ଚଳଚଞ୍ଚଳ ରଥଖଳା: ଶ୍ରୀଜୀଉଙ୍କ ରଥ ନିର୍ମାଣ ଆରମ୍ଭ

0 106

ପୁରୀ, ୮ା୫(ଡିକେ ନ୍ୟୁଜ୍‌): ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା । ବିଳମ୍ବରେ ହେଲେ ମଧ୍ୟ ଆଜିଠୁ ଶ୍ରୀଜୀଉଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ବିଶ୍ୱକର୍ମାମାନେ ରଥଖଳାରେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି । ଚକ ନିର୍ମାଣର ପ୍ରାରମ୍ଭିକ କାର୍ଯ୍ୟ ହେଉଛି ତୁମ୍ବ କାମ । ରଥ ନିର୍ମାଣରେ ବିଶ୍ୱକର୍ମାମାନଙ୍କୁ ସାହାଯ୍ୟ କରୁଛନ୍ତି ଭୋଇ ସେବାୟତ । ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ ସହ ୩ ମୁଖ୍ୟ ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଥିଲା । ଲକ୍‌ଡାଉନ୍ ନିୟମାବଳୀ ଆଧାରରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମରେ ଅଳ୍ପ ସଂଖ୍ୟକ ମହାରଣା ନିୟୋଜିତ ହୋଇଛନ୍ତି । ଶ୍ରୀଜୀଉଙ୍କ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି । ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାସହ ରଥ ନିର୍ମାଣ ବେଳେ ଯେଭଳି ସାମାଜିକ ଦୂରତ୍ୱ ନିୟମର କଡ଼ା ଅନୁପାଳନ ହେବ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । ଏନେଇ ପ୍ରସ୍ତାବ ଆସିବା ପରେ କେନ୍ଦ୍ର ସରକାରଙ୍କଠାରୁ ପରାମର୍ଶ ଲୋଡ଼ା ଯାଇଥିଲା । ଅନୁମତି ମିଳିବା ପରେ ରଥ କାମ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଗଜପତି ମହାରାଜା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଥିନେଇ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.