ନୂଆଦିଲ୍ଲୀ,: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଯେ, ଓଡ଼ିଶା ପାଇଁ ରେଳ ବଜେଟରେ ୧୦, ୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗତ ୧୦ ବର୍ଷ ଭିତରେ ଓଡିଶାରେ ୨ହଜାର୪୬ କିଲୋମିଟର ରେଲୱେ ଟ୍ରାକ୍ ତିଆରି ହୋଇଛି । ଯାହାକି ମ୍ୟାଲେସିଆ ଦେଶର ରେଳ ନେଟୱାର୍କ ଠାରୁ ଅଧିକ । ଆଗରୁ ଏତେ ରେଳ ନେଟୱାର୍କ ନ ଥିଲା ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଛି । ଏହାସହ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି । ରାଜ୍ୟରେ ୫୯ ରେଳ ଷ୍ଟେସନର ନବୀକରଣ ହେଉଛି । ଆଗକୁ ଅଧିକ ଟ୍ରେନ ଓଡ଼ିଶାରେ ଗଡିବାର ଯୋଜନା ରହିଛି । ସେହିପରି ରାଜ୍ୟରେ ୧୯୦୦ କିଲୋମିଟରର କବଚ କାର୍ଯ୍ୟ ଜାରି ରହିଛି ବୋଲି ରେଳମନ୍ତ୍ରୀ କହିଛନ୍ତି । କବଚ କାର୍ଯ୍ୟ ଆସନ୍ତା ୬ ବର୍ଷ ମଧ୍ୟରେ ଶେଷ ହେବ । ଓଡ଼ିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ କରାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ଏହା ଅନ୍ତର୍ଗତ ଅମୃତ ଷ୍ଟେସନ ପାଇଁ ୨ ହଜାର ୩୭୯ କୋଟି ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଓଡ଼ିଶାକୁ ବଜେଟରେ ୨୦ ହଜାର କୋଟି ଟଙ୍କା ମିଳିଛି । ସେଥିମଧ୍ୟରୁ ୧୦,୫୯୯ କୋଟି ଟଙ୍କା ରେଳ ବିଭାଗକୁ ମିଳିଛି । ଗତ କଂଗ୍ରେସ ସରକାର ସମୟରେ ୨୦୦୯-୧୪ ମଧ୍ୟରେ ଏହା ୮୩୮ କୋଟି ଥିଲା । ଏହା ବର୍ତ୍ତମାନ ୧୨.୫ ଗୁଣା ଅଧିକ
ରହିଛି । ଡବଲ ଇଞ୍ଜିନ ସରକାରରେ କାମ ଆହୁରି ଅଧିକ ବେଗରେ ଚାଲିଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି । ୨୦୦୯ରୁ ୨୦୧୪ ମଧ୍ୟରେ ରାଜ୍ୟରେ ମାତ୍ର ୫୩ଟି ନୂଆ ଟ୍ରାକ୍ ନିର୍ମାଣ ହୋଇଥିବାବେଳେ ମୋଦୀ ସରକାରରେ ୧୮୬ଟି ନୂତନ ଟ୍ରାକ୍ ନିର୍ମାଣ କରାଯାଇଛି, ଯାହାକି ସାଢ଼େ ୩ ଗୁଣା ଅଧିକ ରହିଛି । ସେହିପରି କଂଗ୍ରେସ ସରକାରରେ ୨୯ଟିରେ
ବୈଦ୍ୟୁତିକରଣ ହୋଇଥିବାବେଳେ ବିଜେପି ସରକାର ଅମଳରେ ୧୩୮ଟି ବୈଦ୍ୟୁତିକ କରଣ ହୋଇଛି, ଯାହାକି
ସାଢ଼େ ୪ ଗୁଣା ଅଧିକ । ଓଡ଼ିଶାରେ ୧୫୧୬ କିଲୋମିଟର ଅର୍ଥାତ୍ ଶତ ପ୍ରତିଶତ ବୈଦ୍ୟୁତିକ କରଣ ହୋଇଛି ।
୭୩, ୭୨୩ କୋଟି ଟଙ୍କାର ବିନିଯୋଗରେ ୪, ୭୮୪ କିଲୋମିଟର ବିଶିଷ୍ଟ ୪୮ଟି ପ୍ରକଳ୍ପର କାମ ଚାଲୁ ରହିଛି । ସେହିପରି ୧୭ ଜିଲ୍ଲାରେ ସ୍ୱତନ୍ତ୍ର ଅଟକିବା ସ୍ଥାନ (ଷ୍ଟପେଜ୍) ରହିଛି । ୨୦୧୪ ମସିହା ଠାରୁ ୫୨୨ଟି ଫ୍ଲାଏ ଓଭର ଏବଂ
ଅଣ୍ଡର୍ ବ୍ରିଜ୍ କାମ ଜାରି ରହିଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।
ରେଳବଜେଟରେ ଓଡ଼ିଶା ପାଇଁ ୧୦,୫୯୯ କୋଟିର ବ୍ୟୟବରାଦ
Prev Post
Next Post