କୋରାପୁଟ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଉତ୍କଳ ଦିବସ ପାଳନ ଅବସରରେ ଏପ୍ରିଲ ପହିଲାରୁ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରିବାକୁ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇ କର୍ମଚାରୀ ମାନେ ପାରମ୍ପରିକ ପରିଧାନ ସହ ଯଥା ସମ୍ଭବ ଓଡ଼ିଆ ଭାଷା ବ୍ୟବହାର ପ୍ରତି ବିଶେଷ ଦୃଷ୍ଟି ଦେଉଛନ୍ତି । ତେବେ ଏହା ମଧ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ “ଫୁ” କରିଛି ଜିଲ୍ଲା ପ୍ରଶାସନ । କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ରାଜସ୍ବ ଉପବିଭାଗ ର ଓଡ଼ିଶା ପ୍ରଶାସନିକ ସେବା (କନିଷ୍ଠ ବର୍ଗ) ଅଧିକାରୀଙ୍କ ନାମଫଳକ ରେ “ଡେପୁଟୀ ଜିଲ୍ଲାପାଳ” (ରାଜସ୍ବ) ଲେଖା ଥିବା ତୃଟି ଦେଖିବାକୁ ମିଳିଛି । “ଡେପୁଟୀ ଜିଲ୍ଲାପାଳ” ଅଧା ଓଡ଼ିଆ ଓ ଅଧା ଇଂରାଜୀ ଭାଷାରେ ଲେଖାଯାଇଛି । ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଖୋଦ୍ ଜିଲ୍ଲା ପ୍ରଶାସନ ଏଭଳି ତୃଟି କରୁଥିବା ବେଳେ ସଧାରଣ ଲୋକଙ୍କ ଉପରେ ଏହାର କି ପ୍ରଭାବ ପଡ଼ିବ ବୋଲି ଆଲୋଚନା ହେଉଛି । ଜିଲ୍ଲା ପ୍ରଶାସନ ଏହାକୁ ତୁରନ୍ତ ସଂଶୋଧନ କରିବାକୁ ସାଧାରଣରେ ଦାବି ହେଉଛି ।