ପହଙ୍ଗା ଘାଟ ଆଳରେ କାଳଖରୁ ବିକ୍ରି ହେଉଛି ବାଲି

0 72

ନିଆଳି,: ସଞ୍ଜ ନଇଁବା କ୍ଷଣି ନଦୀ ପଠାରେ ଟ୍ରକର ଲମ୍ବା ଧାଡ଼ି । ରାତିର ଅନ୍ଧାରରେ ନଦୀର ଗର୍ଭ ଚିରି ମନଇଚ୍ଛା ହେଉଛି ବାଲି ଚୋରି । ସୂର୍ଯ୍ୟକିରଣ ପଡ଼ିବା ପୂର୍ବରୁ ଶହ ଶହ ବାଲି ଚୋରା ଚାଲାଣ କରାଯାଉଛି । ଖଣି ବିଭାଗ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛି କି ନଦୀ ? କଟକ ଜିଲ୍ଲା ନିଆଳି ତହସିଲ ଅଧିନରେ ଥିବା ପହଙ୍ଗା ବାଲି ଘାଟଟି ରାଜ୍ୟ ସରକାରଙ୍କ ପକ୍ଷରୁ ଲିଜ୍ ପାଇଁ ମାନ୍ୟତା ପାଇଥିବା ବେଳେ ଉକ୍ତ ଲିଜଧାରି ଜଣଙ୍କ ନିଜର ସିମାବର୍ତ୍ତୀ ଅଞ୍ଚଳରୁ ବାଲି ଉତ୍ତଳୋନ ନକରି ଏକବରୁଆଁ ପଞ୍ଚାୟତର କାଳଖରୁ ଚାଲିଛି ବେଆଇନ ବାଲି ବିକ୍ରି । କାଳଖ ନଦୀ ପଠାରେ ଗଡା ରାସ୍ତା କରି କଣ୍ଟାପଡ଼ା ଜଳସେଚନ ବିଭାଗ ଅଧିନରେ ଥିବା ନଦୀ ବନ୍ଧକୁ କାଟି ବାଲି ଚୋରା ଚାଲାଣ ନିମନ୍ତେ ରାସ୍ତା ନିର୍ମାଣ କରାଯାଇଛି । ୨୧୦,୨୨୦ ଏସ୍‌ଡ଼ି କୋବେଲକୋର ଶକ୍ତିଶାଳୀ ମେସିନ୍ ଲଗାଇ ଚାଲିଛି ବେଆଇନ ବାଲି ଚୋରି । ରାଜସ୍ୱ୍‌ ବିଭାଗ ହାତରୁ ଖଣି ବିଭାଗ ହାତକୁ ଲଘୁ ଖଣିଜ ସମ୍ପଦ ହସ୍ତାନ୍ତର ପରେ ନିଆଳି ତହସିଲ୍ ଅଞ୍ଚଳରେ ଲୁଟର ପରିମାଣ ବଢ଼ିଥିବା ଅଭିଯୋଗ ହେବା ସହ ରାଜ୍ୟରେ ଖଣି ଲୁଟ ପ୍ରମ୍ମୁଖ ପ୍ରସଙ୍ଗ ହେଇଛି । ଲିଜଧାରୀ ଜଣଙ୍କ ଉଚ୍ଚତମ ନ୍ୟାୟାଳୟଙ୍କ ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ନଜରକୁ ଆସିଛି । ବାଲି ଘାଟରୁ ସର୍ବାଧିକ ୨-୩ ଫୁଟର ଗର୍ତ୍ତ କରି ବାଲି ଉଠାଇବାର ପ୍ରାବଧାନ ଥିବା ସତ୍ତ୍ୱେ ଲିଜଧାରି ୬-୭ଫୁଟର ଗର୍ତ୍ତ କରି ଜୋରଦାର ବାଲି ଖନନ କରୁଛନ୍ତି । ସରକାରଙ୍କ ଗାଇଡ୍ ଲାଇନ ଅନୁସାରେ ବ୍ରିଜର ୧କି.ମି ଦୂରତା ଭିତରେ କୌଣସି ବାଲି ଖନନ କରାଯିବାର ଅନୁମତି ନଥିବା ବେଳେ ସେପଟେ ନିଆଳି ବିଧାୟକ ଛବି ମଲ୍ଲିକ ବାରମ୍ବାର ବାଲି ଚୋରା ଚାଲାଣ ନ କରିବାକୁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଅନ୍ୟପଟେ ଖଣି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ବିଭାଗର ନିରବତାକୁ ନେଇ ଉଠିଛି ପ୍ରଶ୍ନ । ସେହିପରି ଆଗାମୀ ଦିନରେ ଉକ୍ତ ଘାଟ ବିରୁଦ୍ଧରେ ଯଦି କଡ଼ା କାର୍ଯ୍ୟନୁଷ୍ଠାନ ନ ନିଆ ଯାଏ, ତେବେ ଅଞ୍ଚଳବାସୀ ତୀବ୍ର ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.