ଆଜି ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା

0 42

ଭୁବନେଶ୍ୱର,: ଶୁକ୍ରବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସିଧା କଟକ ଯାଇ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତର ମେଗା କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ । ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟଅତିଥି ଭାବେ ଯୋଗଦେବେ । କଟକକୁ ଛାଡ଼ି ଆଉ ୧୨ ଜିଲ୍ଲାରେ ମଧ୍ୟ ଆୟୁଷ୍ମାନ ଭାରତର ଶୁଭାରମ୍ଭ ଉତ୍ସବ ହେବ । ଏହା ପରେ କଟକ ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନଷ୍ଟିଟ୍ୟୁଟ ଅଫ ପେଡିଆଟ୍ରିକ୍ସ ନୂଆ ବିଲ୍ଡିଂର ଲୋକାର୍ପଣ କରିବେ । ସେହିପରି ସିପେଟ୍ ଏବଂ ଭୁବନେଶ୍ୱର ଏମ୍ସକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି । ଶନିବାର ଅର୍ଥାତ ୧୨ ତାରିଖରେ ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବେ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଶନିବାର ସକାଳେ ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ୍ କରିବେ । ୧୨ ତାରିଖ ସନ୍ଧ୍ୟାରୁ ୧୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବିଧାୟକ ଏବଂ ସାଂସଦମାନଙ୍କ ଚାଲିବ ପ୍ରଶିକ୍ଷଣ ଶିବିର । ପ୍ରଶିକ୍ଷଣ ଶିବିରରେ ଦଳର ସମସ୍ତ ୧୦୪ ବିଧାୟକ ଏବଂ ସାଂସଦ ଯୋଗ ଦେବେ । ପ୍ରଶିକ୍ଷଣ ଶିବିରରେ ବିଧାୟକ, ସାସଂଦ ଠାରୁ ଆରମ୍ଭ କରି ଦଳର ନେତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେ ଗୁରୁମନ୍ତ୍ର । ଦୀର୍ଘବର୍ଷର ଅପେକ୍ଷା ପରେ ଏହି ବହୁ ପ୍ରତୀକ୍ଷିତ କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଲାଗୁ ହେବାକୁ ଯାଉଛି । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହେବ । ଉଭୟ ସ୍ୱାସ୍ଥ୍ୟ ଯୋଜନାରେ ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ । ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ । ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲରେ ଏହି ଯୋଜନାରେ ଚିକିତ୍ସା ସୁବିଧା ମିଳିପାରିବ । ଦୁଇ ଯୋଜନା ଲାଗୁ ହେବା ପରେ ଆଉ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ଯୋଡ଼ି ହେବେ । ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା ଲାଗୁ କରାଯିବ । ସେମାନଙ୍କ ପରିବାରକୁ ସର୍ବାଧିକ ୧୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ଯୋଜନା ଶୁଭାରମ୍ଭ ପାଇଁ ରାଜ୍ୟର ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ । ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ ସଚେଚନତା ଅଭିଯାନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.