ତଥ୍ୟ ଲୁଚାଉଥିଲେ ମମତା?

0 87

କୋଲକାତା : କରୋନା ତଥ୍ୟ ଲୁଚାଉଥିଲେ? ଏପରିକି ଯେଉଁ ତଥ୍ୟ ଦେଉଥିଲେ ସେଥିରେ ତାଳମେଳ ନଥିଲା । ଏଭଳି ଅନେକ ଅଭିଯୋଗ ଆସିବା ପରେ ଶେଷରେ ପଶ୍ଚିମବଙ୍ଗର ମମତା ସରକାର ସ୍ୱାସ୍ଥ୍ୟ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସଚିବ ଏଭଳି କରୁଥିଲେ କାହିଁକି? ଏଭଳି କରିବା ପଛରେ ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶ ଥିଲା ନା ନିଜ ରାଜ୍ୟ ମନ ମୁତାବକ କରୁଥିଲେ । କାରଣ କରୋନା ସଂକଟ ସମୟରେ ତଥ୍ୟ ଲୁଚାଇବାର ଅର୍ଥ ଅନ୍ୟମାନଙ୍କ ପାଇଁ ବିପଦକୁ ଆହ୍ୱାନ କରିବା । ଏହାଦ୍ୱାରା କେବଳ ଯେ ପଶ୍ଚିମବଙ୍ଗର ଜନତା ଅଧିକରୁ ଅଧିକ ଆକ୍ରାନ୍ତ ହେବେ ତା’ ନୁହେଁ ବରଂ ପଶ୍ଚିମବଙ୍ଗରେ ଥିବା ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ କାଳ ହୋଇଛି । କରୋନାକୁ ନେଇ କେନ୍ଦ୍ରଠୁ ବହୁ ରାଜ୍ୟ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ସଚେତନତାର ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି । ଏପରିକି ଦେଶକୁ ସଟ୍‌ଡାଉନ୍‌, ଲକ୍‌ଡାଉନ୍‌, ଜନତା କର୍ଫ୍ୟୁ ଭଳି ପଦକ୍ଷେପ ଗ୍ରହଣ କରାଯାଉଛି । କାରଣ ନିଜେ ସଚେତନତା ହେବା ଓ ଅନ୍ୟକୁ ସଚେତନତା କରାଇବାର ଏହାର ମୂଳ ଲକ୍ଷ୍ୟ । ନଚେତ୍ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଥାନ୍ତା । ଆଜି ଯଦି ଓଡ଼ିଶା କଥା ଚିନ୍ତା କରାଯାଏ ତେବେ ଅଧିକାଂଶ କରୋନା ସଂକ୍ରମିତଙ୍କ ଲିଙ୍କ୍ ରହିଛି ପଶ୍ଚିମବଙ୍ଗରୁ । ତେଣୁ ଏଥିରୁ ଦୁଇଟି କଥା ଅନୁମାନ କରାଯାଇପାରେ । ଯଦି ପଶ୍ଚିମବଙ୍ଗ ସରକାର ନିଜେ ସଚେତନ ହୋଇଥାନ୍ତେ ତେବେ ଅନ୍ୟ ପାଇଁ ଏଭଳି ଗାତ ଖୋଳିନଥାନ୍ତେ । ଆଉ ଯଦି ପଶ୍ଚିମବଙ୍ଗ ସରକାରଙ୍କ ଅଜାଣତରେ ସେଠିକାର ସ୍ୱାସ୍ଥ୍ୟ ସଚିବ ମନକୁ ମନ ଏଭଳି ତଥ୍ୟ ଲୁଚାଉଛନ୍ତି ତେବେ ମନେକରାଯିବ କି ପଶ୍ଚିମବଙ୍ଗ ସରକାରଙ୍କୁ ଅନ୍ଧକାରରେ ରଖି ସ୍ୱାସ୍ଥ୍ୟବିଭାଗ ତା’ର ମନମୁଖୀ କାର୍ଯ୍ୟ କରୁଛି । କିନ୍ତୁ ସେ ଯାହାହେଉନା କାହିଁକି ଏ କ୍ଷେତ୍ରରେ ଉଭୟ ଦୋଷୀ କହିଲେ ଭୁଲ୍ ହେବନାହିଁ । କରୋନା ସଙ୍କଟ ମଧ୍ୟରେ ପଶ୍ଚିମବଙ୍ଗରେ ନେତୃତ୍ୱାଧିନ ମମତା ବାନାର୍ଜୀଙ୍କ ସରକାର ସଂକ୍ରମିତ ସଂଖ୍ୟାକୁ ନେଇ ହରଡଘଣାରେ ପଡିଛନ୍ତି । ଏହା ମଧ୍ୟରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସ୍ୱାସ୍ଥ୍ୟସଚିବ ବିବେକ କୁମାରକୁ ହଟାଇ ଦେଇଛନ୍ତି । ସରକାର ତାଙ୍କୁ ପରିବେଶ ବିଭାଗ ଦାୟିତ୍ୱ ଦେଇଛନ୍ତି । ସୂଚନାନୁସାରେ, କରୋନା ସଂଖ୍ୟାକୁ ନେଇ ମମତା ସରକାରଙ୍କ ଉପରେ ଅନେକ ଅଭିଯୋଗ ଲାଗିଛି । ଏପରିକି ତଥ୍ୟରେ ତାଳମେଳ ନଥିବା ବିରୋଧି ଦଳ ଅଭିଯୋଗ କରିଥିଲେ । ସରକାର ଏବେ ନାରାୟଣ ସ୍ୱରୂପଙ୍କୁ ନୂତନ ସ୍ୱ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତ କରିଛନ୍ତି । ସ୍ୱାସ୍ଥ୍ୟ ସଚିବଙ୍କୁ ହଟାଇବା ପୂର୍ବରୁ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଥିଲେ । ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ କହିଥିଲେ ଯେ, କେନ୍ଦ୍ର ସରକାର ସଙ୍ଘୀୟ ଢାଞ୍ଚାକୁ ରକ୍ଷା କରନ୍ତୁ । ଏହି ସଙ୍କଟ ସମୟରେ ରାଜନୀତି କରିବା ଠିକ ନୁହେଁ । ଏପରିକି ସେ କେନ୍ଦ୍ର ସରକାର ଭେଦଭାବ କରୁଥିବା ମଧ୍ୟ ଅଭିଯୋଗ ଲଗାଇଥିଲେ । ପଶ୍ଚିମବଙ୍ଗ ସହ ଅନ୍ତାରାଷ୍ଟ୍ରୀୟ ସୀମା ଲାଗି ରହିଛି ଓ ରାଜ୍ୟ କରୋନା ମୁକାବିଲା ସଠିକ ଭାବେ କରୁଛି ବୋଲି କହିଥିଲେ । ସୂଚନାଯୋଗ୍ୟ, ଗତ କିଛିଦିନ ତଳେ କେନ୍ଦ୍ରୀୟ ଟିମ୍ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ରାଜିବ ସିହ୍ନାଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ରାଜ୍ୟର ଖରାପ ପ୍ରଦର୍ଶନ ବାବଦରେ ଉଲ୍ଲେଖ ରହିଥିଲା । ଟିମ୍ ମୁଖ୍ୟ ତଥା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସଚିବ ଅପୂର୍ବ ଚନ୍ଦ୍ର ରାଜ୍ୟ ସରକାରଙ୍କ ଉପରେ ଭିନ୍ନ ସମୟରେ ଅଲଗା ଅଲଗା ତଥ୍ୟ ଦର୍ଶାଯାଉଥିବା ଅଭିଯୋଗ କରିଥିଲେ । ଏଠାରେ ମୃତ୍ୟୁଦର ୧୨.୮ ପ୍ରତିଶତ ଯାହା ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ବୋଲି କୁହାଯାଇଥିଲା । ତେଣୁ ମମତା ଚିନ୍ତା କରିବା ଉଚିତ୍ କି କେନ୍ଦ୍ରକୁ ସମାଲୋଚନା କରିବା ପୂର୍ବରୁ ପ୍ରଥମେ ନିଜ ରାଜ୍ୟର ସ୍ୱାସ୍ଥ୍ୟବିଭାଗ କଥା ବୁଝିବା ଉଚିତ୍ । ଏହା କରିଥିଲେ ହୁଏତ ମମତାଙ୍କ ପ୍ରତି ଜନତାଙ୍କ ମମତା ଅଧିକ ବଢ଼ିଥାନ୍ତା…

Leave A Reply

Your email address will not be published.