ଜୁଲାଇ ୮ ପୂର୍ବରୁ ଆମେରିକା ସହିତ ବାଣିଜ୍ୟ ଚୁକ୍ତ

0 60

ନୂଆଦିଲ୍ଲୀ, : ଭାରତ ଏବଂ ଆମେରିକା ମଧ୍ୟରେ ଜୁଲାଇ ୮ ପୂର୍ବରୁ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ହୋଇପାରେ । ଦୁଇ ଦେଶ ମଧ୍ୟରେ ଆଲୋଚନାରେ ଭାରତ ୧୦% ମୂଳ ଶୁଳ୍କ ସହିତ ୨୬% ଅତିରିକ୍ତ ଶୁଳ୍କ ହଟାଇବାର ସର୍ତ୍ତ ରଖିଛି । ଏପ୍ରିଲ ୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ୫ ଡଜନ ଦେଶ ଉପରେ ପାରସ୍ପରିକ ଶୁଳ୍କ ଘୋଷଣା କରିଥିଲେ । ସେଥିରେ, ଭାରତ ଉପରେ ୨୬% ଶୁଳ୍କ ଲାଗୁ କରାଯାଇଥିଲା । ତଥାପି, ମାତ୍ର ଗୋଟିଏ ସପ୍ତାହ ପରେ ସେ ପାରସ୍ପରିକ ଶୁଳ୍କକୁ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲେ । ସେହି ଅବଧି ଜୁଲାଇ ୯ରେ ଶେଷ ହେବ । ସମସ୍ତ ଦେଶରୁ ଆମଦାନୀ ଉପରେ ୧୦% ମୂଳ ଶୁଳ୍କ ଲାଗୁ କରାଯାଇଛି । ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଭାରତ ଏହାର କିଛି ସମ୍ବେଦନଶୀଳ କ୍ଷେତ୍ରକୁ ସୁରକ୍ଷା ଦେବାକୁ ଚାହୁଁଛି । କୃଷି ଏବଂ ଦୁଗ୍ଧ ଭଳି କ୍ଷେତ୍ର ପାଇଁ ଆମଦାନୀ କୋଟା
କିମ୍ବା ସର୍ବନିମ୍ନ ଆମଦାନୀ ମୂଲ୍ୟ (ଏମ୍‌ଆଇପି) ଲାଗୁ କରାଯାଇପାରେ । କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ସମ୍ପ୍ରତି ବାଣିଜ୍ୟ ଆଲୋଚନା (ଭାରତ- ଆମେରିକା ବାଣିଜ୍ୟ ଆଲୋଚନା) ପାଇଁ ୱାଶିଣ୍ଟନରେ ଥିଲେ । ସେଠାରେ ସେ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଏବଂ ଆମେରିକାର ବାଣିଜ୍ୟ ପ୍ରତିନିଧି (ୟୁଏସଟିଆର୍‌) ଜାମିସନ ଗ୍ରୀୟରଙ୍କୁ ଭେଟିଥିଲେ । ଜଣେ ଅଧିକାରୀଙ୍କ ଅନୁଯାୟୀ, ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା (ବିଟିଏ) ଉପରେ ଆଲୋଚନା ସକାରାତ୍ମକ ଦିଗରେ ଚାଲିଛ । ଆମର ପ୍ରୟାସ ହେଉଛି ୮ ଜୁଲାଇ ପୂର୍ବରୁ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି କରିବା । ଆମେ ଏହା ମଧ୍ୟ ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରୁଛୁ ଯେ ଭାରତ ଉପରେ ୧୦% ମୂଳ ଶୁଳ୍କ ଏବଂ ୨୬% ଅତିରିକ୍ତ ଶୁଳ୍କ ଲାଗୁ ନ ହୁଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବା ପାଇଁ ଆମେରିକା ଗସ୍ତରେ
ଯାଇଥିବାବେଳେ ଉଭୟ ଦେଶ ମଧ୍ୟରେ ଚଳିତବର୍ଷ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବାଣିଜ୍ୟ ଚୁକ୍ତି (ଦ୍ୱିପାକ୍ଷିକ ସମ୍ପର୍କ) ଚୂଡ଼ାନ୍ତ କରିବା ଏବଂ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୫୦୦ ବିଲିୟନ ଡଲାରକୁ ନେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଭାରତ ଶ୍ରମକେନ୍ଦ୍ରୀୟ କ୍ଷେତ୍ରଗୁଡ଼ିକ ପାଇଁ ଶୁଳ୍କ ଛାଡ଼ ଚାହୁଁଛି । ଏଥିରେ ବସ୍ତ୍ର ଏବଂ ପୋଷାକ, ମଣି ଏବଂ ଅଳଙ୍କାର, ଚମଡା ସାମଗ୍ରୀ, ପ୍ଲାଷ୍ଟିକ୍‌, ରାସାୟନିକ ପଦାର୍ଥ, ଚିଙ୍ଗୁଡ଼ି, ତୈଳବୀଜ, ଅଙ୍ଗୁର ଏବଂ କଦଳୀ
ଅନ୍ତର୍ଭୁକ୍ତ । ଅନ୍ୟପକ୍ଷରେ, ଆମେରିକା କିଛି ଶିଳ୍ପ ସାମଗ୍ରୀ, ଅଟୋମୋବାଇଲ୍‌ (ବିଶେଷକରିଇଭି), ମଦ, ପେଟ୍ରୋଲିୟମ୍ ଉତ୍ପାଦ, ଖାଦ୍ୟ ଏବଂ ଜିଏମ୍ ଉତ୍ପାଦ ଯେପରିକି କ୍ଷୀର, ସେଓ ଏବଂ ଶୁଖିଲା ଫଳ ପାଇଁ ଛାଡ଼ ଚାହୁଁଛି । ଭାରତରେ ଜିଏମ୍ ଖାଦ୍ୟ ଆମଦାନୀ ନିଷିଦ୍ଧ । ଆମେରିକା ଗତ ଚାରି ବର୍ଷ ଧରି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ରହିଆସିଛି । ୨୦୨୪-୨୫ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ୧୩୧.୮୪ ବିଲିୟନ ଡଲାର ଥିଲା । ଭାରତ ଏହାର ରପ୍ତାନୀର ୧୮% ଆମେରିକାକୁ ରପ୍ତାନି କରିଥାଏ, ଯେତେବେଳେ କି ଆମଦାନୀରେ ଏହାର ଅଂଶ ୬.୨୨% । ଭାରତ ଆମେରିକା ସହିତ ଏକ ବାଣିଜ୍ୟ ବଳକା ସ୍ଥିତିରେ ଅଛି ।

Leave A Reply

Your email address will not be published.