ବଲିଉଡ୍‌ରେ ଏଣ୍ଟ୍ରି ପାଇଁ ସନ୍ନିଙ୍କୁ ସହାୟତା କରିଥିଲେ ମହେଶ ଭଟ୍ଟ

0 75

ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ଆସି ହିନ୍ଦୀ ସିନେମାରେ ଜଣେ ଚର୍ଚ୍ଚିତ ଚେହେରା ହେବାପାଇଁ ଅଭିନେତ୍ରୀ ସନ୍ନି ଲିଓନଙ୍କ ପାଇଁ କିଛି କମ୍ ଚାଲେଞ୍ଜପୂର୍ଣ୍ଣ ନଥିଲା । ଅତୀତକୁ ପଛରେ ପକାଇ ଆକ୍ଟିଂ ଦୁନିଆରେ ପାଦ ଥାପିବାକୁ ମନ ବଳାଇଥିବା ସନ୍ନିଙ୍କ ପାଇଁ ଏହି ରାସ୍ତାଟି ଏତେ ସହଜ ନଥିଲା । ତମାନ ଅଭିନେତା, ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତାମାନେ ତାଙ୍କୁ ଆଡ଼ ଆଖିରେ ସେତେବେଳେ ଦେଖୁଥିଲେ । ଏପରିକି ସେମାନେ ଚାହୁଁନଥିଲେ କି ସେ ହିନ୍ଦୀ ସିନେମାରେ ଅଭିନୟ କରନ୍ତୁ ବୋଲି । ତେବେ ମଇ ୧୩ ଅର୍ଥାତ ସନ୍ନି ଲିଓନ୍‌ଙ୍କ ଜନ୍ମଦିନରେ ତାଙ୍କ ଜୀବନର କିଛି ମହତ୍ତ୍ୱପୂର୍ଣ୍ଣ ଦିଗ ଉପରେ ଆସନ୍ତୁ ଆଲୋଚନା କରିବା । କରଣଜିତ୍ କୌର ଓରଫ୍ ସନ୍ନି ଲିଓନଙ୍କ ଜନ୍ମ ଏକ ଶିଖ୍ ପଞ୍ଜାବୀ ପରିବାରରେ ହୋଇଥିଲା । ସନ୍ନିଙ୍କ ପିତା ତିବ୍ଦତିୟାନ ଓ ମା’ ହିମାଚଳପ୍ରଦେଶ ବାସିନ୍ଦା ଥିଲେ । ସନ୍ନି ମାତ୍ର ୧୩ ବର୍ଷ ବୟସ ହୋଇଥିବା ବେଳେ ସେମାନଙ୍କ ପରିବାର କାଲିଫର୍ଣ୍ଣିଆକୁ ସିଫ୍ଟ ହୋଇଯାଇଥିଲେ । ୨୦୦୮ରେ ସନ୍ନିଙ୍କ ମା’ ମୃତ୍ୟୁବରଣ କରିଥିଲେ । ସେବେଠାରୁ ସନ୍ନି ନିଜ ମନ ମୁତାବକ ଜୀଇଁବା ଆରମ୍ଭ କରିଦେଇଥିଲେ । ଏହା ପରେ ପରେ ସନ୍ନି ପର୍ଣ୍ଣ ଇଣ୍ଡଷ୍ଟ୍ରିକୁ ଆପଣାଇ ନେଇଥିଲେ । କିନ୍ତୁ ସେ ଯେତେବେଳେ ପର୍ଣ୍ଣ ଦୁନିଆରୁ ବଲିଉଡ୍ ଜଗତକୁ ଆସିବାକୁ ଚାହିଁଥିଲେ ସେତେବେଳେ ତାଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ତେବେ ସେତେବେଳେ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ସନ୍ନିଙ୍କୁ ବେଶ୍ ସହାୟତା କରିଥିଲେ । ବିଗ୍ ବସ୍ ଶୋ’ରେ ସନ୍ନି ଭାଗ ନେଇଥିବାବେଳେ ମହେଶ ଭଟ୍ଟ ତାଙ୍କୁ ସାକ୍ଷାତ କରିବା ପାଇଁ ବିଗ୍ ବସ୍ ହାଉସ୍ ପର୍ଯ୍ୟନ୍ତ ଚାଲିଯାଇଥିଲେ । କାରଣ ‘ଜିସ୍ମ-୨’ ଚଳଚ୍ଚିତ୍ର ପାଇଁ ମହେଶ ଭଟ୍ଟ ଜଣେ ଅଭିନେତ୍ରୀଙ୍କ ତଲାସରେ ଥିଲେ । ତେବେ ବହୁ ଅଭିନେତ୍ରୀଙ୍କ ନାମ ଚର୍ଚ୍ଚାକୁ ଆସିଥିଲେ ବି ଶେଷରେ ବିଗ୍ ବସ୍ ହାଉସ୍‌କୁ ଯାଇ ସନ୍ନିଙ୍କୁ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତୁରନ୍ତ ସନ୍ନି ଏହି ଅଫରକୁ ଗ୍ରହଣ କରିଥିଲେ । ‘ଜିସ୍ମ-୨’ ପରେ ସନ୍ନି ୨୦୧୩ ମସିହାରେ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଫିଲ୍ମ କରିଥିଲେ ଓ ୨୦୧୪ରେ ସେ ୫ଟି ଫିଲ୍ମରେ ନଜର ଆସିଥିଲେ । ଖୁବ୍ ଅଳ୍ପ ସମୟ ଭିତରେ ସନ୍ନି ବଲିଉଡ୍‌ରେ ଭଲ ନାମ କମାଇ ପାରିଛନ୍ତି ଓ ସେବେଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି ।

Leave A Reply

Your email address will not be published.