ଭୁବନେଶ୍ୱର,: ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ବୁଧବାର ଆରମ୍ଭ ହୋଇଛି । ଏହି ତ୍ରି- ଦିବସୀୟ ସମ୍ମିଳନୀର ପ୍ରଥମ ଦିନ ଯୁବ ପ୍ରବାସୀ ଭାରତୀୟ ଦିବସ ମହାସମାରୋହ ରେ ଉଦଘାଟିତ ହୋଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ସାଙ୍ଗକୁ ମନ୍ତ୍ରଧ୍ୱନି ମୁଖରିତ ପରିବେଶରେ ଆୟୋଜିତ ଏହି ଉଦଘାଟନ
ପର୍ବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ୍ .ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ଏଲ୍. ମାଣ୍ଡବ୍ୟ, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖାଡସେ, ନ୍ୟୁଜ୍ ୱିକ୍ (ଆମେରିକା)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ଦେବ ପ୍ରଗଡ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ କରି କହିଲେ ଯେ, ଭୁବନେଶ୍ୱରରେ ପ୍ରଥମଥର ପାଇଁ ଅନୁଷ୍ଠିତ ଏହି ସମାରୋହ ଆମ ପାଇଁ ଜୀବନର ଏକ ଅଭୁଲା ସ୍ମୃତି
ହୋଇ ରହିବ ଓ ଆଗାମୀ ଦିନରେ ସମ୍ପର୍କର ସେତୁ ଆହୁରି ସୁଦୃଢ ହେବ । ଏହି ଦିବସ ଆୟୋଜନ ମାଧ୍ୟମରେ ଆମେ ବିଶ୍ୱର ୨୦୦ଟି ଦେଶରେ ରହୁଥିବା ୩୦ ନିୟୁତରୁ ଅଧିକ ଭାରତୀୟଙ୍କ ଅସାଧାରଣ ଅବଦାନ ପାଇଁ ଖୁସି ବ୍ୟକ୍ତ କରୁଛୁ । ପ୍ରବାସୀ ଭାରତୀୟମାନେ ଆମର ସାଂସ୍କୃତିକ ରାଜଦୂତ ଓ ସେମାନେ ସବୁଠାରେ ଭାରତର ଗୌରବକୁ ପ୍ରତିଫଳିତ କରୁଛନ୍ତି । ବିଦେଶରେ ସେମାନଙ୍କ ଉତ୍କର୍ଷରେ ଆମ୍ଭେମାନେ ଗର୍ବିତ । ପ୍ରବାସୀ ଭାରତୀୟମାନେ ବିଜ୍ଞାନ ଓ କାରିଗରୀ,
ବୈଶ୍ୱିକ ସହଯୋଗ ଓ ସରକାରୀ ନୀତି ନିର୍ଦ୍ଧାରଣରେ ସେମାନଙ୍କ ସଫଳତା ପ୍ରଦର୍ଶନ କରିଆସିଛନ୍ତି ବୋଲି ଉଲେଖ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି ମଧ୍ୟ କହିଲେ ଯେ, ଉଦ୍ୟୋଗ ପତି ଗୋପୀଚାନ୍ଦ ହିନ୍ଦୁଜା ଓ ଏଲଏନ୍, ମିତ୍ତଲ, କର୍ପୋରେଟ ଲିଡର ଇନ୍ଦିରା ନୁୟୀ, ସୁନ୍ଦର ପିଚାଇ ଓ ସତ୍ୟ ନାଡେଲା, ବୈଜ୍ଞାନିକ ଭେଙ୍କଟ ରାମକ୍ରୀଷ୍ଣନ୍ ଏବଂ ଫେସନ ଡିଜାଇନର ବିଭୁ ମହାପାତ୍ରଙ୍କ ପରି ବ୍ୟକ୍ତିତ୍ୱବୃନ୍ଦ ବିଶ୍ୱ ସ୍ତରରେ ଭାରତର ଗୌରବ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ଆମନ୍ତ୍ରଣ ଜଣାଇ କହିଲେ ଯେ ଓଡ଼ିଶାରେ ଟେକ୍ନୋଲୋଜି, ଅକ୍ଷୟ ଶକ୍ତି, ଭିତ୍ତିଭୂମି ବିକାଶ, ଶିକ୍ଷା ଓ ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଏ ସବୁରେ ପୁଞ୍ଜି ନିବେଶ, ସହଭାଗିତା ସାଙ୍ଗକୁ ଓଡ଼ିଶା ସହିତ ସାସ୍କୃତିକ ବିନିମୟରେ ଯୋଡ଼ି ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ ।
ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ୨୦୨୫
Prev Post