ଭୁବନେଶ୍ବର : ରାଜ୍ୟ ସରକାର ମେ’ ୨୫ରୁ ସମସ୍ତ ବସ୍ ଚଲାଇବାକୁ ଅନୁମତି ଦେଇଛନ୍ତି। ହେଲେ କ୍ରୁଟ୍ କର୍ତ୍ତୃପକ୍ଷ ଲକ୍ଡାଉନ୍-୪ ଶେଷ ହେବା ପରେ ଜୁନ୍ ୧ରୁ ବସ୍ ଚଳାଇବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଏପରିକି ଏବେ କେତେ ବସ୍ ଚାଲିପାରିବ, ୫୦% ନା ସମସ୍ତ ୨୦୦ଟି ମୋ ବସ୍ ଚାଲିବ, ବସ୍ ଚଲାଇଲେ କେଉଁ ରୁଟ୍ରେ ଆଗ ଚାଲିବ, ଯାତ୍ରୀଙ୍କ ପାଇଁ କ’ଣ ପଦକ୍ଷେପ ନିଆଯିବ, ମୋ ବସ୍ ଚଲାଉଥିବା କ୍ୟାପଟେନ୍ ଏବଂ ଟଙ୍କା ଆଦାୟ କରୁଥିବା ଗାଇଡ୍ଙ୍କ ସୁରକ୍ଷା କିପରି ନିଶ୍ଚିତ କରାଯିବ, ସେମାନଙ୍କୁ ପିପିଇ କିଟ୍, ମାସ୍କ କେତେ ପରିମାଣରେ ଦିଆଯିବ, ସେନେଇ ନିଷ୍ପତ୍ତି ହୋଇନି। ସେହିପରି ଯାତ୍ରୀଙ୍କଠାରୁ ନଗଦ ଅର୍ଥ ରଖାଯିବ କି ସେମାନଙ୍କୁ ୱାଲେଟ୍, କାର୍ଡ ପେମେଣ୍ଟ କରିବାକୁ କୁହାଯିବ ସେନେଇ ବି ନିଷ୍ପତ୍ତି ହୋଇନି। ତେଣୁ ସୋମବାରଠାରୁ ମୋ ବସ୍ ଗଡ଼ିବାର ନାହିଁ। କ୍ରୁଟ୍ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋ ବସ୍ ଚଳାଇଦେବାରେ କିଛି ଅସୁବିଧା ନାହିଁ। କିନ୍ତୁ ଯଦି କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଗଲେ, ତେବେ ସ୍ଥିତି ଅଣାୟତ ହୋଇଯିବ। ବସ୍ରେ ଯେଉଁମାନେ ଯାତ୍ରା କରିଥିବେ, ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ, ବସ୍ର କ୍ୟାପଟେନ୍ ଓ ଗାଇଡ୍ ବି କାର୍ୟ୍ୟ କରିବାକୁ ଡରିବେ। ତେଣୁ ସେମାନଙ୍କୁ ସୁରକ୍ଷିତ ରଖି ସବୁ କାମ ହେବ। ଏ ସବୁ ଦିଗ ଉପରେ ଆଲୋଚନା କରି ପଦକ୍ଷେପ ନିଆଯିବ। ଖୁବ୍ ଶ୍ରୀଘ୍ର କ୍ରୁଟ୍ର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ବସିବ। ଏଥିରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ଖୁବ୍ ଶୀଘ୍ର ମୋ ବସ୍ ଚଳାଚଳ ନେଇ ଏସ୍ଓପି ଜାରି ହେବ। ସେହି ଏସ୍ଓପି ଅନୁଯାୟୀ ଗାଡ଼ି ଚଳାଚଳ କରିବ।