ମସ୍କୋ, : ମେ\’୯ ତାରିଖରେ ଜର୍ମାନୀ ବିପକ୍ଷରେ ବିଜୟର ୮୦ତମ ବାର୍ଷିକୀ ପାଳନ ପାଇଁ ରୁଷିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । ରୁଷିଆ ଉପ-ବୈଦେଶିକ ମନ୍ତ୍ରୀ ଆଣ୍ଟ୍ରେ ରୁଡେଙ୍କୋ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରୁଷିଆ ଆଶା କରୁଛି, ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷର ବିଜୟ ଦିବସ ପରେଡରେ ଯୋଗଦେବେ । ଏକ ରୁଷିଆନ ଖବର ସଂସ୍ଥାର ରିପୋର୍ଟ ଅନୁଯାୟୀ, ରୁଡେଙ୍କୋ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ନିମନ୍ତ୍ରଣ ପଠାଯାଇଛି ଏବଂ ତାଙ୍କର ସମ୍ଭାବ୍ୟ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି । ଚଳିତ ବର୍ଷ ବିଜୟ ଦିବସ ପରେଡରେ ରୁଷିଆ ଅନେକ ବନ୍ଧୁତ୍ୱପୂର୍ଣ୍ଣ ଦେଶର ମୁଖ୍ୟଙ୍କୁ ନିମନ୍ତ୍ରଣ କରିଛି । ମସ୍କୋରେ ମେ\’୯ ତାରିଖରେ ବିଜୟ ଦିବସ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷିଆ ନିମନ୍ତ୍ରଣ କରିଛି । ଭାରତ ସମେତ ଅନେକ ଦେଶର ନେତାମାନେ ରେଡ ସ୍କୋୟାର ପରେଡରେ ଅଂଶଗ୍ରହଣ କରିବେ । ୧୯୪୫ ମସିହାରେ ଜର୍ମାନୀ ଉପରେ ସୋଭିଏତ୍ ୟୁନିଅନର ବିଜୟକୁ ମନେ ପକାଇ ପ୍ରତିବର୍ଷ ୯ ମେ\’ରେ ରୁଷିଆ \’ବିଜୟ ଦିବସ\’ ପାଳନ କରିଥାଏ । ଏହି ଦିନଟି ରୁଷିଆ ପାଇଁ ଗର୍ବ ୧୯୪୫ରେ, ସୋଭିଏତ୍ ସେନା ଜର୍ମାନୀ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଥିଲା । ଯାହାର ଫଳସ୍ୱରୂପ ୯ ମେ\’ରେ, ଜର୍ମାନ ସେନାର ସେନାପତି ନିଃସର୍ତ୍ତ ଆତ୍ମସମର୍ପଣର ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହା ସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ହୋଇଥିଲା । ଏହି ଐତିହାସିକ ଦିବସ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କୁ ନିମନ୍ତ୍ରଣ କରିବା ମସ୍କୋର ଏକ ବିଶେଷ ପରମ୍ପରା ରହିଆସିଛି । ପୂର୍ବରୁ ୨୦୧୯ ମସିହାରେ, ସେ ରୁଷିଆର ଭ୍ଲାଡିଭୋଷ୍ଟକ୍ ସହର ଗସ୍ତ କରିଥିଲେ, ଯେଉଁଠାରେ ସେ ଏକ ଅର୍ଥନୈତିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ପ୍ରାୟ ପାଞ୍ଚ ବର୍ଷ ପରେ ଜୁଲାଇ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷିଆ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ, ଯାହାକୁ ପୁଟିନ ଗ୍ରହଣ କରିଛନ୍ତି । ତଥାପି, ତାଙ୍କର ଭାରତ ଗସ୍ତ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ମୋଦୀ ଏବଂ ପୁଟିନ୍ଙ୍କ ମଧ୍ୟରେ ନିରନ୍ତର ଆଲୋଚନା ଚାଲିଛି । ସେମାନେ ପ୍ରତି ଦୁଇ ମାସରେ ଫୋନରେ କଥା ହୁଅନ୍ତି ଏବଂ ଅନ୍ତର୍ଜାତୀୟ ସମ୍ମିଳନୀରେ ଭେଟ ମଧ୍ୟ ହୁଅନ୍ତି । ବିଜୟ ଦିବସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷିଆର ନିମନ୍ତ୍ରଣ ଏହି କଥାର ସଙ୍କେତ ଦେଉଛି ଯେ, ରୁଷିଆ ଏବେ ବି ଭାରତକୁ ନିଜର ନିର୍ଭରଯୋଗ୍ୟ ଏବଂ ରଣନୈତିକ ସହଯୋଗୀ ଭାବରେ ବିବେଚନା କରୁଛି । ବିଶ୍ୱ ରାଜନୀତିରେ ବିଭିନ୍ନ ଗୋଷ୍ଠୀ ଏବଂ ମେରୁ ଉଭା ହେଉଥିବା ସମୟରେ, ଭାରତ ଏବଂ ରୁଷିଆ ମଧ୍ୟରେ ନିରନ୍ତର ଘନିଷ୍ଠତା ବିଶ୍ୱ ସନ୍ତୁଳନ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି କୂଟନେତିଜ୍ଞ ମତପୋଷଣ କରିଛନ୍ତି ।