ଘର ପାଇଁ ଗୁହାରୀ କରିବାରୁ ବୃଦ୍ଧଙ୍କୁ ମାଡ ମାରି ସରପଞ୍ଚ ଫେରାର୍

0 78

ଢେଙ୍କାନାଳ, ଡୁମାଣୀଖବର : କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୨ ସୁଦ୍ଧା ସମସ୍ତ ଗରୀବ ମାନଙ୍କୁ ଘର ଯୋଗାଇ ଦେବାପାଇଁ ଯୋଜନା କରିଛନ୍ତି । ଏଥି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଂଚାୟତରେ ହିତାଧିକାରୀ ଚୟନ କରି ଘର ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି । କେତେକ ଯାଗାରେ ଏହାର ସୁଫଳ ସରକାର ପାଉଥିବା ବେଳେ ଆଉ କେତେକ ଯାଗାରେ ସ୍ଥାନୀୟ ନେତାମାନଙ୍କ ପାଇଁ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଂଚିତ ହେଉଛନ୍ତି । ଏ ବାବଦରେ ହିତାଧିକାରୀ ସ୍ଥାନୀୟ ନେତାଙ୍କ ଜଣାଇବା ବେଳେ ନେତାମାନେ ତାଙ୍କୁ ଅସଭ୍ୟ ବ୍ୟବହାର ପ୍ରଦର୍ଶନ କରୁଥିବା ଘଟଣ।। ନଜରକୁ ଆସୁଛି । ଏହିଭଳି ଏକ ଘଟଣା ଘଟିଯାଇଛି କାମାକ୍ଷାନଗର ବ୍ଳକ ଭୈରପୁର ପଂଚାୟତରେ । ହିତାଧିକାରୀ ଘର ପାଇଁ ସରପଂଚଙ୍କୁ ଗୁହାରୀ କରିବାକୁ ଯାଇଥିବା ବେଳେ ସରପଂଚ ତାଙ୍କୁ ମାଡମାରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ମାଡ ଖାଇଥିବା ବୃଦ୍ଧି ହିତାଧିକାରୀ ଗୁରୁତର ଅବସ୍ଥାରେ ଜିରାଳ ଓ ପରେ କାମାକ୍ଷାନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ସୂଚନା ମୂତାବକ ଭୈରପୁର ପଂଚାୟତ ଗୁନେଇବିଲ ଗ୍ରାମର ଅଜୟ ବେହେରା ଜଣେ ଗରୀବ ଶ୍ରେଣୀର ହୋଇଥିବା ବେଳେ ସେ ଗାଡି ଚଳାଇ ପରିବାର ପୋଷଣ କରନ୍ତି । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସରପଂଚଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇପାରିନଥିଲେ । ତେବେ ସକାଳେ ସରପଂଚ ଶ୍ରୀଧର ଲେଙ୍କାଙ୍କ ସହ ଆବାସ ଯୋଜନା ବିଷୟରେ କଥାବାର୍ତା ବେଳେ ବଚସା ହୋଇଯାଇଥିଲା । ଏହି ରାଗରେ ସରପଂଚ ଶ୍ରୀଧର ଲେଙ୍କା ନିଜ ଭାଇ ଓ କେତେକ ସମର୍ଥକଙ୍କ ସହ ଅଜୟଙ୍କ ଘରେ ପଶି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏହା ଜାଣିପାରି ଅଜୟ ଘରୁ ଖସି ପଳାଇଥିଲା । ଅଜୟକୁ ଘରେ ନପାଇ ତାଙ୍କ ୮୦ ବର୍ଷର ପିତା କୈଳାଶ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ୨ଚକିଆ ଗାଡିକୁ ବାଡେଇ ଭାଙ୍ଗି ଦେଇଥିଲେ । ଏତଦ୍ ବ୍ୟତୀତ ତାଙ୍କ ସ୍ତ୍ରୀକୁ ଏକୁଟିଆ ପାଇ ଦୁର୍ବ୍ୟହାର କରିଥିବା ମଧ୍ୟ ତାଙ୍କ ସ୍ତ୍ରୀ ଭାଗ ବେହେରା ଅଭିଯୋଗ କରିଛନ୍ତି । ଅନ୍ୟପଟେ ସରପଂଚ ଫେରାର୍ ଥିବାର ଜଣାଯାଇଛି । ଘଟଣା ସମ୍ପର୍କରେ କାମାକ୍ଷାନଗର ଥାନାରେ ଏତଲା ଦେବା ପରେ ମାମଲା ରୁଜ୍ଜୁ ବିଳମ୍ବରେ ହୋଇଥିବାରୁ ସମସ୍ତ ଅଭିଯୁକ୍ତ ଫେରାର୍ ଥିବା ଜଣାଯାଇଛି । ସରପଂଚ ଓ ତାଙ୍କ ସାନଭାଇ ମୂଖ୍ୟ ଅଭିଯୁକ୍ତ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି କାମାକ୍ଷାନଗର ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.