ଶପଥ ପାଠ କରାଇଲେ ରାଜ୍ୟପାଳ

0 84

କଟକ, : ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି । କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାର ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ହରିବାବୁ କୁମ୍ଭମ୍ପତି
ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର
ସମସ୍ତ ବିଚାରପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଆଡଭୋକେଟ
ଜେନେରାଲ, ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ଆସୋସିଏସନ କର୍ମକର୍ତ୍ତା, ହାଇକୋର୍ଟର କର୍ମଚାରୀ ଏବଂ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ହାଇକୋର୍ଟ ପରିସରରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜଷ୍ଟିସ ଟଣ୍ଡନଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ ୬ ତାରିଖରେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାରଙ୍କ ସହମତି ପରେ ରାଷ୍ଟ୍ରପତି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଏହା ପୂର୍ବରୁ କଲିକତା ହାଇକୋର୍ଟରେ ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ୍ ଟଣ୍ଡନ । ଗତ ଜାନୁଆରୀ ୧୯ ତାରିଖରୁ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡିଶା ହାଇକୋର୍ଟରୁ ଅବସର ନେବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ
ବିଚାରପତି ପଦବୀ ଖାଲି ରହିଥିଲା । ସେବେଠାରୁ ଜଷ୍ଟିସ୍ ଅରିନ୍ଦମ ସିହ୍ନା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ
ଦାୟିତ୍ୱ ତୁଲାଇ ଆସୁଥିଲେ । ୧୯୬୪ ମସିହା ନଭେମ୍ବର ୧୬ ତାରିଖରେ ଜଷ୍ଟିସ୍‌ ଟଣ୍ଡନଙ୍କର ଜନ୍ମ । ୧୯୮୩ ମସିହାରେ
କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ୧୯୮୯ରେ ସେହି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ସେହିବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଓକିଲ ଭାବେ ନାମ ପଞ୍ଜିକରଣ କରି ସେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ । ଦେୱାନି ମାମଲା ପରିଚାଳନାରେ ସେ ସିଦ୍ଧହସ୍ତ । ୨୦୧୦ ଏପ୍ରିଲ ୧୩ ତାରିଖରେ କଲିକତା ହାଇକୋର୍ଟରେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ସେବେଠାରୁ ସେ କଲିକତା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରି ଅନେକ ଦୃଷ୍ଟାନ୍ତମୂଳକ ରାୟ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ହରିଶ୍ ଟଣ୍ଡନଙ୍କ ଓଡିଶା ହାଇକୋର୍ଟରେ ଯୋଗଦାନ ପରେ ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି ।

Leave A Reply

Your email address will not be published.