମର୍ଥନ କରିଥିଲେ । ବିବାଦ ବିବାରୁ କଂଗ୍ରେସ ଶମାଙ୍କୁ ନିଜ ପୋଷ୍ଟ ହଟାଇବାକୁ କହିଥିଲା । ଏହା ପରେ ଶମା ନିଜ ବିବାଦୀୟ ପୋଷ୍ଟ ହଟାଇ ଦେଇଥିଲେ ।

Leave A Reply

Your email address will not be published.