ଭୁବନେଶ୍ୱର,: ଆଚାର୍ଯ୍ୟ ବିହାରରେ ଥିବା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)ର ପୁରୁଣା କୋଠାକୁ ଭାଙ୍ଗି ସେଠାରେ ଏକ ଅତ୍ୟାଧୁନିକ ଟେକ୍ନୋଲୋଜି ବିଜନେସ୍ ଟାୱାର ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗଗୁଡ଼ିକଠାରୁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ(ଇଓଆଇ) ଆହ୍ୱାନ କରାଯାଇଛି । ସେହି ସଂସ୍ଥା ନୂଆ ଟାୱାର ନିର୍ମାଣ କରିବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ନୂଆ ଟେକ୍ନୋଲୋଜି ବିଜନେସ୍ ଟାୱାର ନିର୍ମାଣ କରିବାରେ ପ୍ରାୟ ୨୦୦ କୋଟି ଟଙ୍କା ନିବେଶ କରାଯିବ । ପ୍ରଯୁକ୍ତି ଦୁନିଆରେ ପରିଚାଳିତ ହେଉଥିବା କମ୍ପାନୀଗୁଡ଼ିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ କୋଠା ନିର୍ମାଣ କରାଯିବ । ତିନି ଲକ୍ଷ ବର୍ଗଫୁଟ ସ୍ଥାନରେ ଏହି କୋଠା ନିର୍ମାଣ କରିବା ଯୋଜନା ରହିଛି । ସେହି କୋଠାକୁ ଉଭୟ ଓକାକ୍ ଓ ଆଇଟି
କମ୍ପାନୀଗୁଡ଼ିକ ବ୍ୟବହାର କରିବା ଲାଗି ଉପଲବ୍ଧ କରାଯିବ । ୧୯୮୫ରେ ନିର୍ମାଣ କରାଯାଇଥିବା ଓକାକ୍ ପୂର୍ବରୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ପରିଚାଳିତ ହେଉଥିଲା । କିନ୍ତୁ ୨୦୦୩ଠାରୁ ତାହା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଅଧୀନରେ ପରିଚାଳିତ ହେଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସରକାରୀ ବିଭାଗଗୁଡ଼ିକର କମ୍ପ୍ୟୁଟରୀକରଣ ଲାଗି ଗଠନ କରାଯାଇଥିବା ଓକାକ୍ର କାର୍ଯ୍ୟ ପରିସର ୨୦୦୦ ମସିହା ପରେ ବ୍ୟାପକ ହୋଇଥିଲା । ସୂଚନା ପ୍ରଯୁକ୍ତି ଦୁନିଆରେ ହୋଇଥିବା ଅଗ୍ରଗତି ଅନୁସାରେ ଏହାର କାର୍ଯ୍ୟ ପରିସୀମା ବଢ଼ିଥିଲା । ଧୀରେ ଧୀରେ ଆଚାର୍ଯ୍ୟବିହାର ଅଞ୍ଚଳ ସହରର ଏକ ପ୍ରମୁଖ ଆଇଟି ହବ୍ ଭାବେ ଉଭା ହେବାରେ ଲାଗିଛି । ପୂର୍ବରୁ ଓକାକ୍ ପରିସରରେ ଏକ ସାତ ମହଲା ଅତ୍ୟାଧୁନିକ କୋଠା ରହିଛି । ଯେଉଁଥିରେ ଆଇଟି, ଆଇଟି ସମ୍ପର୍କିତ କମ୍ପାନି ଓ ଇଏସଡ଼ିଏମ୍ କମ୍ପାନିଗୁଡ଼ିକ କାର୍ଯ୍ୟ କରୁଛନ୍ତି । ସେହିପରି, ମହାରାଜା ଟକିଜ୍ ପାର୍ଶ୍ୱରେ \”ଓଡ଼ିଶା ଟେକ୍ନୋଲୋଜି ସେଣ୍ଟର\’ ସ୍ଥାପନ କରାଯାଇଛି । ସେହି ଅତ୍ୟାଧୁନିକ ପରିସରରେ ଆକ୍ସେଞ୍ଚର, କଗ୍ନିଜାଣ୍ଟ ଭଳି ବିଶ୍ୱସ୍ତରୀୟ କମ୍ପାନି କାର୍ଯ୍ୟ କରୁଛନ୍ତି । ଓଡ଼ିଶା ଟେକ୍ନୋଲୋଜି ସେଣ୍ଟରକୁ ୫୧ ହଜାର ବର୍ଗଫୁଟରେ ନିର୍ମାଣ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏଥିରେ ଆଉ ୨୯ହଜାର ବର୍ଗଫୁଟ ଯୋଡ଼ିବା ଯୋଜନା ରହିଛି । ଓକାକ୍ର ପୁରୁଣା କୋଠା ଭାଙ୍ଗି ସେଠାରେ ନୂଆ ଟାୱାର ସ୍ଥାପନ କରାଯିବା ପରେ ଆଚାର୍ଯ୍ୟ ବିହାର ଅଞ୍ଚଳ ଏକ ପ୍ରମୁଖ ଆଇଟି ହବ୍ରେ ପରିଣତ ହେବ ।