ମାଈ ବାଛୁରୀ ଯୋଜନାରେ ଓମଫେଡ୍ ପକ୍ଷରୁ ଦାନା ବଣ୍ଟନର ଶୁଭାରମ୍ଭ

0 85

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଆଜି ମାଈ ବାଛୁରୀଙ୍କୁ ରିହାତି ଦରରେ ବାଛୁରୀ ଦାନା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ କଟକ ଜିଲ୍ଲା କନ୍ତାପଡା ବ୍ଲକ ଅନ୍ତର୍ଗତ ଶ୍ରୀମା ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି, ଛେଣ୍ଡ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିର କଟକ ମିଲ୍‌କ୍ ୟୁନିୟନର ସଭାପତି ତଥା ଓମ୍‌ଫେଡର ବୈଷୟିକ ପରାମର୍ଶଦାତା ଡକ୍ଟର ଦିଗମ୍ବର ନାୟକଙ୍କ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏଲ୍‌ଆରଡିଏସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆତ୍ମାର ନିର୍ଦେଶକ, କଣ୍ଟାପଡା ବ୍ଲକ ବିଡିଓ, କଟକ ଦୁଗ୍ଧ ସଂଘର ଅଧିକାରୀ, କଣ୍ଟାପଡା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ଡିସିଏସ୍ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ଏଥିରେ କଣ୍ଟାପଡା ବ୍ଲକ ଅନ୍ତର୍ଗତ ଶ୍ରୀମା ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଅଧିନରେ ଆସୁଥିବା ବିଭିନ୍ନ ଗାଁରୁ ବହୁ ଚାଷୀ ସାମିଲ ହୋଇଥିଲେ । ଯେଉଁମାନେ କୃତ୍ରିମ ଉପାୟରେ ମାଈ ବାଛୁରୀ ଜନ୍ମ କରାଇଛନ୍ତି, ସେହି ଦୁଗ୍ଧ ଚାଷୀମାନଙ୍କୁ ରିହାତି ଦରରେ ବାଛୁରୀ ଦାନା ପ୍ରଦାନ କରାଯିବା ସହ ବାଛୁରୀ କାର୍ଡ ବିତରଣ କରାଯାଇଥିଲା । ପରେ ବାଛୁରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା କଣ୍ଟାପଡା ବଜାର ପରିକ୍ରମା କରିଥିଲା । ସୂଚନାଯୋଗ୍ୟ କି, ରାଜ୍ୟରେ ଦୁଗ୍‌ଧ ଉତ୍ପାଦନ ବୃଦ୍ଧି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ମାଈ ବାଛୁରୀ ପାଳନ ଯୋଜନା ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ଜନ୍ମିତ ୧ ଲକ୍ଷ ମାଈ ବାଛୁରୀଙ୍କୁ ୫୦ ପ୍ରତିଶତ ରିହାତି ଦରରେ ବାଛୁରୀ ପିଛା ୧୪୦୦ କେଜି ଦାନା ଦେବାର ବ୍ୟବସ୍ଥା କରାଯାଇଅଛି । ଯେଉଁ ଚାଷୀମାନେ କୃତ୍ରିମ ଉପାୟରେ ମାଈ ବାଛୁରୀ ପ୍ରଜନନ କରାଇବେ, ସେମାନଙ୍କୁ ରାଜ୍ୟ ସରକାର ଓମ୍ଫେଡ୍ ଜରିଆରେ ବାଛୁରୀ ଦାନା ୫୦ ପ୍ରତିଶତ ରିହାତି ଦରରେ ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଅଂଶ ସ୍ୱରୂପ ମାଈ ବାଛୁରୀ ପାଳନ ପାଇଁ ଆଜି ଓମ୍ଫେଡ୍‌ ପକ୍ଷରୁ କଟକ ଜିଲ୍ଲାର କଣ୍ଟାପଡାରୁ ବାଛୁରୀ କାର୍ଡ ଓ ଦାନା ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

Leave A Reply

Your email address will not be published.