ଋତୁସ୍ରାବ, ଈଶ୍ୱରଙ୍କ ପ୍ରଦତ୍ତ ଆଶୀର୍ବାଦ: ଉପ-ମୁଖ୍ୟମନ୍ତ୍ରୀ

0 99

ଭୁବନେଶ୍ୱର, : ସମାଜରୁ ଋତୁସ୍ରାବ ଜନିତ ନୀରବତା ଭାଙ୍ଗିବାକୁ ପଡିବ ବୋଲି ଗୁରୁବାର ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତବ୍ୟକ୍ତ କରିଛନ୍ତି । ଆଇନା ଏନଜିଓ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ସହଭାଗିତାରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଋତୁସ୍ରାବ, ମହିଳାମାନଙ୍କୁ ଈଶ୍ୱରଙ୍କ ପ୍ରଦତ୍ତ ଆଶୀର୍ବାଦ ବୋଲି ଦୃଢ ମତ ରଖିଛନ୍ତି । ସମାଜରେ ଋତୁସ୍ରାବ ଅନୁକୂଳ (ପିରିୟଡ ଫ୍ରେଣ୍ଡଲି) ପରିବେଶ ସୃଷ୍ଟି କରିବା ପାଇଁ ପ୍ରତି ସର୍ବସାଧାରଣ ସ୍ଥାନରେ ଏକ ମହିଳା ଅନୁକୂଳ ଜୋନ ସୃଷ୍ଟି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଋତୁସ୍ରାବ ଜନିତ ଅନ୍ଧବିଶ୍ୱାସ ସହ ଲଢିବା ପାଇଁ ଆମକୁ ତୃଣମୂଳସ୍ତରରେ ପରିବର୍ତ୍ତନ ଆଣିବା ସହ ଆମର ନିଜର ମାନସିକତାରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡିବ । ଘରର ମା\’ମାନେ ମଧ୍ୟ ପୁଅ ଅପେକ୍ଷା ଝିଅମାନଙ୍କୁ ଅଧିକ ଯତ୍ନ କରିବା ଦରକାର । ଏହା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ସ୍ୱଚ୍ଛ ଶୌଚଳୟ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଋତୁସ୍ରାବ ଭଳି ସମ୍ବେଦନଶୀଳ ବିଷୟ ଆଗକୁ ଆଣିଥିବାରୁ ଆଇନା ଏନଜିଓ ଓ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀଙ୍କୁ ଶ୍ରୀମତୀ ପରିଡା ଧନ୍ୟବାଦ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଋତୁସ୍ରାବ ଜନିତ ଅସୁବିଧାଗୁଡିକୁ ବର୍ଣ୍ଣନା କରିବା ସହ ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପଦକ୍ଷେପଗୁଡିକୁ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାଟରଏଡ, ପିସିଆଇ ଇଣ୍ଡିଆ, ପିରାମାଲ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ, ଓଡ଼ିଶାଲାଇଭ, ନାୱୋ ପ୍ଲସ, ୟୁନିସେଫ, ସିୱାଇଏସଡି, ଭିୟୁଜ୍‌ ଇଣ୍ଡିଆ, ୟୁଏନଡିପି, ସିଆଇଏଫଏଆର, ପିଜେଏସ, ୱାଟର ଇନିସିଏଟିଭିସ, ଜିତା ଆଦି ଅନୁଷ୍ଠାନର ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଆଇନା ଦ୍ୱାରା କରାଯାଇଥିବା ଋତୁସ୍ରାବ ପରିଚ୍ଛନ୍ନତା ସର୍ଭେ ରିପୋର୍ଟକୁ ଏହି କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିଲା ।

Leave A Reply

Your email address will not be published.