ପୂର୍ବରୁ ଦେଶ ପାଇଁ ଯେଉଁ ସଂଗ୍ରାମ ଓ ବଳିଦାନ ଦିଆଯାଇଥିଲା ତାହା କେବଳ ଭ୍ରମ ଥିଲା!

0 76

ମୁମ୍ବାଇ : ଶିବସେନା ମୁଖପତ୍ର ‘ସାମ୍ନା’ରେ ମୋଦି ସରକାରଙ୍କ ୬ ବର୍ଷ ପୂର୍ତ୍ତିକୁ ଖୁବ୍ ସମାଲୋଚନା କରାଯାଇଛି । କେନ୍ଦ୍ର ସରକାରଙ୍କ ନୋଟ୍ବନ୍ଦୀ ଓ ଜିଏସ୍ଟି ଭଳି ନିଷ୍ପତ୍ତି ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ଆଜି ଧୂଳିସାତ୍ ହୋଇଛି ବୋଲି ଶିବସେନା ଦର୍ଶାଇଛି । କାଶ୍ମୀର ସମସ୍ୟାରେ କେନ୍ଦ୍ର ସରକାରଙ୍କ ଭୂମିକା ଉପରେ ଶିବସେନା ପ୍ରଶ୍ନ ଉଠାଇଛି । ସାମ୍ନା ମୁଖପତ୍ରରେ ବିଜେପି ନେତାଙ୍କ ଦ୍ୱାରା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦିଆଯାଇଥିବା ମନ୍ତବ୍ୟ ଉପରେ କଟାକ୍ଷ କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ କି ମୋଦି ସରକାରଙ୍କ ୬ ବର୍ଷ ଗତ ୭୦ ବର୍ଷର ଭୁଲ୍ତ୍ରୁଟିକୁ ସୁଧାରିବାରେ ବେଶ୍ ସକ୍ଷମ ହୋିଛି । କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଦୃଷ୍ଟିକୋଣ ଟିକେ ଅଲଗା ରହିଛି । ଅମିତ୍ ଶାହା କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦି ଗତ ୬ ବର୍ଷ ମଧ୍ୟରେ ଦେଶରେ ଥିବା ବହୁ ବଡ଼ ବଡ଼ ଭୁଲ୍କୁ ସୁଧାରିବାରେ କାମ କରିଛନ୍ତି । କରୋନା ସଂକଟ ସମୟରେ ମୋଦି ଦେଶର ନେତୃତ୍ୱ ନେଉଥିବା ଆମ ପାଇଁ ସୌଭାଗ୍ୟର ବିଷୟ । ସମାନ ବୟାନ ଦେଶର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବି ଦେଇଛନ୍ତି । ଏହି ତିନି ପ୍ରମୁଖ ନେତାଙ୍କ ଭାଷଣବାଜିରୁ ଜଣାପଡ଼ୁଛି ମୋଦି ସରକାରଙ୍କ ଆତ୍ମନିର୍ଭର ଭାରତ ବର୍ତ୍ତମାନ କେଉଁ ରୂପ ନେଇଛି । ସର୍ବୋପରି ଏହା ପ୍ରତୀତ ହେଉଛି କି ଆମର ଏହି ମହାନ୍ ଦେଶର ଇତିହାସ କେବଳ ୬/୭ ବର୍ଷର । ଏହା ପୂର୍ବରୁ ଦେଶ ନଥିଲା, କୌଣସି ସ୍ୱତନ୍ତ୍ରତା ସଂଗ୍ରାମ ହୋଇନଥିଲା । ପୂର୍ବରୁ ଦେଶ ପାଇଁ ଯେଉଁ ସଂଗ୍ରାମ ଓ ବଳିଦାନ ଦିଆଯାଇଥିଲା ତାହା କେବଳ ଭ୍ରମ ଥିଲା ବୋଲି । ଦେଶର ସାମାଜିକ, ବୈଜ୍ଞାନିକ, ଚିକିତ୍ସା, ଉଦ୍ୟୋଗ କ୍ରାନ୍ତି ଆଦି ସବୁ କେବଳ ମିଥ୍ୟା ହିଁ ଥିଲା । ୬୦ବର୍ଷରେ ଦେଶରେ କିଛି ବି ହୋଇନଥିଲା ଏଭଳି ଅନେକ ଅଭିଯୋଗ ‘ସାମ୍ନା’ରେ ପ୍ରକାଶିତ ହୋଇଛି । ଦେଶର ଗତ ୬/୭ ବର୍ଷ ମଧ୍ୟରେ କେବଳ ଏସବୁ ବିକାଶ ହୋଇଛି ବୋଲି ‘ସାମ୍ନା’ କଟାକ୍ଷ ଛଳରେ କହିଛି । ସାମ୍ନା ଦର୍ଶାଇଛିକି ଏହି ୬ ବର୍ଷ ମଧ୍ୟରେ ଦେଶରେ କ’ଣ କ’ଣ ହୋଇଛି ତାହା ପୁରା ଦୁନିଆ ଦେଖିଛି । ନୋଟ୍ବନ୍ଦୀ ଓ ଜିଏସ୍ଟି ଭଳି ନିଷ୍ପତ୍ତି ଦେଶର ଅର୍ଥ ବ୍ୟବସ୍ଥାକୁ ବିଗାଡ଼ି ଦେଇଛି । ଦେଶରେ ଗରିବଙ୍କ ସଂଖ୍ୟା ବଢ଼ିଛି, ରୋଜଗାର ସମାପ୍ତ ହୋଇଯାଇଛି । ଆଜି ପ୍ରତି ୪ଜଣରେ ଜଣେ ବ୍ୟକ୍ତି ବେରୋଜଗାର ହୋଇଛି । ସାର୍ବଜନିକ କମ୍ପାନୀକୁ ବିକ୍ରିବଟା କରି ଆର୍ଥିକ ସୁଧାରିବା ଉପରେ ଯେଉଁ ଢ଼ୋଲ ପିଟାଚାଲିଛି ତାହା ଦେଶବାସୀ ଠିକ୍ ସେ ବୁଝିଲେଣି । ଏୟାର ଇଣ୍ଡିଆ ଭଳି ରାଷ୍ଟ୍ରୀୟ କମ୍ପାନୀ ଆଜି ମାଟି କାମୁଡ଼ିବା ପରିସ୍ଥିତିରେ । କାଶ୍ମୀରରେ ଧାରା ୩୭୦ ହଟିବା ପରେ ବି ଉତ୍ତେଜନା ଥମିନାହିଁ । ସିକ୍କିମ୍ ଓ ଲଦାଖ ସୀମାରେ ଚୀନ୍ ସେନା ଆମ କାନ୍ଧରେ ବନ୍ଧୁକ ଲଗାଇ ଧମକ ଦେଉଛନ୍ତି । ପିମ୍ପୁଡ଼ି ଭଳି ଦେଶ ନେପାଳ ନକ୍ସାରେ ଆମ ଦେଶର କିଛି ଅଂଶ ତା’ର ବୋଲି ଦାବି କଲାଣି । ଏସବୁ ଆତ୍ମନିର୍ଭର ଭାରତର ସଂକେତ ନୁହେଁ ବୋଲି ‘ସାମ୍ନା’ ଦର୍ଶାଇଛି ।

Leave A Reply

Your email address will not be published.