ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦ୍‌ଯାପନ

Inauguration of District Level Anti-Corruption Awareness Week

0 178

ଭଦ୍ରକ, : କ୍ଷମତା, ପଦବୀର ଅପବ୍ୟବହାର କରି ସାର୍ବଜନୀନ ସମ୍ବଳର ଆତ୍ମସାତ୍ କରିବା, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା, ଲାଞ୍ଚ ନେବା, ସରକାରୀ ଅର୍ଥର ଅପଚୟ କି ତୋଷରପାତ କରିବା ଆଜିର ଦିନରେ ସମାଜ ପ୍ରତି ଏକ ନୈତିକ ସଙ୍କଟ ସୃଷ୍ଟି କରିଛି । ଅଳ୍ପ କେତେ ସ୍ୱାର୍ଥନ୍ୱେଷୀ ଲୋକଙ୍କ ଅର୍ଥ ଲାଳସା ସାମୂହିକ ହିତ ପ୍ରତି ଆଞ୍ଚ ଆଣି ସାମାଜିକ ପ୍ରଗତି ବାଧକ ସାଜୁଛି । ଦୁର୍ନୀତି, ବିକାଶ ଏବଂ ସାର୍ବଜନୀନ ସ୍ୱଚ୍ଛତାର ପରମ ଶତ୍ରୁ । ଦୁର୍ନୀତିର ଫଳପ୍ରଦ ମୁକାବିଲା କରାନଗଲେ ଏହାର ବ୍ୟାପକତା ଶାସନ ବ୍ୟବସ୍ଥାରେ ସାଧାରଣ ଜନତାଙ୍କ ଆତ୍ମବିଶ୍ୱାସ ହରାଇ ବସେ ଏବଂ ଏଥିପାଇଁ ଦେଶର ନାଗରିକମାନଙ୍କ ପୂର୍ଣ୍ଣ ସମର୍ଥନ ଏବଂ ଅଂଶ ଗ୍ରହଣ ମଧ୍ୟ ଜରୁରୀ ବୋଲି ଭଦ୍ରକ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲା କାର୍ଯ୍ୟାଳୟ ସଦ୍ ଭାବନା ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସ୍ୱତନ୍ତ୍ର ଅତିଥି ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ସମ୍ମାନିତ ଅତିଥି ଭାବେ ଭିଜିଲାନସ୍ ୟୁନିଟ୍ ବାଲେଶ୍ୱର ଏସ୍‌.ପି. ନରହରି ନାୟକ୍ ପ୍ରମୁଖ ଯୋଗ ଦେଇଥିଲେ । ଦୁର୍ନୀତି ନିବାରଣ ଦିଗରେ ଭିଜିଲାନସ୍‌ ବିଭାଗର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା, ପ୍ରଶାସନିକ ଅଧିକାରୀ, କର୍ମଚାରୀ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସଦସ୍ୟ, ଏପରିକି ଜନସାଧାରଣଙ୍କ ଭୂମିକା ସଂପର୍କରେ ଆଲୋଚନା କରାଯାଇଥିଲା । ଅସତ ଉପାୟରେ ଅର୍ଥଅର୍ଜନର କୁପରିଣାମ ସମ୍ବନ୍ଧରେ ମଧ୍ୟ ସଚେତନ କରାଯାଇଥିଲା । ଏହି ସପ୍ତାହ ପାଳନ ଉପଲକ୍ଷେ ସପ୍ତାହ ଆରମ୍ଭରୁ ଶପଥ ପାଠ, ମିଶନଶକ୍ତି ମହିଳା ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍କୁଲ ପିଲାଙ୍କ ଶୋଭାଯାତ୍ରା, ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ପୁରସ୍କାର ସ୍ୱରୂପ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଓଡ଼ିଆ, ଇଂରାଜୀ ବକ୍ତୃତା, ପ୍ରବନ୍ଧ ଓ ବ୍ୟଙ୍ଗଚିତ୍ର ଓ ନାମକରଣ ପ୍ରତିଯୋଗିତା କରାଯାଇଥିଲା । ରୋଟାରୀ କ୍ଲବ୍‌, ଲାୟନସ୍ କ୍ଲବ୍‌, ରୋଟାରୀ କ୍ଲବ୍ ମିଡ଼୍‌ଟାଉନ୍‌, ସର୍ବୋଦୟ ମଣ୍ଡଳ, ବସ୍ ସିଣ୍ଡିକେଟ୍‌, ବରିଷ୍ଠ ନାଗରିକ ମହାସଂଘ, ପ୍ରଗତି ପାଠକ ସଂଘ, ଗାନ୍ଧି ଓଡ଼ିଶା ବାଳାଶ୍ରମ, ଜିଲ୍ଲା ଓ ବ୍ଲକ୍ ସଂସ୍କୃତି ସଂଘ ଆଦି ଅନୁଷ୍ଠାନର କର୍ମକର୍ତ୍ତା ସଦସ୍ୟ, ମିଶନ ଶକ୍ତି ମହିଳା, କୃତୀ ପ୍ରତିଯୋଗୀମାନଙ୍କ ଅଭିଭାବକ, ଜିଲ୍ଲା ଓ ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ୍‌, ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ ରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିଜିଲାନ୍‌ସ ବିଭାଗର ଭଦ୍ରକ ଡି.ଏସ୍‌.ପି. ବଙ୍କିମ ବାୱାଲି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.