କାର୍ ଭିତରେ ବିଷ ପିଇ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୭ ଜଣ

0 89

ଡେରାଡୁନ୍‌, : ଋଣବୋଝରେ ଚାପଗ୍ରସ୍ତ ଡେରାଡୁନର ଏକ ପରିବାର ହରିୟାନା ପଞ୍ଚକୁଲାରେ କାର୍ ଭିତରେ ସମୂହ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ସ୍ଥାନୀୟ ଲୋକଙ୍କମାନଙ୍କ ହୃଦୟକୁ ଦୋହଲାଇ ଦେଇଛି । ସାତ ଜଣ ଯାକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଛଅ ଜଣଙ୍କର ମୃତଦେହ କାର୍ ଭିତରୁ ମିଳିଥିବାବେଳେ ଜଣେ କାର୍ ବାହାରେ ମୃତ୍ୟୁକୁ ଅପେକ୍ଷା କରି ବସି ରହିଥିବାବେଳେ ଉଦ୍ଧାର ହୋଇଥିଲେ । ମାତ୍ର, ହସ୍ପିଟାଲରେ ତାଙ୍କୁ ମଧ୍ୟ ମୃତ ଘୋଷଣା କରାଯାଇଥିଲା । ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସେମାନେ ରାତିରେ ଚାଲୁଥିବାବେଳେ ଡେରାଡୁନ୍‌ ନମ୍ବର ଥିବା ଏକ କାର୍ ସେକ୍ଟର ୨୭ର ଏକ ଘର ନିକଟରେ ପାର୍କ ହୋଇଥିବା ଦେଖିଥିଲେ । ଚାଲୁଥିବା ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର କାର୍ ସେଠାରେ ଆଗରୁ ପାର୍କିଂ ହୋଇଥିଲା । ତେଣୁ ଡେରାଡୁନ୍‌ ନମ୍ବରର ଗାଡ଼ି ଦେଖି ସେ ସେଠାକୁ ଯାଇ ଦେଖିଲେ ଯେ ଜଣେ ବ୍ୟକ୍ତି ସେହି ଡେରାଡୁନ୍ ନମ୍ବରର ଗାଡ଼ି ପାଖରେ ବସିଛନ୍ତି । ସେ ତାଙ୍କୁ ପଚାରିଲେ, କୁଆଡ଼ୁ ଆସିଛନ୍ତି? ସେ କହିଲେ, ସେମାନେ ଡେରାଡୁନରୁ ପଞ୍ଚକୁଲା ଆସିଥିଲେ । ବାଗେଶ୍ୱର ଧାମରେ ହନୁମାନ କଥା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏବେ ସେମାନେ ଡେରାଡୁନ୍ ଫେରୁଛନ୍ତି । ପାଖରେ ହୋଟେଲ ନପାଇବାରୁ ଏଠାରେ ଗାଡ଼ି ରଖି ଟିକେ ବିଶ୍ରାମ କରୁଛନ୍ତି । ସ୍ଥାନୀୟ ଲୋକ ତାଙ୍କୁ କହିଲେ ଯେ କାରଟା ଏଠି ନରଖି ମାର୍କେଟ ପାଖକୁ ନେଇଯାଆନ୍ତୁ । ଏଥର ରାସ୍ତାକଡ଼ରେ ବସିଥିବା ଲୋକ ଜଣକ ଉଠି ଠିଆ ହେଲେ ଓ କାର୍ ପାଖକୁ ଗଲେ । ତାଙ୍କ ସହିତ ସେହି ପ୍ରତ୍ୟକ୍ଷଦର୍ଶୀ ଦୁଇ ଜଣ କାର୍ ନିକଟକୁ ଯାଇ ଯାହା ଦେଖିଲେ ସେଥିରେ ସେମାନଙ୍କର ମୁଣ୍ଡ ଘୂରଇଦେଲା । କାର୍ ଭିତରେ ଛଅ ଜଣଙ୍କର ନିଷ୍ପ୍ରାଣ ଶରୀର ଦେଖି ସେମାନେ ଛାନିଆ ହୋଇଯାଇଥିଲେ । ସେମାନେ ପରସ୍ପର ଉପରେ ବାନ୍ତି କରିଥିଲେ । ସେମାନେ ସେହି ଲୋକଙ୍କୁ ପଚାରିବାରୁ ସେ ସବୁ ସତ କଥା ମାନିକଲେ । ସେ କହିଲେ ଯେ ତାଙ୍କ ପରିବାର ଉପରେ ଅନେକ ଋଣର ବୋଝ । ସେମାନେ ତାହା ବୋହି ପାରୁନାହାନ୍ତି କି ଶୁଝି ପାରୁନାହାନ୍ତି । ତେଣୁ ସେମାନେ ସମୂହ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । କାର୍ ଭିତରେ ସେମାନେ ମରି ସାରିଛନ୍ତି । ଆଉ ୫ ମିନିଟ ପରେ ସେ ବି ମରିଯିବେ । ଏ କଥା ଶୁଣିବା ପରେ ସ୍ଥାନୀୟ ଲୋକ ଦି\’ ଜଣ ପୋଲିସକୁ ଫୋନ କଲେ । ପୋଲିସ ଆସିବା ପରେ ସେମାନେ କାର୍ ଡୋର୍ ଖୋଲି ଭିତରେ ଥିବା ଲୋକମାନଙ୍କୁ ଉଦ୍ଧାର କରି ମେଡିକାଲ ପଠେଇଲେ । ସେତେବେଳ ଯାଏଁ ବଞ୍ଚି ରହିଥିବା ସେହି ବାହାରେ ବସିଥିବା ଲୋକଙ୍କୁ ବି ମେଡିକାଲ ନିଆଗଲା । କିନ୍ତୁ ଡାକ୍ତରମାନେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍ କାର୍‌ ଭିତରକୁ ଏକ ସୁଇସାଇଡ୍ ନୋଟ୍ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି । ମୃତକମାନେ ହେଉଛନ୍ତି ଗୋଟିଏ ପରିବାରର । କାର୍ ବାହାରେ ବସିଥିବା ଲୋକଙ୍କର ନାମ ପ୍ରବୀଣ ମିତ୍ତଲ ବୋଲି ଜଣାପଡ଼ିଛି । ତାଙ୍କର ବୟସ ୪୨ । କାର୍ ଭିତରେ ତାଙ୍କ ବାପ-ମା\’, ସ୍ତ୍ରୀ ଓ ତିନି ଛୁଆ ଥିଲେ । ଛୁଆଙ୍କ ମଧ୍ୟରେ ଜଣେ ପୁଅ ଓ ଦି\’ଜଣ ଝିଅ । ପଞ୍ଚକୁଲା ଡିସିପି ହିମାଦ୍ରୀ କୌଶିକ ଓ ଆଇନଶୃଙ୍ଖଳା ଡିସିପି ଅମିତ ଦହିୟା ଘଟଣାସ୍ଥଳରେ ପହଞ୍ଚି ହତଭାଗ୍ୟ ସାତ ଜଣଙ୍କୁ ହସ୍ପିଟାଲ ପଠାଇଥିଲେ । ସେମାନେ ଏହି ଦୁଃଖଦ ଘଟଣାର ତଦନ୍ତ ଚଳାଇଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ କେଉଁ ବିଷ ତାହ ଜଣାପଡ଼ିବ । ସେହିପରି ପରିବାର ଉପରେ ସତରେ ଋଣ ବୋଝ ଥିଲା ନା ଅନ୍ୟ କୌଣସି କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି ସେ ସଂପର୍କରେ ତଦନ୍ତ ଜାରି ରହିଛି । ସେମାନେ ଆତ୍ମହତ୍ୟା କରିବାକୁ ଡେରାଡୁନରୁ ଦିଲ୍ଲୀ କାହିଁକି ଆସିଲେ ଓ ବାଗେଶ୍ୱର ଧାମରେ ହନୁମାନ କଥା ଆଧ୍ୟାତ୍ମିକ ଅନୁଷ୍ଠାନରେ ଯୋଗଦେବା ପରେ କାହିଁକି ଆତ୍ମହତ୍ୟା କଲେ ସେ ନେଇ ମଧ୍ୟ ତଦନ୍ତ ହେବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.