ଭୁବନେଶ୍ୱର, : ଆସୁଛି ଲଘୁଚାପ! ମେ\’ ୨୭ ତାରିଖ ପାଖାପାଖି ପଶ୍ଚିମ କେନ୍ଦ୍ରୀୟ ଓ ତା\’ର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ଦୁଇ ଦିନ ଏହା ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି । ସେ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ପ୍ରଭାରେ ରାଜ୍ୟରେ ବର୍ଷା ହୋଇପାରେ । ୨୬ ଓ ୨୭ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ । ଏମିତିକି ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ମୌସୁମୀ ବାୟୁ ଆଗମନରେ ଏହାର (ଏହିଲଘୁଚାପର) ବିଶେଷ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ମୌସୁମୀ ଆଗମନରେ ଏହା ସହାୟକ ହେବ । ଅନ୍ୟପକ୍ଷରେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ ବିଭାଗ କହିଛି । ଫଳରେ ଏଥର ଶୀଘ୍ର ମୌସୁମୀ ଆସିବା ଆକଳନ ସତ ହେବ । ପୂର୍ବରୁ ଆଇଏମଡି ମେ\’ ୨୭ ତାରିଖରେ ମୌସୁମୀ ବାୟୁ କେରଳ ଭୂଖଣ୍ଡ ଛୁଇଁବ ନେଇ ଆକଳନ କରିଥିଲା । ଏବେ ପାଣିପାଗ ଅନୁକୂଳ ପରେ ଆସନ୍ତା ୩ ଦିନ ମଧ୍ୟରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିପାରେ । ଏହା ପରେ ମୌସୁମୀ ବାୟୁ ସକ୍ରିୟ ରହିଲେ ଓଡ଼ିଶା ଆଗମନ ବାଟ ଫିଟିବ । ସାଧାରଣତଃ ଜୁନ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ପ୍ରବେଶ କରିଥାଏ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ହେଲେ ଏଥର ଏହା କେରଳକୁ ସଅଳ ଆସିଲେ ଓଡ଼ିଶା ବି ଶୀଘ୍ର ଆସିପାରେ ବୋଲି ଆକଳନ କରାଯାଉଛି । ତେବେ ଆସନ୍ତା ୭ ଦିନ ଯାଏ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ । ବିଜୁଳି, ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ସହ ଝଟକା ପବନ ମଧ୍ୟ ବହିପାରେ । ଆଗାମୀ ୨୪ ଘଣ୍ଟାରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାକୁ ବାଦ ଦେଲେ ଅନ୍ୟ ୨୬ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାରେ ୪୦ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ସକାଳ ସାଢେ ୮ଟାରୁ ୨୪ ତାରିଖ ସକାଳ ,ସାଢେ ୮ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, କନ୍ଧମାଳ କଳାହାଣ୍ଡି, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଆଦି ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ତାରିଖ ସକାଳ ସାଢେ ୮ଟାରୁ ୨୫ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସବୁ ଜିଲ୍ଲାରେ କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ତା\’ ସହିତ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ଝଟକା ପବନ ହୋଇପାରେ । ୨୫ ତାରିଖ ସକାଳ ସାଢେ ୮ଟାରୁ ୨୬ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପବନ, ଘଡ଼ଘଡ଼ି, ବିଜୁଳି ଓ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୬ ତାରିଖ ସକାଳ
ସାଢେ ୮ଟାରୁ ୨୭ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ କାଳବୈଶାଖୀ ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଅନୁଗୋଳ, ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, କଟକ, ଯାଜପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୨୭ ତାରିଖ ସକାଳ ସାଢେ ୮ଟାରୁ ୨୮ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଓ ବାଲେଶ୍ୱର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ ଓ ରାୟଗଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ସକାଳ ସାଢେ ୮ଟାରୁ ୨୯ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଓ ବାଲେଶ୍ୱର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ ଓ ରାୟଗଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ମୟୁରଭଞ୍ଜ ତିରିଙ୍ଗରେ ସର୍ବାଧିକ ୬୮.୪ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ସର୍ବାଧିକ ତାପମାତ୍ରା ସମ୍ବଲପୁରରେ ୪୧.୨ ଡିଗ୍ରୀ ରେକର୍ଡ କରାଯାଇଥିଲା ।