ବର୍ଷ ପୂର୍ବରୁ କାଳ ବୈଶାଖୀ ସାଜିଥିଲା କାଳ: ଘର ନଥିବାରୁ ପର ପିଣ୍ଡାରେ ତିନି ଜୀବନ

0 178

ମୁନିଗୁଡା,: ଭାଙ୍ଗି ଯାଇଛି ଘର, ଉଡି ଯାଇଛି ଛପର । ଆଉ ଦରଭଙ୍ଗା ଅବସ୍ଥାରେ ଦୋହଲୁଛି ମାଟିର କାନ୍ଥ ଆଉ ଘରର କବାଟ । ପବନ ବର୍ଷାରେ ଭାଙ୍ଗିଥିଲା ଘର । ୟାରି ଭିତରେ ଦୁଇ ବର୍ଷ ବିତି ଯାଇଛି, ଭଙ୍ଗା ଘର ଚିରା ପାଲ ତଳେ ବିତୁଛି ଜୀବନ । କେତେବେଳେ କିଛି ବି ହୋଇପାରେ, ଭଙ୍ଗା କାନ୍ଥ ଭୁଷୁଡିପାରେ, ନଇଁପଡିଥିବା ଛପର
ଖସିପାରେ ଆଉ ଅକାଳରେ ଚାଲିଯାଇପାରେ ତିନି ତିନିଟି ଜୀବନ । ସେଇ ଆଶଙ୍କରେ ଭଙ୍ଗା ଘରେ ନରହି ପର ପିଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି ତିନିପ୍ରାଣୀ କୁଟୁମ୍ବ । ଆଜି ୟା ପିଣ୍ଡାରେ ତ କାଲି ଆଉ କାହା ବାରଣ୍ଡାରେ ଯାଯାବର ଭଳି ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ତେଲାଡ଼ି ସିକକାଙ୍କ ପରିବାର । ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକ ମୁନିଖୋଲ ପଞ୍ଚାୟତ ମଣ୍ଡା ଗାଁର ତେଲାଡି ସିକକାୟ ଛୋଟ କୁଡ଼ିଆରେ ଛୋଟ ପରିବାର ସହ ହସଖୁସିରେ ରହୁଥିଲେ । ଦୁଇ ବର୍ଷ ପୂର୍ବରୁ
ତେଲାଡିଙ୍କ ଉପରେ ମାଡି ଆସିଥିଲା ଦୁଖର ପାହାଡ । କାଳ ସାଜିଥିଲା କାଳ ବୈଶାଖୀ ଦୁଇ ବର୍ଷ ତଳେ କାଳ ବୈଶାଖୀର ପ୍ରଳୟଙ୍କାରୀ ପବନରେ ସବୁକିଛି ଉଜୁଡିଯିବା ପରେ ଏବେ ତେଲାଡ଼ିଙ୍କ କାନ୍ଧରେ ଦୁଃଖର ପାହାଡ ଲଦି ହୋଇଛି । କାହାଠୁ ପଲିଥିନଟିଏ ମାଗିଆଣି ଭଙ୍ଗା ଛପରକୁ ଢାଙ୍କି କରି ଦିନ କାଟୁଥିଲେ । ହେଲେ ଲଗାଣ ବର୍ଷା ପରେ ପରିସ୍ଥିତି ସାଙ୍ଘାତିକ ହୋଇଛି । ଘରେ ପାଣି ପଶିବା କାରଣରୁ କାନ୍ଥ ଭାଙ୍ଗିଛି, ଘର କାଦୁଅ ହୋଇଛି ଆଉ ଜୀବନ ଜଇଁବା ଦୁର୍ବିସହ ହୋଇଛି । ବର୍ଷା ପାଣି ଚୁଲିରେ ପଶିଯିବା ପରେ ତିନିପ୍ରାଣୀ କୁଟୁମ୍ବଙ୍କ ପେଟରେ ଓଦାକନା ପଡିଛି ।
ସେପଟେ ଆଜିକୁ ୪ବର୍ଷ ହେଲା ତେଲାଡିଙ୍କ ସ୍ୱାମୀ ଆରପାରିକୁ ଚାଲିଯିବା ପରେ ରୋଜଗାର ନଥିବାରୁ ଗୋଡହାତ ବାନ୍ଧି ବସିଛନ୍ତି ତେଲାଡିଙ୍କ ପରିବାର ତେଲାଡ଼ି କାମଧନ୍ଦାକୁ ଯାଇପାରୁନଥିବାରୁ ଘରେ ଚୁଲି ଜଳିବା ବି ମୁସ୍କିଲ ହୋଇପଡିଛି । ଅର୍ଥର ଅଭାବ ପିଲାଙ୍କ ପାଠ ପଢାରେ ଡୋରି ବାନ୍ଧି ହୋଇଛି । ତେବେ ଏଭଳି ପରିସ୍ଥିତିରେ
ସରକାରୀ ସହୟତା ପାଇଁ ତେଲାଡ଼ିଙ୍କ ପରିବାର ଗୁହାରୀ କରିବା ସହ ପଡୋଶୀ ମଧ୍ୟ ସାହାଯ୍ୟ ଦାବି କରିଛନ୍ତି ।

Leave A Reply

Your email address will not be published.