କରୋନା: ଥିଲା, ଅଛି, ରହିବ…

0 66

କୋଭିଡ୍‌-୧୯ ରୂପରେ ପୃଥିବୀପୃଷ୍ଠକୁ ଈଶ୍ୱରଙ୍କର ଏକ ‘ସଚେତନର ବାର୍ତ୍ତା’ । ଆସନ୍ତୁ ଆଜି ବେଳ ଆସିଯାଇଛି ସମସ୍ତେ ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷରେ ଏକହୋଇ ଭାରତମାତାଙ୍କ ଆଗରେ ସଂକଳ୍ପ କରିବା ସଂଗେ ସଂଗେ ଏହି ୩ଟି ନୀତିବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିବା । କରୋନା ଭାଇରସ୍ ଯାହାର ନାଁ ଶୁଣିଲେ ଓଡ଼ିଶା ନୁହଁ, ଭାରତ ନୁହଁ ସମଗ୍ର ପୃଥିବୀ ଥରିଉଠୁଛି । ଏହି ଭାଇରସ୍ ମହାମାରୀ ରୂପ ନେଇ ପୃଥିବୀପୃଷ୍ଠକୁ ଅବତୀର୍ଣ୍ଣ ହୋଇଛି । କିନ୍ତୁ ଧାର୍ମିକ ରାଷ୍ଟ୍ର ଭାରତକୁ ପ୍ରବେଶ କଲାବେଳକୁ ଦୁର୍ବଳ ହୋଇଯାଇଛି । ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୃଷ୍ଠଭୂମି ଓଡ଼ିଶାକୁ ପ୍ରବେଶ କଲାବେଳକୁ ଯେପରି ଶକ୍ତିହୀନ ହୋଇଯାଇଛି ।
ଧନ୍ୟ ହେ ମହାପ୍ରଭୁ ଜଗନ୍ନାଥ, ଧନ୍ୟ ତୁମ ମହିମା…
କୋଭିଡ୍‌-୧୯ ଥିଲା, ଅଛି ଓ ରହିବ । ଆମର ଯେଉଁ ଭ୍ରାନ୍ତ ଧାରଣା ରହିଛି ଯେ କରୋନା କେବେ ଯିବ? କରୋନା ଭାଇରସ୍ ଯିବ ନାହିଁ । ଯେଭଳି ଟିବି, ହଇଜା, ପ୍ଲେଗ, ଇନ୍‌ଫ୍ଲୁଏଞ୍ଜା ଭଳି ଭାଇରସ୍‌ମାନେ ଅଛନ୍ତି ସେଇଭଳି କରୋନା ଭାଇରସ୍ ମଧ୍ୟ ପୃଥିବୀପୃଷ୍ଠରେ ରହିବ ।
ଯେହେତୁ କରୋନା ଭାଇରସ୍ ନୂଆ ରୂପ ନେଇ ଅବତୀର୍ଣ୍ଣ ହୋଇଛି ତାକୁ ପୁରୁଣା ରୂପ ଦେବା ପାଇଁ ନିଶ୍ଚିତ ସମୟ ଲାଗିବ । ସେହି ସମୟକୁ ଅତିକ୍ରମ କରିବା ପାଇଁ ଆମକୁ କିଛି ପଦକ୍ଷେପ/ନୀତିବାଣୀ ମାନିବା ଜରୁରୀ । ଯଥା…. (୧) ସାମାଜିକ ଦୂରତା- ପରସ୍ପର ମଧ୍ୟରେ ଅତିକମ୍‌ରେ ୬ ଫୁଟ୍ ବ୍ୟବଧାନ ରଖିବା ଆବଶ୍ୟକ । କୌଣସି ଉତ୍ସବ, ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବା ସମୟରେ ସାମାଜିକ ଦୂରତା ନିୟମକୁ ଅବଲମ୍ବନ କରିବା ଜରୁରୀ ।
(୨) ମାସ୍କ ପିନ୍ଧିବା – ଯେହେତୁ କରୋନା ଭାଇରସ୍ ନାକ, ଆଖି ଓ ପାଟି ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଥାଏ ତେଣୁ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ।
(୩) ହାତ ବାରମ୍ବାର ସଫା କରିବା – ସାବୁନ୍‌, ସାନିଟାଇଜର, ଡେଟଲ ଆଦି ବ୍ୟବହାର କରି ହାତକୁ ବାରମ୍ବାର ସଫା କରିବା ଆବଶ୍ୟକ । ହାତଦ୍ୱାରା ସଂକ୍ରମଣର ଆଶଙ୍କା ଥିବାରୁ ବାରମ୍ବାର ହାତକୁ ପରିଷ୍କାର ରଖିବା ନିହାତି ଆବଶ୍ୟକ ।
ଆମେରିକା ଓ ୟୁରୋପିଆନ୍ ଦେଶମାନଙ୍କରେ ନ୍ୟୁ ଇୟର ମନାଇବାକୁ ଯାଇ ଏହି ତିନୋଟି ମନ୍ତ୍ର ବା ମହତବାଣୀକୁ ଅବମାନନା କରି ଆଜି ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି । କିନ୍ତୁ ଭାରତ ଅବା ଓଡ଼ିଶାର ଜନସାଧାରଣ ‘ବେଳ ଥାଉଣୁ ବନ୍ଧ ବାନ୍ଧିବା’ ଭଳି ପ୍ରକ୍ରିୟାକୁ ଅନୁସରଣ କରି ଏହି ୩ ନୀତିବାଣୀକୁ ମାନି ଚଳିଥିବାରୁ ଆଜି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।
ଏହାବ୍ୟତୀତ ବୟସ୍କ ବ୍ୟକ୍ତି ତଥା ଛୋଟ ପିଲାମାନଙ୍କୁ ବାହାରକୁ ଛାଡ଼ିବା ଅନୁଚିତ୍ । ସେହିପରି ଉଚ୍ଚ ରକ୍ତଚାପ, ମଧୁମେହ ରୋଗୀ ମଧ୍ୟ ବାହାରକୁ ଯିବା ପାଇଁ ବାରଣ କରାଯାଇଛି ।
ସାଧାରଣତଃ କରୋନା ଭାଇରସ୍ କୋଷରେ ପ୍ରବେଶ କରି ତାର ନ୍ୟୁକ୍ଲିୟସ୍‌କୁ ପ୍ରଭାବିତ କରିଥାଏ ଯଦ୍ୱାରା ମଣିଷ ଗୁରୁତର ହୋଇପଡ଼େ । ଏହା ଗଳାରେ ରହି ଫୁସ୍‌ଫୁସ୍‌କୁ ସଂକ୍ରମିତ କରିବାର ସମ୍ଭାବନା ବେଶୀ ଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ସେହିପରି ଲାଳ ସୃଷ୍ଟିକାରୀ ଖାଦ୍ୟ ଯଥା ଅଁଳା, ଲବଙ୍ଗ, ଗୋଲମରିଚ, ପାଞ୍ଚନପାଣି ଆଦି ସେବନ କରିବା ଉଚିତ୍ । ଏହା ସେବନ କରିବା ଦ୍ୱାରା ଅଧିକ ମାତ୍ରାରେ ଲାଳ ସୃଷ୍ଟି ହୋଇ ଗଳାରେ ଜମି ରହିଥିବା ଭାଇରସ୍‌କୁ ନଷ୍ଟ କରି ଲଙ୍ଗ୍‌ସକୁ ଯିବାକୁ ଦିଏ ନାହିଁ ।
ପ୍ରତ୍ୟେକ ଦିନ ପ୍ରାଣାୟାମ ଅଭ୍ୟାସ କରିବା ଜରୁରୀ । କାରଣ ପ୍ରାଣାୟମ ଦ୍ୱାରା ଶରୀର ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା କରୋନା ଭାଇରସ୍‌କୁ ଦୁର୍ବଳ କରି ଶରୀର ମଧ୍ୟକୁ ପ୍ରବେଶ କରିବାକୁ ଦିଏନାହିଁ ।
ଏହି ନୀତିବାଣୀଗୁଡ଼ିକୁ ଅନୁସରଣ କରି ଚାଲିଲେ ଦିନ ଆସିବ ଆସ୍ତେ ଆସ୍ତେ ଦେଖିବେ କରୋନା ପୁରୁଣା ହୋଇଯିବ । ଆଉ ଆମକୁ ତା’ପରେ କରୋନା ସହିତ ଯୁଦ୍ଧ କରିବା ପରିବର୍ତ୍ତେ ତା’ ସହ ସହବାସ କରିବାରେ ଅଭ୍ୟସ୍ତ ହୋଇଯିବା ।

Leave A Reply

Your email address will not be published.