‘ଚୀନ୍ ହାତରେ କଣ୍ଢେଇ ସାଜିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’

0 99

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ସେ ଖୁବ୍‌ଶୀଘ୍ର ଏକ ବଡ଼ ଘୋଷଣା କରିବେ । ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନେଇ ନିଜର ବିଷ ଓଗାଳିଥିବା ପରିଲକ୍ଷିତ ହୋଇଥିଲା । ଏପରିକି ଚୀନ୍ ହାତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ କାଠପୁତୁଳା ବୋଲି ଟ୍ରମ୍ପ କହିଥିଲେ । କରୋନାକୁ ନେଇ ସାରା ବିଶ୍ୱ ଥରହର ହେଉଥିବାବେଳେ ଚୀନ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଖିବୁଜି ସମର୍ଥନ ଦେଇ ସମଗ୍ର ବିଶ୍ୱକୁ ବାଟବଣା କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି । ଟ୍ରମ୍ପ ଆହୁରି କହିଛନ୍ତି ଯେ ଆମେ ଚୀନ୍ ଯିବାକୁ ଚାହୁଁଛୁ ଓ ସହାୟତା କରିବା ପାଇଁ ପ୍ରସ୍ତୁତ ବି ଅଛୁ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚାହୁଁନାହିଁ କି ଆମେ ଚୀନ୍ ଯାଉ । ଉକ୍ତ ସଂଗଠନକୁ ଆମେରିକା ପ୍ରତିବର୍ଷ ପାଖାପାଖି ୫୦ କୋଟି ଡଲାରର ଫଣ୍ଡ ଯୋଗାଉଥିବା ବେଳେ ଚୀନ୍ ମାତ୍ର ୩.୮ କୋଟି ଡଲାର ଦେଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନେଇ ମୁଁ ଖୁବ୍‌ଶୀଘ୍ର ଏକ ବଡ଼ ଘୋଷଣା କରିବାକୁ ଯାଉଛି କାରଣ ବର୍ତ୍ତମାନ ଏହି ସଂଗଠନ ଚୀନ୍ ହାତରେ କଣ୍ଢେଇ ସାଜିଛି । ଚୀନ୍‌ର ପ୍ରତିଟି କଥାରେ ସଂଗଠନ ନିସର୍ତ୍ତ ସମର୍ଥନ କରୁଥିବାବେଳେ ଆମେରିକାକୁ ଅଣଦେଖା କରୁଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି । ସୂଚନାଥାଉକି ଯେତେବେଳେ ସାରା ବିଶ୍ୱ କରୋନା ମହାମାରୀ ସମୟରେ ଲଢ଼େଇ କରୁଛି ସେତେବେଳେ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଦେଉଥିବା ଫଣ୍ଡ ଉପରେ ରୋକ୍ ଲଗାଇଛି । ଆମେରିକାର ଅଭିଯୋଗ ଏହା ଯେ ଚୀନ୍ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାଣିଶୁଣି କରୋନା ଭାଇରସ୍ ସମ୍ବନ୍ଧରେ ସାରା ବିଶ୍ୱକୁ ଲୁଚାଇଥିଲେ ଓ ଏହାର ପରିଣାମ ଆଜି ସାରା ବିଶ୍ୱ ଭୋଗୁଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ ଆମେରିକାରେ ଆଜି ସୁଦ୍ଧା ମୋଟ ୧୨ଲକ୍ଷ ୮୩ହଜାର ୮୨୮ ଲୋକ କରୋନା ସଂକ୍ରମିତ ଥିବା ବେଳେ ୭୭ହଜାର ୧୭୫ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

Leave A Reply

Your email address will not be published.