ଉତ୍କଳ ସମ୍ମିଳନୀର ୧୨୧ ତମ ପ୍ରତିଷ୍ଠା ଦିବସ ପାଳନ

0 152

କଲଣ/ଯାଜପୁର ତାରିଖ ୩୦/୧୨–
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅଗ୍ରଦୂତ ‘ଉତ୍କଳ ସମ୍ମିଳନୀ’ର ୧୨୧ ତମ ପ୍ରତିଷ୍ଠା ଦିବସ କଲଣସ୍ଥିତ ମଧୁପୁର ମହାବିଦ୍ୟାଳୟରେ ପ୍ରବଳ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଅଛି। ସାମାଜିକ ଅନୁଷ୍ଠାନ ‘ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ’ ଓ ଉତ୍କଳ ସ୍ଵାଭିମାନ ମଞ୍ଚର ମିଳିତ ଉଦ୍ୟମରେ ଏହି ସ୍ମାରକୀ ଦିବସକୁ ଉଦଘାଟନ କରିଥିଲେ ଧର୍ମଶାଳା ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ।

ଏହି ସାଂସ୍କୃତିକ ଉତ୍ସବର ବିଷୟବସ୍ତୁ “ଓଡିଆ ଅସ୍ମିତା ଓ କୁଳବୃଦ୍ଧ ମଧୁସୂଦନ” ଆଲୋଚନାଚକ୍ରକୁ ଉଦଘାଟନ କରି ମଧୁପୁର ଗଡ଼ଜାତର ରାଜମାତା ଅପର୍ଣ୍ଣା ଧୀର ନରେନ୍ଦ୍ର ସିଂ ଓଡ଼ିଆର ସ୍ଵାଭିମାନ ଓ ଏକଦା କୁଳବୃଦ୍ଧ ମଧୁସୂଦନ ଦାସଙ୍କ ସହ ମଧୁପୁରର ଆଦର୍ଶ ରାଜନ ବୀରବର ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ରଙ୍କ ସମ୍ପର୍କ, ଲୋକ ହିତକର କାର୍ଯ୍ୟକ୍ରମ ଉପରେ ବିଶଦ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଉତ୍କଳ ସ୍ଵାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ କୁଳବୃଦ୍ଧ ହିଁ ଓଡ଼ିଆ ଅସ୍ମିତାର ଧାରକ, ବାହକ ଓ ପ୍ରଚାରକ ବୋଲି ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରିଥିଲେ। ଏହି ସଭାରେ ସଭାପତିତ୍ବ କରିଥିଲେ ମଧୁପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ଦାସ।

‘ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ’ର ଅନ୍ୟତମ ସଦସ୍ୟ ଶ୍ରୀମାନ ଅମୃତେଶ ଖଟୁଆ ସଂଯୋଜକ ଭାବେ ଯୋଗଦେଇ ଅସ୍ମିତାର ବିଶଦ ବ୍ୟାଖ୍ୟା ସହ ମଧୁସୂଦନଙ୍କ ଜୀବନାଦର୍ଶ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ସତ୍ୟପ୍ରିୟ ସାହୁ ଉପସ୍ଥିତ ଛାତ୍ରଛାତ୍ରୀ ଓ ସଭାରେ ଯୋଗ ଦେଇଥିବା ଶ୍ରୋତା ମଣ୍ଡଳୀକୁ ମଧୁବାବୁଙ୍କ ଆଦର୍ଶ ଓ ଓଡ଼ିଆ ଜାତି ପାଇଁ ତାଙ୍କର ଭୂମିକା ଉପରେ ଆଲୋକପାତ କରିବା ସହ ସେହି ଆଦର୍ଶକୁ ପାଥେୟ କରି ଅଗ୍ରସର ହେବାକୁ ନିବେଦନ କରିଥିଲେ।

ଏହି ସାଂସ୍କୃତିକ ଉତ୍ସବରେ ଯାଜପୁର ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଶ୍ରୀ ବିଦ୍ୟାଧର ସାହୁ ଓ ଶ୍ରୀ କୈଳାସ ଚନ୍ଦ୍ର ନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବା ପାଇଁ ଶ୍ରୀମତୀ ମିନତି ସାହୁ, ଶ୍ରୀ ଶଶୀଭୂଷଣ ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ” ଓଡ଼ିଆ ଅସ୍ମିତା ଓ କୁଳବୃଦ୍ଧ ମଧୁସୂଦନ” ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ‘ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ’ ତରଫରୁ ସ୍ଥାନୀୟ ସାତଟି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସେଥିରେ କୃତୀ ବିଦ୍ୟାର୍ଥୀମାନଙ୍କୁ ସମ୍ମାନିତ କରାଯିବା ସହ ଯୋଗ୍ୟତାଭିତ୍ତିକ ପ୍ରମାଣପତ୍ର ପ୍ରଦାନ କରିଥିଲେ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଓ ରାଜମାତା ଅପର୍ଣ୍ଣା ଧୀର ନରେନ୍ଦ୍ର ସିଂହ । ଏଥିରେ ମହାବିଦ୍ୟାଳୟ ଅଧ୍ୟାପିକା, ଅଧ୍ୟାପକ, ସମସ୍ତ କର୍ମଚାରୀ , ଛାତ୍ରଛାତ୍ରୀ, ସରସ୍ବତୀ ଶିଶୁ ମନ୍ଦିରର ବିଦ୍ୟାର୍ଥୀ, ମହାବିଦ୍ୟାଳୟ ପ୍ରାକ୍ତନ ବିଦ୍ୟାର୍ଥୀ, ସ୍ଥାନୀୟ ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସଭା ଶେଷରେ ଅଧ୍ୟାପକ ଡ. ସତ୍ୟପ୍ରିୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସାଂସ୍କୃତିକ ଆଲୋଚନାଚକ୍ର ଶେଷ ହେବାପରେ ସମାଜସେବୀ ଶ୍ରୀମତୀ ମିନତି ସାହୁ , ରାଧାକାନ୍ତ ଦାଶ, ଶଶୀଭୂଷଣ ସାହୁ ଓ ନିରଞ୍ଜନ ସାହୁଙ୍କ ପ୍ରଦତ୍ତ ଉତ୍କଳମଣି ଗୋପବନ୍ଧୁ, ଶହୀଦ ଜୟୀ ରାଜଗୁରୁ, ମା’ ରମାଦେବୀ ଓ ମଧୁପୁର ଇଷ୍ଟେଟର ଆଦର୍ଶ ରାଜନ ବୀରବର ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ରଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା, ଯାହାକୁ ମାନ୍ୟବର ବିଧାୟକ ଲୋକାର୍ପଣ କରିଥିଲେ।

‘ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ’ର ସଭାପତି ନିରଞ୍ଜନ ସାହୁ ଏହି ବର୍ଣ୍ଣାଢ଼୍ୟ ଉତ୍ସବକୁ ପରିଚାଳନା କରିଥିଲାବେଳେ ସହଯୋଗିତା କରିଥିଲେ ଫାଉଣ୍ଡେସନର ଅନ୍ୟତମ ସଦସ୍ୟ ଜ୍ଞାନ ରଞ୍ଜନ ନନ୍ଦ ଓ ଶେଖ୍ ଗୁଲଜାର୍ ହୋସେନ୍ ।

Leave A Reply

Your email address will not be published.