ବ୍ରହ୍ମପୁର,: ବ୍ରହ୍ମପୁର ଡାକ୍ତରଖାନାରେ ଡାକ୍ତରଙ୍କ ଘୋର୍ ଅଭାବ । ଏଥିଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବି ବ୍ୟାଘାତ ହେଉଛି । ଏଭଳି ସ୍ଥିତିରେ ବିନା ସରକାରୀ ଅନୁମତିରେ ବର୍ଷବର୍ଷ ଧରି ଏକାଧୂକ ବରିଷ୍ଠ ଡାକ୍ତର ଛୁଟିରେ ରହିବା, ସମସ୍ୟାକୁ ଅଧିକ ଜଟିଳ କରୁଛି । କିନ୍ତୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲର ଏପରି ଅବସ୍ଥା ସଂପର୍କରେ ଯେମିତି ସ୍ୱାସ୍ଥ୍ୟବିଭାଗର ଆଦୌ ଚିନ୍ତା ନାହିଁ । ନିୟମିତ ବ୍ୟବଧାନରେ ସମ୍ପୃକ୍ତ ଡାକ୍ତରଙ୍କୁ କେବଳ ନୋଟିସ୍ ଖଣ୍ଡେ ଦେଇ ମୁଣ୍ଡରୁ ଦୋଷ ଖସାଇଦେବା ବ୍ୟତୀତ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ମେଡିକାଲର ଡାକ୍ତର ଲକ୍ଷ୍ମୀକାନ୍ତ ସାଏ (ମୁଣ୍ଡା) ୯୦୯୯ ଜାନୁଆରୀ ୨୫ରୁ କାର୍ଯ୍ୟରେ ଯୋଗ ଦେଇନଥିବା ବେଳେ ଡାକ୍ତର ବିମରଜିତ ପ୍ରଧାନ ୨୦୧୬ ସେପ୍ଟେମ୍ବର ୨୪ରୁ ଅନୁପସ୍ଥିତ ଅଛନ୍ତି । ସେହିଭଳି ଡାକ୍ତର ଏଲ ରବି କୁମାର ୨୦୨୦ ଅକ୍ଟୋବର ୭ରୁ, ଡା ଚୈତାଲି ବୋଷ ୨୦୨୧ ଜୁଲାଇ ୬ରୁ ଡା ସୁଶ୍ରୀ ସଙ୍ଗୀତା କର ୨୦୨୩ ଜୁଲାଇ ୬ରୁ ଡାକ୍ତର ରାମଚନ୍ଦ୍ର ଦେଓ ୨୦୧୬
ଅକ୍ଟୋବର୧୭ ରୁ ଏବଂ ଡାକ୍ତର ସୁନିତା ସାହୁ ୨୦୧୮ ନଭେମ୍ବର ୨୨ରୁ ବିନାନୁମତିରେ ଅନୁପସ୍ଥିତ ରହିଛନ୍ତି । କଲେଜ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, କୌଣସି ଡାକ୍ତର ନିଖୋଜ ନଥୁବା ମଧ୍ୟ ସ୍ପଷ୍ଟ କରାଯାଇଛି ନିୟମିତ ବ୍ୟବଧାନରେ ଉପରୋକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ତଦନ୍ତ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା
ଦିଆଯାଉଛି । ଏଭଳି ପରିସ୍ଥିତିରେ ଡାକ୍ତରମାନେ ଦୀର୍ଘ ବର୍ଷ ଧରି କାର୍ଯ୍ୟରେ ଯୋଗ ଦେଇ ନଥିବା ତଥା ବିନା ଅନୁମତିରେ ଲମ୍ବା ଛୁଟିରେ ରହିବା ଫଳରେ ଡାକ୍ତରଙ୍କ ଅଭାବ ଦିଗୁଣିତ ହୋଇଯାଇଛି । ଯାଦ୍ୱାରା ରୋଗୀଙ୍କୁ ଚିକିତ୍ସା ସେବା ମିଳିବା ସମ୍ଭବ ହେଉନାହିଁ । ସରକାରୀ ନିର୍ଦ୍ଦେଶନାମାକୁ କେହି ପାଳନ କରିବା ଦୂରେ ଥାଉ ଖାତିର ମଧ୍ୟ କରୁନାହାନ୍ତି । ଏଣୁ ଅନ୍ତତଃ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନଶୃଙ୍ଖଳା କ୍ଷେତ୍ରରେ ରାଜ୍ୟ ସରକାର କଠୋର ମନୋଭାବ ପୋଷଣ କରିବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
Prev Post
Next Post