ଭୁବନେଶ୍ୱର,: ରେଡ଼ିଓ ମିର୍ଚି ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଭୁବନେଶ୍ୱର ମଣ୍ଡଳର ମିଳିତ ସହଯୋଗରେ ସମାଜରେ ପ୍ଲାଷ୍ଟିକ ମୁକ୍ତ ସାମଗ୍ରୀର ବ୍ୟବହାର ବାର୍ତ୍ତା ନେଇ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରୀନ ମାରାଥନ ୨୦୨୫ ଆୟୋଜିତ ହୋଇଯାଇଛି । ଗତ ଫେବୃଆରୀ ୨ ତାରିଖ ଦିନ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ପାଖାପାଖି ୫୦୦୦ ଉତ୍ସାହୀ ଦୌଡାଳୀଙ୍କ ଉପସ୍ଥିତିରେ ପରିବେଶ ଚଳଚଞ୍ଚଳ ହୋଇଉଠିଥିଲା । ଚାକିରିଆ, ଡାକ୍ତର, ବୃତ୍ତିଗତ ପେଶାଦାର, ବ୍ୟାପାରୀ ଆଦି ସମସ୍ତ ଶ୍ରେଣୀ ଓ ସମସ୍ତ ବୟସର ଲୋକ ଏହି ମାରାଥନରେ ଯଥାକ୍ରମେ ୨୧ କି. ମି., ୧୦ କି.ମି. ଓ ୫ କି.ମି. ଦୌଡ଼ରେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ଓଡ଼ିଶା ପୋଲିସ ଡ଼ି.ଜି. ଯୋଗେଶ ବାହାଦୁର ଖୁରାନିଆ, ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସାଦ ମହାନ୍ତି ଓ ଖ୍ୟାତନାମା ଚଳଚିତ୍ର କଳାକାର ତଥା ସିଦ୍ଧାର୍ଥ ଚ୍ୟାନେଲର ନିର୍ଦ୍ଦେଶକ ତମନ୍ନା ବ୍ୟାସ ଆଦି ଅତିଥି ବୃନ୍ଦ ଉପସ୍ଥିତ ରହି ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଷ୍ଟେଟ୍ ବ୍ୟାକ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପରୁଥି, ମହାପ୍ରବନ୍ଧକ ନେଟୱର୍କ ୧ ଶ୍ରୀ ପୋତ୍ତମବଲମ୍ ଏମ, ମହାପ୍ରବନ୍ଧକ ନେଟୱର୍କ ୨ କୌଶଳ କିଶୋର ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶ୍ରୀ ପରୁଥି ବିଜୟୀ ଧାବକମାନଙ୍କୁ ପୁରସ୍କୃତ କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ସକ୍ରିୟ ଅଂଶଗ୍ରହଣ ପାଇଁ ଧନ୍ୟବାଦ ଜଣାଇଥିଲେ । ଶ୍ରୀ ପରୁଥି ସମସ୍ତଙ୍କୁ ଶାରୀରିକ ଓ ମାନସିକ ସୁସ୍ଥତା
ବଜାୟ ରଖିବା ପାଇଁ ନିରନ୍ତର ପ୍ରୟାସରତ ରହିବାକୁ ଆହ୍ୱାନ ଦେଇଥିଲେ ।
Next Post