ଟ୍ରମ୍ପଙ୍କ ୨୫ପ୍ରତିଶତ ଶୁଳ୍କ ପ୍ରଭାବ : ଭାରତର ୩୧ ବିଲିଅନ୍ ଡଲାର ରପ୍ତାନି କମିବ

0 134

ନୂଆଦିଲ୍ଲୀ,: ଆମେରିକା ରାଷ୍ଟ୍ରପତି ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶଉପରେ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି । ଏପ୍ରିଲ ୨ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯିବ । ଟ୍ରମ୍ପ ପାଲଟା ଶୁଳ୍କ ଘୋଷଣା କରିବା ପରଠାରୁ ବିଶ୍ୱ ବାଣିଜ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଏଭଳି ସ୍ଥିତିରେ ଏମ୍‌କେ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଆକଳନ କରାଯାଇଛି ଯେ ଯଦି ପାଲଟା ଶୁଳ୍କକୁ ୧୦ ପ୍ରତିଶତରେ ଧାର୍ଯ୍ୟ କରାଯାଏ ତାହେଲେ ଭାରତର ରପ୍ତାନି ୬ ବିଲିଅନ ଡଲାର (ମୋଟ ଜିଡିପିର ୦.୬ ପ୍ରତିଶତ) କମିଯିବ । ଯଦି ଆମେରିକା ୨୫ ପ୍ରତିଶତ ଶୁଳ୍କ ଲାଗୁକରେ ତାହେଲେ ଏହାର ପ୍ରଭାବରେ ଭାରତର ୩୧ ବିଲିଅନ ଡଲାର ମୂଲ୍ୟର ରପ୍ତାନି ବାଧାପ୍ରାପ୍ତ ହେବ । ଯଦିଓ ପାଲଟା ଶୁଳ୍କକୁ ଆମେରିକା କିଭଳି କାର୍ଯ୍ୟକାରୀ କରିବ ତାହା ଅସ୍ପଷ୍ଟ ରହିଛି ତଥାପି ଭାରତ ଉପରେ ଏହାର ବଡ଼ଧରଣର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଇଛି । ଆମେରିକା ଭାରତର ଏକ ବଡ଼ ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ରୀୟ ଆମେରିକାର ପାଲଟା ଶୁଳ୍କ ଲାଗୁ ହେବା ପରେ ଭାରତର ପୋଷାକ, ମୂଲ୍ୟବାନ ପ୍ରସ୍ତର ଏବଂ ଗହଣା ଆଦି ଶିଳ୍ପ ଅଧିକ ମାତ୍ରାରେ କ୍ଷତି ସହିବ । ଏଥିସହିତ ସଂପୂର୍ଣ୍ଣ ଭାବେ ଆସେମ୍ବଲ ହୋଇଥିବା ଗାଡ଼ି ଉପରେ ଏପ୍ରିଲ ୩ରୁ ଆମେରିକା ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବ । ସେହିଭଳି ଅଟୋମୋବାଇଲ
ଉପକରଣ ଉପରେ ମେ ୩ ରୁ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ ହେବ । ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଅଟୋମୋବାଇଲ ଉପକରଣ ଶିଳ୍ପ ଉପରେ ଆମେରିକାଶୁଳ୍କ ଲାଗୁ କଲେ ଏହାର ପ୍ରଭାବ କେତେ ରହିବ ତାହାର ଆକଳନ ଆରମ୍ଭ ହୋଇଯାଇଛି । ସରକାର ଏ ସଂପର୍କରେ ଅଟୋ ଉପକରଣ ଶିଳ୍ପଠାରୁ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଛନ୍ତି । ଆମେରିକାକୁ ଭାରତ ପାଖାପାଖି ୬.୭୯ ବିଲିଅନ ଡଲାର ମୂଲ୍ୟ କାର ଉପକରଣ ରପ୍ତାନି କରିଥାଏ । ତେଣୁ ଏହା ଉପରେ ବଡ଼ଧରଣର ପ୍ରଭାବ ପଡ଼ିବ । ନିକଟରେ ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ଆଲୋଚନାରେ ନୂଆଦିଲ୍ଲୀ ଅନେକ ଆମେରିକୀୟ ଆମଦାନୀ ଉପରେ ଶୁଳ୍କ ହ୍ରାସ କରିବାକୁ ରାଜି ହୋଇଛି । ଏହାହେଲେ ପରିସ୍ଥିତିରେ କିଛି ପରିବର୍ତ୍ତନ ହୋଇପାରେ ।

Leave A Reply

Your email address will not be published.