କିଡନୀ ଚୋରୀ ଘଟଣା, ୪ ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦିଅ

0 84

ଢେଙ୍କାନାଳ,୨୨ା୫ : ଢେଙ୍କାନାଳ ସହରରେ ଏକ ଘରୋଇ କ୍ଲିନିକରେ ଜନୈକ ମହିଳାଙ୍କର ଗର୍ଭାଶୟ ଚିକିତ୍ସା କରାଇବା ଆଳରେ ତାଙ୍କର କିଡନୀ ଚୋରୀକରିବା ଘଟଣା ସହରରେ ଆଲୋଚନା ସୃଷ୍ଟି କରିଥିଲା । କିଡନୀ ଚୋରୀ ହୋଇଥିବା ମହିଳା ବିଭିନ୍ନ ସମୟରେ ଜିଲ୍ଲାପାଳ,ଥାନାର ଦ୍ୱାରସ୍ଥ ହୋଇ ନିରାଶ ହେବାପରେ ମାନବ ଅଧିକାର କର୍ମୀ ତଥା ଆଇନଜୀବି ବୈକୁଣ୍ଠନାଥ ଦ୍ୱିବେଦୀଙ୍କ ସହାୟତାରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଗୁହାରୀ କରିଥିଲେ । ଉକ୍ତ ମହିଳାଙ୍କର ଗୁହାରୀକୁ ଗ୍ରହଣ କରି ମାନବ ଅଧିକାର କମିଶନର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରମୂଖ ସଚିବଙ୍କୁ ୪ ସପ୍ତାହ ଭିତରେ ଉକ୍ତ କିଡନୀ ଚୋରୀ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରିପୋର୍ଟ ଜୁନ୍ ୨୮ ତାରିଖ ସୁଦ୍ଧା ପହଁଚାଇବା ନିମନ୍ତେ ସମୟ ନିର୍ଦ୍ଧାରଣ କରାଯାଇଛି । ସୂଚନା ଯୋଗ୍ୟ ଯେ ଗଁନ୍ଦିଆ ଥାନା ଖଙ୍କର ଗ୍ରାମର ଅଶ୍ୱିନୀ ପାଣିଙ୍କ ପତ୍ନୀ କବିତା ପାଣି(୪୩) ଅଭିଯୋଗ କରିଥିଲେ ଯେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ୍ର ସେ ୧୫.୯.୨୦୧୫ କଟକସ୍ଥିତ ଷଡଙ୍ଗୀ କ୍ଲିନିକ୍ ଆଣ୍ଡ ରିସର୍ଚ ସେଂଟରକୁ ଯାଇ ଡା.ଆର.କେ ପାଣିଗ୍ରାହୀଙ୍କୁ ଭେଟି ସ୍ୱସ୍ଥ୍ୟାବସ୍ଥା ପରୀକ୍ଷା କରାଇଥିଲେ । ଏଥି ସହିତ ଅଲଟ୍ରାସାଉଣ୍ଡ ମଧ୍ୟ କରାଇଥିଲେ । ଅଲଟ୍ରା ସାଉଣ୍ଡ ରିପୋର୍ଟରେ ଗର୍ଭାଶୟ ଖରାପ ଥିବା ଜାଣିବାକୁ ପାଇଥିଲେ । ଏନେଇ ଷଡଙ୍ଗୀ ରିସର୍ଚ ସେଂଟର ପକ୍ଷରୁ ତାଙ୍କୁ ୪୦ ହଜାର ଟଙ୍କା ବ୍ୟୟରେ ଅପରେସନ କରିବା ପାଇଁ କୁହାଯାଇଥିଲା । ମାତ୍ର ଶ୍ରୀମତୀ ପାଣିଙ୍କର ଅର୍ଥାବସ୍ଥା ଭଲ ନଥିବା ଯୋଗୁ ସେ ଏ ନେଇ ଢେଙ୍କାନାଳ ସହରର ଜଗନ୍ନାଥ ନର୍ସିଂହୋମରେ ଥିବା ଡା.ଶରତ କୁମାର ରଥଙ୍କ ସହ ପରାମର୍ଶ କରିଥିଲେ । ଡା.ଶ୍ରୀ ରଥଙ୍କ ପରାମର୍ଶ କ୍ରମେ ଶ୍ରୀମତୀ ପାଣି ଜଗନ୍ନାଥ ହସ୍ପିଟାଲରେ ୨୦ହଜାର ଟଙ୍କା ବ୍ୟୟରେ ନିଜର ଗର୍ଭାଶୟ ଅସ୍ତ୍ରୋପଚାର କରାଇଥିଲେ । ଏହାପରେ ସେପ୍ଟେମ୍ବର ୨୮ ତାରିଖ ଦିନ ଉକ୍ତ ଡାକ୍ତରଖାନାରୁ ଗୃହକୁ ପ୍ରତ୍ୟାବର୍ତନ କରିଥିଲେ । ମାତ୍ର ଦୀର୍ଘଦିନ ପରେ ପୁନର୍ବାର ତାଙ୍କ ପେଟ ଏବଂ ପରିସ୍ରାରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଢେଙ୍କାନାଳକୁ ଆସି ଡା. ଶ୍ରୀ ରଥଙ୍କୁ ପରାମର୍ଶ କରିବା ସହ ଔଷଧ ନେଇ ଚିକିତ୍ସିତ ହେଉଥିଲେ । ଉକ୍ତ ଚିକିତ୍ସାର କୌଣସି ସୁଫଳ ନମିଳିବାରୁ ଶ୍ରୀମତୀ ପାଣି ୪.୧୦.୨୦୧୯ରେ କଟକ ଯାଇ ଡା.ଏନ୍.ଆର ମିଶ୍ରଙ୍କ ପରାମର୍ଶ କ୍ରମେ ଆପେକ୍ସ ଡାଇଗ୍ନୋଷ୍ଟକକୁ ଯାଇ ଅଲଟ୍ରାସାଉଣ୍ଡ କରାଇବା ସମୟରେ ତାଙ୍କର ବାମପାଶ୍ୱର୍ରେ ଥିବା କିଡନୀଟି ନ ଥିବାର ଜାଣିବାକୁ ପାଇଥିଲେ । ତଥାପି ଆଉ ୨ଟି ଅଲଟ୍ରସାଉଣ୍ଡ କ୍ଲିନିକରେ ଅଲଟ୍ରାସାଉଣ୍ଡ କରି କିଡନୀ ନଥିବାର ସ୍ୱଷ୍ଟ ପ୍ରମାଣ ପାଇଥିଲେ । ତେବେ ସେତେବେଳେ ପ୍ରଶ୍ନ ଉଠିଥିଲା ଯେ ଢେଙ୍କାନାଳର ଜଗନ୍ନାଥ ହସ୍ପିଟାଲରେ ଗର୍ଭାଶୟ ଅପରେସନ ହୋଇଥିବା ଏହି ମହିଳାଙ୍କର କିଡନୀଟି କିଭଳି ଉଭାନ୍ ହୋଇଗଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଶ୍ରୀମତୀ ପାଣି ତାଙ୍କର କିଡନୀ ହରାଇବା ଦ୍ୱାରା ସଂକ୍ରମିିତ ହୋଇ କ୍ୟାନସର ରୋଗରେ ପିଡୀତ ହୋଇ କଟକସ୍ଥିତ ଆଚ୍ଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଶ୍ରୀମତୀ ପାଣିଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ବର୍ତମାନ ପରିବାର କିପରି ଚଳାଇବେ ବୋଲି ସେ ମାନସିକ ଦୁଶ୍ଚିନ୍ତାରେ ପଡିଛନ୍ତି । ଏ ନେଇ ଶ୍ରୀମତୀ ପାଣି ମାନବିକ ଅଧିକାର କର୍ମୀ ତଥା ଆଇନଜୀବି ବୈକୁଣ୍ଠନାଥ ଦ୍ୱିବେଦୀଙ୍କ ସହାୟତାରେ ଜାତୀୟ ମାନବ ଅଧିକାର କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିରେ ତାଙ୍କର ଚିକିତ୍ସା ସମୟରେ କିଡନୀକୁ କୌଶଳ କ୍ରମେ କାଢି ନିଆଯାଇଥିବା ବିଷୟ ସେ ଅଭିଯୋଗରେ ଦର୍ଶାଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବି କରିଥିଲେ । ତେବେ ଏହି ଘଟଣାକୁ ନେଇ ଜାତୀୟ ମାନବ ଅଧିକାର କମିଶନର ଅଭିଯୋଗକୁ ଗ୍ରହଣକରି ତାଙ୍କର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Leave A Reply

Your email address will not be published.