ବଦଳିଲା ତତଲା ପାଗ : ପହିଲା ପର୍ଯ୍ୟନ୍ତ ବର୍ଷା

0 102

ଭୁବନେଶ୍ୱର, : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଏବଂ ପବନ ବହିବା ଦ୍ୱାରା ଦିନ ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସି ଆସିଛି । ତତଲା ପାଗରେ ପରିବର୍ତ୍ତନ ଆସିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବା ବେଳେ ସୋମବାର ତାହା ୩୪ରୁ ୩୬ ଡିଗ୍ରୀକୁ ହ୍ରାସ ପାଇଛି ଅପରପକ୍ଷରେ ପଶ୍ଚିମାଝଡ଼ ଏବଂ ନିମ୍ନଚାପରେଖା ସକ୍ରିୟ ରହିଥିବାରୁ ମେ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଏବଂ କିଛି ସ୍ଥାନରେ ଘଣ୍ଟାପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ଫଳସ୍ୱରୂପ ପାଗରେ ପରିବର୍ତ୍ତନ ଆସିବା ସହ ତାତିରୁ ଆହୁରି ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ଜିଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଘଣ୍ଟାପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିପାରେ । କିଛି ଅଞ୍ଚଳରେ କୁଆପଥର ମାଡ଼ ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଉପରୋକ୍ତ ଜିଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଯାଜପୁର, କେନ୍ଦ୍ରାପଡ଼ା, କଟକ, ଗତସିଂହପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପରୋକ୍ତ ଜିଲ୍ଲାଗୁଡ଼ିକ ମଧ୍ୟରୁ କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି । ସୂଚନା ଯେ, ରବିବାର ଝାରସୁଗୁଡ଼ାରେ ପାରଦ ୩୫ ଡିଗ୍ରୀକୁ ଖସି ଆସିଥିବା ବେଳେ ବୌଦ୍ଧରେ ୩୨.୮, ବଲାଙ୍ଗିର ୩୫.୫, ଟିଟିଲାଗଡ଼ ୩୪.୫, ସମ୍ବଲପୁର ୩୪.୪ ଏବଂ ହୀରାକୁଦରେ ୩୨.୭ଡିଗ୍ରୀକୁ ହ୍ରାସ ପାଇଛି । କିନ୍ତୁ ଭୁବନେଶ୍ୱରରେ ଦିନ ତାପମାତ୍ରା ସାମାନ୍ୟ ବଢ଼ି ୩୮.୧ ଡିଗ୍ରୀରେ ପହଞ୍ଚିଛି । ସେହିପରି କଟକ ୩୫.୪, ବାଲେଶ୍ୱର ୩୨.୪, ରାଉରକେଲା ୩୧.୨, ଦେବଗଡ଼ ୩୨.୬ ଏବଂ ଦାରିଙ୍ଗବାଡ଼ିରେ ପାରଦ ୨୯.୫ ଡିଗ୍ରୀ ରହିଥିବା ରେକର୍ଡ଼ କରାଯାଇଛି ।

Leave A Reply

Your email address will not be published.