“ଅମ୍ଫାନ’ ଦୁର୍ବଳ ହେଉଛି

0 75

ଭୁବନେଶ୍ୱର: ସାମୁଦ୍ରିକ ମହାବାତ୍ୟା “ଅମ୍ଫାନ’କୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗବାସୀ ଭୟ ଓ ଆତଙ୍କରେ ରହିଛନ୍ତି । ତେବେ ଧୀରେ ଧୀରେ ଦୁର୍ବଳ ହେଉଥିବାର ସୂଚନା ମିଳିଛି । ଏବେ ଏହା ଓଡ଼ିଶାର ପାରାଦୀପ ଠାରୁ ୫୨୦ କିମି ଓ ପଶ୍ଚିମବଙ୍ଗର ଦୀଘାଠାରୁ ୬୭୦ କି.ମି ଦୂରରେ ରହିଛି । ଏହା ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ଏବଂ ତା’ପରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଶ୍ୱସ୍ତିର ବିଷୟ ହେଲା ସମୁଦ୍ର ଗର୍ଭରେ ମହାବାତ୍ୟାର ରୂପ ନେଇଥିବା ଅମ୍ଫାନ୍ କ୍ରମଶଃ ଦୁର୍ବଳ ହେଉଛି । ସୁପର ସାଇକ୍ଲୋନିକ ଷ୍ଟର୍ମରୁ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଏଥିସହ ଓଡ଼ିଶା ପ୍ରତି ବିପଦ କମିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ଯାଇ ପଶ୍ଚିମବଙ୍ଗ – ବାଂଲାଦେଶ ଉପକୂଳ ଦେଇ ଦୀଘା (ପଶ୍ଚିମବଙ୍ଗ) ଏବଂ ହାଟିଆ ଦ୍ୱୀପପୁଞ୍ଜ (ବାଂଲାଦେଶ) ମଧ୍ୟରେ ସୁନ୍ଦରବନ ନିକଟବର୍ତ୍ତୀ ଅଞ୍ଚଳରେ ମଇ ୨୦ ତାରିଖ ମଧ୍ୟାହ୍ନ / ସନ୍ଧ୍ୟା ସମୟରେ ଅତି ଭୟଙ୍କର ରୂପ ନେଇ ସ୍ଥଳଭାଗକୁ ଛୁଇଁବ ବୋଲି ସୂଚନା ମିଳୁଛି । ଏହି ସମୟରେ ପବନର ବେଗ ସର୍ବାଧିକ ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି କୁହାଯାଇଛି । ତେବେ ସ୍ଥଳ ବିଶେଷରେ ପବନର ବେଗ ୧୮୦ କିଲୋମିଟରକୁ ମଧ୍ୟ ଅତିକ୍ରମ କରିପାରେ । ମହାବାତ୍ୟା “ଅମ୍ଫାନ’କୁ ବର୍ତ୍ତମାନ ବିଶାଖାପାଟନମ୍ (ଆନ୍ଧ୍ରପ୍ରଦେଶ)ରେ ଥିବା ଭାରତୀୟ ପାଣିପାଗ ବିଭାଗ ଡୋପଲର୍ ରାଡାର ଦ୍ୱାରା ନିରନ୍ତର ଟ୍ରାକିଂ କରାଯାଉଛି ।

Leave A Reply

Your email address will not be published.