ବ୍ରହ୍ମପୁର, : ମା\’ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପରେ ଦୈନିକ ଶ୍ରଦ୍ଧାଳୁଙ୍କ ଗହଳି ବଢ଼ିବାରେ ଲାଗିଛି । ମା\’ଙ୍କ ଯାତ୍ରାର ଶୁକ୍ରବାର ଥିଲା ନବମ ଦିନ । ଶୁକ୍ରବାର ହୋଇଥିବାରୁ ସକାଳୁ ସକାଳୁ ଅସ୍ଥାୟୀ ମଣ୍ଡପରେ ମହିଳାଙ୍କ ପ୍ରବଳ ଭିଡ଼ ଜମିଥିଲା । ହାତରେ ହଳଦି ପାଣି ଆଣି ମହିଳାମାନେ ମା\’ଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ । ବହୁ ମହିଳା ଧର୍ମଝଣ୍ଡା ପାଖରେ ହଳଦି ପାଣି ଢ଼ାଳି ଶୁଭ ମନାସିଥିଲେ । ପ୍ରାତଃରୁ ଆରମ୍ଭ ହୋଇଥୁବା ଗହଳି ପୂର୍ବାହ୍ନପର୍ଯ୍ୟନ୍ତ ଲାଗି ରହିଥିଲା । ମା\’ଙ୍କ ପାଖରେ ଦିନ ତମାମ୍ ରୀତିନୀତି ଅନୁଯାୟୀ ପୂଜାର୍ଜନା କରାଯାଇଥିଲା । ସକାଳେ ପ୍ରଥମେ ମଙ୍ଗଳ ଆଳତି ପରେ ପୂର୍ବାହ୍ନରେ ବାଳଭୋଗ ଓ ମଧ୍ୟାହ୍ନରେ ଅନ୍ନଭୋଗ ଲାଗି ହୋଇଥିଲା । ଦିନ ତମାମ୍ ମାନସିକଧାରୀମାନେ ବିଭିନ୍ନ ବେଶରେ ଆସି ଦର୍ଶନ କରିଥିଲେ । ମାନସିକ ପୂରଣ ହେବା ପରେ ମା\’ଙ୍କ ପାଖରେ କୃତଜ୍ଞତା ଜଣାଇ ଭୋଗ ଲଗାଇଥିଲେ । ସନ୍ଧ୍ୟାରେ ସନ୍ଧ୍ୟାଆଳତି ପରେ ମାଁଙ୍କ ଘଟ ପରିକ୍ରମା ଅନୁଷ୍ଠିତ ହୋଇଥିଲା । ମା’ଙ୍କ ଘଟ ଦେଶୀ ବେହେରା ସାହିରୁ ବାହାରି ମହୁରୀ ରାଜବାଟିରେ ପହଞ୍ଚିଥିଲା । ସେଠାରେ ପୂଜାର୍ଚ୍ଚନା ପରେ ବଡ଼ବଜାର ଛକକୁ ବାହାରି ମା\’ ଚିନା ବଜାରରୁ ଶାନ୍ତ୍ରାଣୀ ସାହିରୁ ଲାଲା ସାହିର କଳାକୁଞ୍ଜ ଯାଇ ସେଠାରୁ ଭୁତ ନୂଆ ସାହିରୁ ବନ୍ଧ ସାହିରୁ କପିଳେଶ୍ୱର ପେଟା ସାହିରେ କଳାକୁଞ୍ଜକୁ ନିମନ୍ତ୍ରଣ କରିଥିଲେ । ବାଲାଜୀ ପେଣ୍ଠ ଗୌଡ଼ ସାହିରେ ଶ୍ରୀ କୃଷ୍ଣ ରଥ, ବାଲାଜୀ ପେଣ୍ଠ ଠାରେ ଇଶ୍ୱର ରଥ ସେଠାରୁ କୁମ୍ଭାର ସାହିରେ ମହାଲକ୍ଷ୍ମୀ ରଥରୁ କେଭୂତ ସାହି ହୋଇ ଦେଶୀବେହେରା ସାହି ହୋଇ ମା\’ଙ୍କ ଘଟ ଅସ୍ଥାୟୀ ମଣ୍ଡପରେ ପ୍ରବେଶ କରିଥିଲା । ରାସ୍ତାରେ ମହିଳାମାନେ ମା\’ଙ୍କ ପାଦରେ ହଳଦି ପାଣି ପକାଇବା ସହ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇଥିଲା । ଘର ସମ୍ମୁଖରେ ମା\’ଙ୍କ ଦର୍ଶନ ପାଇ ଭକ୍ତମାନେ ହୋଇପଡ଼ିଥିଲେ । ଅନ୍ୟଦିନ ଭଳି ଆଜି ମଧ୍ୟ ମାନସିକ ବେଶଧାରୀ ମା\’ଙ୍କୁ ଦର୍ଶନ କରିବା ସହ ସେମାନଙ୍କ ମାନସିକ ବଡ ପୂର୍ଣ୍ଣ କରିଥିଲେ ।