ବ୍ରହ୍ମପୁରର ମାଁ ସାଆନ୍ତାଣୀ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଉଦଯାପିତ ହୋଇଛି । ଦୀର୍ଘ ୨୬ ଦିନର ଯାତ୍ରା ପରେ ମଙ୍ଗଳବାର ଭୋରରୁ ମାଙ୍କ ଯାତ୍ରା ଶେଷ ହୋଇଛି । ସୋମବାର ରାତିରେ ମାଁ ବାପଘରୁ ତଥା ଅସ୍ଥାୟୀ ମଣ୍ଡପ)ରୁ ମାଁ ଶାଶୁଘରକୁ ତଥା ମୁଖ୍ୟମନ୍ଦିରକୁ ଫେରିବା ବେଳେ ସହର ଲୋକାରଣ୍ୟ ହୋଇପଡିଥିଲା ବ୍ରହ୍ମପୁର । ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୋଇଥିଲା ରେଶମ ନଗରୀରେ ।ସେପଟେ ଶାଶୁଘର ପକ୍ଷରୁ ସେବକ ମାନେ ବିଭିନ୍ନ ସାମଗ୍ରୀ ନେଇ ପହଞ୍ଚିଥିଲେ ଦେଶୀବେହେରାଙ୍କ ଘରେ । ଆଉ ମାଁଙ୍କୁ ନିମନ୍ତ୍ରଣ କରି ପୁଣି ଶାଶୁଘରକୁ ଫେରିବା ନିମନ୍ତେ । ଅସ୍ଥାୟୀ ମନ୍ଦିରରେ ମାଁଙ୍କ ବିଧି ଅନୁୟାଯୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥାନ୍ତି ପୁଜକ । ମାଁ ଯେହେତୁ ବାପଘରକୁ ଆସିଥାନ୍ତି, ମାଁଙ୍କୁ ଦେଶୀବେହେରା ବିଭିନ୍ନ ଭାର ପ୍ରସ୍ତୁତ କରିଥିଲେ । ପୁଜାର୍ଚ୍ଚନା ପରେ ବିଳମ୍ବିତ ରାତିରେ ଦେଶୀବେହେରାଙ୍କ ପତ୍ନୀ ପି.ଦେବକୀ ମାଁଙ୍କ ମୁଖ୍ୟ ଘଟକୁ ମଣ୍ଡନ କରିଥିବା ବେଳେ ଅନ୍ୟ 8ଟି ପାର୍ଶ୍ବ ଘଟକୁ ସେନାପତିଙ୍କ ସ୍ତ୍ରୀ ମାନେ ମଣ୍ଡନ କରି ବାହାରିଥିଲେ । ଆଉ ସହସ୍ରାକ୍ଷି ଘଟକୁ ଶାଶୁଘର ପକ୍ଷରୁ ଭବାନୀ ମଣ୍ଡନ କରିଥିଲେ । ଏହି ଘଟ ମାଁଙ୍କ ଘଟକୁ ବାଟକଡେଇ ନେଇଥିଲା । ଘଣ୍ଟଘଣ୍ଟା, ଢୋଲ ମୃଦଙ୍ଗ ଗିନି ଆଦି ବିଭିନ୍ନ ବାଦ୍ୟରେ ପ୍ରକଂପିତ ହୋଇଥିଲା ସାରା ସହର । ବିରାଟ ପଟୁଆରରେ ମାଁ ବାହାରିଥିଲେ ଶାଶୁଘର ଅଭିମୁଖେ ଆଉ ମାଁଙ୍କ ଏହି ଘଟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ । ଉପବାସ କରି ନିଷ୍ଠାର ଓ ଭକ୍ତି ଧର୍ଯ୍ୟର ସହ ଚାଲି ଚାଲି ମାଁଙ୍କ ପଛେ ପଛେ ଚାଲିଥିଲେ । ମା’ଙ୍କ ମୁଖ୍ୟ ଘଟ ସହ ପାଶ୍ବ ଘଟ ମନ୍ଦିରକୁ ଯିବା ପରେ ହଜାର ହଜାର ସଂଖ୍ୟାରେ ମାନସିକଧାରୀ ମାନେ ଘଟ ଧରି ମାଙ୍କ ମନ୍ଦିରରେ ଯାଇ ଘଟକୁ ବିସର୍ଜନ କରିଥିଲେ । ମାଁ ଦୀର୍ଘ ୨୬ ଦିନ ରହିବା ପରେ ଶାଶୁ ଘର ଫେରିଥିବା ଯୋଗୁଁ ସମସ୍ତ ଘଟଧାରୀ ମହିଳାଙ୍କ ଆଖିରୁ ଝରିପଡିଥିଲା ଲୁହର ଧାର ।