ଅଫଲାଇନରେ ମଦ ବିକି ଦୋକାନୀ ହଟହଟା : ମଦଦୋକାନ ସିଲ୍ ,୨ ଦୋକାନୀ ଫେରାର୍

0 71

ଢେଙ୍କାନାଳ : ରାଜ୍ୟରେ ଲକ୍ଡାଉନ ଚାଲିଥିବା ବେଳେ ବିଭିନ୍ନ ସମୟରେ ଚୋରା ଦେଶୀ ଓ ବିଦେଶୀ ମଦ ବେପାରକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଆସୁଥିଲା । ଏ ସବୁର ଅନ୍ତ ଘଟାଇ ରାଜ୍ୟ ସରକାର ମଦ ଦୋକାନ ଖୋଲିବା ସହିତ ଅନଲାଇନରେ ମଦ ବିକ୍ରି କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଥିଲେ । ମାତ୍ର ଢେଙ୍କାନାଳ ଜିଲ୍ଲାରେ ସତେ ଯେମିତି ଏହି ନିର୍ଦ୍ଦେଶନାମାକୁ ମଦ ଦୋକାନୀ ଖାତିର କରିବାର ଦେଖାଯାଉ ନଥିଲା । କାରଣ ଅବକାରୀ ବିଭାଗ ଅଧିକ୍ଷକଙ୍କ ନୀରବତା ପାଇଁ ମଦବେପାରୀମାନେ ଖୁଲମଖୁଲା ଏହି ନିର୍ଦ୍ଦେଶନାମାକୁ ବେଖାତିର କରୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଥିଲା । ଗତକାଲି ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍ ପୋଲିସ୍ ପକ୍ଷରୁ ଆଇନ ଅମାନ୍ୟକରି ଖୁଲମଖୁଲା ଅଫଲାଇନରେ ମଦ ବିକୁଥିବା ବସ୍ଷ୍ଟାଣ୍ଡ ଓ ମହାବୀର ବଜାର ମଦ ଦୋକାନକୁ ସିଲ୍ କରିଥିବାର ଜଣାଯାଇଛି । ସୂଚନା ଯୋଗ୍ୟ ଯେ କିଛି ଗଣମାଧ୍ୟମ ପ୍ରତିନିଧି ମଦ ଦୋକାନ ଖୋଲିବା ପୂର୍ବରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଷ୍ଟକ ରେଜିଷ୍ଟର ଯାଂଚ କରି ଦୋକାନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ମଧ୍ୟ ଅବକାରୀ ଅଧିକ୍ଷକଙ୍କ ଅଦୃଶ୍ୟ ଶକ୍ତି ବଳରେ ତାହା ହୋଇପାରି ନଥିଲା । ତେବେ ଏହାରସୁଯୋଗ ନେଇ ମଦ ଦୋକାନୀମାନେ ଅନଲାଇନ୍ ବିକ୍ରି ପାଇଁ ବ୍ୟାନର ମାରି ପଛ ଦ୍ୱାରପଟେ ଅଫଲାଇନରେ ବ୍ୟାପକ ମଦ କାରବାର କରୁଥିବାର ଫଟୋ ବିଭିନ୍ନ ଗଣମାଧ୍ୟମରେ ବାହାରିଥିଲା । ଫଳରେ ଜିଲ୍ଲାପାଳ ଶ୍ରୀ ବେହେରା ବାଧ୍ୟହୋଇ ଆଇନ ଅମାନ୍ୟ କରୁଥିବା ମଦଦୋକାନ ଗୁଡିକ ପୋଲିସ୍ ମାଧ୍ୟମରେ ସିଲ୍ କରାଇଥିଲେ । ଟାଉନ୍ ଥାନା ଅଧିକାରୀ ଜ୍ଞାନରଂଜନ ସାମଲଙ୍କ ସୂଚନା ମୂତାବକ ଏ ନେଇ ୨୪୫/୨୦ରେ ମଦ ଦୋକାନ ମାଲିକ ଦେବବ୍ରତ ମହାନ୍ତି ଓ ନିହାର ବେହେରାଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ୨ ଅଭିଯୁୁକ୍ତ ମଦ ଦୋକାନୀ ଫେରାର୍ ଥିବାର କହିଛନ୍ତି ।

Leave A Reply

Your email address will not be published.