କେନ୍ଦୁଝର,: କେନ୍ଦୁଝର ସାଂସଦ ଅନନ୍ତ ନାୟକ ଆଜି ଲୋକସଭାରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବଡିଭିଜନରେ ରେଳ ସଂଯୋଗୀକରଣ ନ ଥିବା ପ୍ରସଙ୍ଗ ଉଠାଇ ଆନନ୍ଦପୁରକୁ ରେଳ ଲାଇନ ସହ ଯୋଡିବାକୁ ଦାବି କରିଛନ୍ତି । ସେ ନିୟମ ୩୭୭ ଅନୁସାରେ ଏହି ପ୍ରସଙ୍ଗ ଉଠାଇ ଏହି ଦାବି କରିଛନ୍ତି । ଆନନ୍ଦପୁରକୁ ରେଳ ସଂଯୋଗୀକରଣ କରା ଗଲେ ଏହି ଅଞ୍ଚଳରେ ଶିଳ୍ପର ବିକାଶ ହେବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହେବ ବୋଲି ଶ୍ରୀ ନାୟକ କହିଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ, ଜନଜାତିବର୍ଗର ଜନସଂଖ୍ୟା ବହୁଳ ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବଡିଭିଜନ ଅଞ୍ଚଳରେ ଆଜି ଯାଏ ରେଳ ସଂଯୋଗୀକରଣ ହୋଇ ପାରି ନାହିଁ । ଏହି ଅଞ୍ଚଳକୁ ରେଳ ସଂଯୋଗୀକରଣ କରିବାକୁ ସ୍ଥାନୀୟ ସ୍ତରରେ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ରେଳ ସଂଯୋଗୀକରଣ ନ ଥିବା କାରଣରୁ ଆନନ୍ଦପୁର ଅଞ୍ଚଳରେ ଶିଳ୍ପ ସଂସ୍ଥା ସ୍ଥାପିତ ହୋଇ ପାରୁ ନାହିଁ । ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ବେକାରୀ ସମସ୍ୟାରେ ବୃଦ୍ଧି ହେବାରେ ଲାଗିଛି । କେନ୍ଦୁଝର ଜିଲ୍ଲାରେ ଲୌହ, ମାଙ୍ଗାନିଜ ଓ କ୍ରୋମାଇଟ ଖଣିଜ ସମ୍ପଦ ଥିବା ରାଜ୍ୟ ଓ ଦେଶର ଅର୍ଥନୀତିରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଥିବା ସତ୍ତ୍ୱେ ଆନନ୍ଦପୁର ଅଞ୍ଚଳରେ ଶିଳ୍ପ ସ୍ଥାପିତ ହୋଇପାରୁ ନାହିଁ । ଶ୍ରୀ ନାୟକ ହରିଚନ୍ଦନପୁରରୁ ଧାମରା ଯାଏ ରେଳବାଇ ଟ୍ରାକ୍ର ନିର୍ମାଣ କରାଯିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ଖଣିଜ ପରିବହନ ସୁବିଧାରେ ହୋଇ ପାରିବ । ସେ କହିଛନ୍ତି ଯେ ଏପରି କରାଗଲେ
ଏହି ଅଞ୍ଚଳରେ ଶିଳ୍ପ ଓ ପର୍ଯ୍ୟଟନର ବିକାଶ ହୋଇ ପାରିବ । ପ୍ରସ୍ତାବିତ ରେଳ ଲାଇନ କେବଳ ଯେ ଏହି ଅଞ୍ଚଳରେ ଶିଳ୍ପକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ସ୍ଥାନୀୟ ଲୋକମାନଙ୍କୁ ରୋଜଗାରର ସୁଯୋଗ ମଧ୍ୟ ପ୍ରଦାନ କରିବ ବୋଲି ସେ କହିଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ ଏହି ଅଞ୍ଚଳରେ ପର୍ଯ୍ୟଟନର ପ୍ରବଳ ସମ୍ଭବନା ରହିଛି । ଘଟଗାଁ ମା ତାରିଣୀ ମନ୍ଦିର, ଗୁଣ୍ଡି·ଘାଘି ଜଳ ପ୍ରପାତ, ଦରଗୁଡିଶିଳା ପିକନିକ ସ୍ଥଳ, ହଦଗଡ
ଇକୋ ଟୁରିଜମ କେନ୍ଦ୍ର, ଚକ୍ରତୀର୍ଥ ଗୁମ୍ଫା ଓ ଗଡଚଣ୍ଡୀ ମନ୍ଦିର ଭଳି ପ୍ରମୁଖ ଆକର୍ଷଣର କେନ୍ଦ୍ର ରହିଛି । ହେଲେ ପର୍ଯ୍ୟାପ୍ତ ପରିବହନ ବ୍ୟବସ୍ଥା ଅଭାବରେ ପର୍ଯଟକ ମାନେ ଏହି ସ୍ଥାନ ଗୁଡିକୁ ପହଞ୍ଚି ପାରୁ ନାହାନ୍ତି । ତେଣୁ ରେଳବାଇ ସଂଯୋଗୀକରଣ ହେଲେ ପରିବହନ ସୁବିଧା ହେବା ସହ ଏହି ପର୍ଯଟନ ସ୍ଥଳ ଗୁଡିକର ବିକାଶ ହେବ ଓ ଅଧିକରୁ ଅଧିକ ପର୍ଯ୍ୟଟକମାନେ ଆସି ପାରିବେ ଓ ଏହି ଅଞ୍ଚଳର ଆର୍ଥିକ ବିକାଶ ହେବ
ବୋଲି ସେ କହିଛନ୍ତି ।
ଆନନ୍ଦପୁରକୁ ରେଳ ସଂଯୋଗ କରାଯିବାକୁ ଲୋକସଭାରେ ଦାବି ଉଠାଇଲେ ସାଂସଦ
Next Post