ଯୁକ୍ତ୨ ଖାତାଦେଖା

ଭୁବନେଶ୍ବର : ସୋମବାରଠାରୁ ଯୁକ୍ତ୨ ଖାତା ମୂଲ୍ୟାୟନ ଆରମ୍ଭ ହେବ। ପ୍ରଥମ ପର୍ୟ୍ୟାୟରେ ବିଜ୍ଞାନ ବିଭାଗ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାଗୁଡ଼ିକର ଇ-ମୂଲ୍ୟାୟନ ହେବ। ଏଥିପାଇଁ ରାଜ୍ୟରେ ୩୬ଟି ମୂଲ୍ୟାୟନ କେନ୍ଦ୍ର ‌ହୋଇଛି। ୪ ହଜାରରୁ ଅଧିକ ଅଧ୍ୟାପକ ଅନ୍‌ଲାଇନ୍‌ରେ ଖାତା ଦେଖିବେ। ପ୍ରଥମ ସିଫ୍ଟରେ ସକାଳ ୭ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ଓ ଦ୍ବିତୀୟ ସିଫ୍ଟରେ ଅପରାହ୍ନ ୧ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ଯାଏ ମୂଲ୍ୟାୟନ କରାଯିବ। ବିଜ୍ଞାନ ବିଭାଗର ଉତ୍ତର ଖାତା ମୂଲ୍ୟାୟନ କିଛି ଦିନ ଧରି ଚାଲିବା ପରେ ବାଣିଜ୍ୟ ବିଭାଗର ସମସ୍ତ ବିଷୟର ଖାତାଗୁଡ଼ିକର ଇ-ମୂଲ୍ୟାୟନ ହେବ। ଦ୍ବିତୀୟ ପର୍ୟ୍ୟାୟରେ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ଖାତାଗୁଡ଼ିକର ଅଫ୍‌ଲାଇନ୍‌ ମୂଲ୍ୟାୟନ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ୩୬ଟି କେନ୍ଦ୍ରରେ ସୋମବାରଠାରୁ ମୂଲ୍ୟାୟନ ଆରମ୍ଭ ହୋଇପାରିବ ନାହିଁ। କେତେକ କେନ୍ଦ୍ର ବିଶୋଧନ ହୋଇ ନଥିବା ବେ‌ଳେ ଆଉ କେତେକ ସ୍ଥାନରେ ଏବେ ବି ସଙ୍ଗରୋଧ କେନ୍ଦ୍ର ରହିଛି। ତେଣୁ ପର୍ୟ୍ୟାୟକ୍ରମେ ମୂଲ୍ୟାୟନ ଆରମ୍ଭ କରାଯିବ। ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ କୋଭିଡ୍‌-୧୯ ନିୟମାବଳିକୁ କଡ଼ାକଡ଼ି ପାଳନ କରାଯିବ। ମୂଲ୍ୟାୟନକାରୀ ଓ ଜୋନାଲ ଅଧିକାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ହେବ। ସଙ୍ଗରୋଧ କେନ୍ଦ୍ର ରହିଥିଲେ ସେଠାରେ ବାରିକେଡ୍‌ କରାଯାଇ ମୂଲ୍ୟାୟନ କେନ୍ଦ୍ରକୁ ପୃଥକୀକରଣ କରାଯିବ। ମୂଲ୍ୟାୟନକାରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାନିଟାଇଜର୍‌ ଉପଲବ୍ଧ କରିବା ଦିଗରେ ସ୍ଥାନୀୟ ମ୍ୟୁନିସିପାଲଟି/ଏନ୍‌ଏସି/ସିଡିଏମ୍‌ଓମାନେ ପଦକ୍ଷେପ ନେବାକୁ କୁହାଯାଇଛି। ପ୍ରତିଦିନ ମୂଲ୍ୟାୟନ କେନ୍ଦ୍ର ବିଶୋଧନ ହେବ।

Leave a Reply

Your email address will not be published. Required fields are marked *