ମାସ୍କ ସ୍କାମ୍ ପ୍ରସଙ୍ଗ, ସଜ ମାଛରେ ପୋକ ପକାଉଛି କଂଗ୍ରେସ

0 60

ଭୁବନେଶ୍ୱର, ଡୁମାଣୀଖବର : ମାସ୍କ କିଣାରେ ହେରଫେର ହୋଇଛି ବୋଲି କଂଗ୍ରେସ କରିଆସୁଥିବା ଅଭିଯୋଗ ଉପରେ ଆଜି ବିଜେଡି ଉତ୍ତର ରଖିଛି । କଂଗ୍ରେସ ଘୃଣ୍ୟ ରାଜନୀତି କରୁଛି ଓ ଯଦି ସତସାହସ ଅଛି ତେବେ ଅଦାଲତକୁ ଯାଉ ବୋଲି ବିଜେଡି ଚ୍ୟାଲେଂଜ୍ କରିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି କଂଗ୍ରେସ ଅଭିଯୋଗର ଉତ୍ତର ଦେଇ କହିଛନ୍ତି ଯେ, କରୋନା ବିରୋଧରେ ସାଢେ ୪ କୋଟି ରାଜ୍ୟବାସୀ ଲଢେଇ ଲଢୁଥିବା ବେଳେ କଂଗ୍ରେସ ଶସ୍ତା ରାଜନୀତି କରୁଛି । ଏଭଳି ରାଜନୀତି ପାଇଁ କଂଗ୍ରେସ ରାଜ୍ୟରେ ଅପ୍ରାସଙ୍ଗିକ ହୋଇପଡିଛି ବୋଲି ସେ କହିଥିଲେ ।
ମାସ୍କ ସ୍କାମ୍ ଗୁଜବ
ମାସ୍କ କିଣାରେ ହେରଫେର ହୋଇଥିବା ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି । ବିଜେଡି ମୁଖପାତ୍ର କହିଥିଲେ ଯେ, ଏହା କଂଗ୍ରେସ ଦ୍ୱାରା ସୃଷ୍ଟ ଏକ ଗୁଜବ । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ହିଁ ମାସ୍କ କିଣାଯାଇଛି । କେନ୍ଦ୍ର ସରକାର ସର୍ଜିକାଲ ମାସ୍କର ଦାମ ୧୦ ଟଙ୍କ ରଖିଥିଲେ କିନ୍ତୁ ମାସ୍କ ତିଆରି କରୁଥିବା କଂପାନୀ ଏତେ କମ ମୂଲ୍ୟରେ ଯୋଗାଣ ସମ୍ଭବ ନୁହେଁ ବୋଲି କହିଥିଲେ । ମାର୍ଚ୍ଚ ୨୧ରେ ପ୍ରତି ମାସ୍କ ମୂଲ୍ୟ ୧୦ ଟଙ୍କା ରଖିଲେ କେନ୍ଦ୍ର ସରକାର । କିନ୍ତୁ ପରେ ୨୪ ମାର୍ଚ୍ଚରେ ମାସ୍କର ମୂଲ୍ୟ ୧୬ ଟଙ୍କାକୁ ବଢ଼ାଇଥିଲେ କେନ୍ଦ୍ର ସରକାର । ଅନ୍ୟ ରାଜ୍ୟଗୁଡ଼ିକ ୧୬ରୁ ୨୦ ଟଙ୍କାରେ ମାସ୍କ କିଣିଛନ୍ତି । ଗୁଜୁରାଟ, ପଶ୍ଚିମବଙ୍ଗ ଭଳି ରାଜ୍ୟ ଓଡ଼ିଶାଠାରୁ ଅଧିକ ଟଙ୍କା ଦେଇ ମାସ୍କ କିଣିଛନ୍ତି । ଗୁଜୁରାଟ୍ ମାସ୍କ ପିଛା ୨୦ ଟଙ୍କା ଦେଇଥିବା ବେଳେ ପଶ୍ଚିମବଙ୍ଗ ୧୭ ଟଙ୍କା ଦେଇ ମାସ୍କ କିଣିଛି । ତେବେ ଏହାର ଅର୍ଥ କ’ଣ ସେହି ରାଜ୍ୟ ସରକାର ଭୂଲ କରିଛନ୍ତି କି ? ବୋଲି ପ୍ରଶ୍ନ କରିଥିଲେ ବିଜେଡି ମୁଖପାତ୍ର । ନିଜ ପ୍ରଶ୍ନର ଉତ୍ତର ଦେଇ ସସ୍ମିତ ପାତ୍ର କହିଥିଲେ ଯେ, କୌଣସି ରାଜ୍ୟ ଭୁଲ କରି ନାହାନ୍ତି ।
ସତସାହସ ଥିଲେ କୋର୍ଟକୁ ଯାଅ
କଂଗ୍ରେସ ଉପରେ ପାଲଟା ଆକ୍ରମଣ କରି ସସ୍ମିତ ପାତ୍ର କହିଥିଲେ ଯେ, କଂଗ୍ରେସର ଯଦି ସତସାହସ ଅଛି ତେବେ ଏହା ଆବଶ୍ୟକ ପ୍ରମାଣ ସହ ଅଦାଲତକୁ ଯାଉ । ସଜ ମାଛରେ ପୋକ ପକାଇବା କାମ କରୁଛି କଂଗ୍ରେସ । ଭୁବନେଶ୍ୱରଠାରୁ ହାଇକୋର୍ଟର ଦୂରତା ବେସି ନୁହେଁ ତେଣୁ କଂଗ୍ରେସର ସାହସ ଥିଲେ ଅଦାଲତରେ ଗୁହାରି କରୁ । ସେ କହିଛନ୍ତି ଯେ, ମାସ୍କ କିଣା ନେଇ ସବୁ ପ୍ରକାରର ସ୍ୱଛତା ଅବଲମ୍ବନ କରାଯାଇଥିଲା । ଏ
କରୋନା ଯୋଦ୍ଧାଙ୍କ ମନୋବଳ ଭାଙ୍ଗୁଛି କଂଗ୍ରେସ
କଂଗ୍ରେସ କରୋନା ବିରୋଧରେ ଫ୍ରଣ୍ଟଲାଇନରେ ଯେଉଁମାନେ ଯୁଦ୍ଧ ଲଢୁଛନ୍ତି ସେମାନଙ୍କ ମନୋବଳ ଭାଙ୍ଗୁଛି ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ୨୦ ବର୍ଷ ହେଲା କଂଗ୍ରେସ ଏଭଳି ରାଜନୀତି କରି ନିଜ ପ୍ରାସଙ୍ଗିକତା ହରାଇ ବସିଛି । ସାଢେ ୪ କୋଟି ଓଡ଼ିଆ କରୋନା ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ କଂଗ୍ରେସ ରାଜନୀତି କରୁଛି ।
ତାମିଲନାଡୁ କ’ଣ ଭାରତ ବାହାରେ ?
ମାସ୍କ ତାମିଲନାଡୁରୁ କାହିଁକି କିଣା ଗଲା ବୋଲି ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କରିଥିବା ଅଭିଯୋଗର ଉତ୍ତର ଦେଇ ସସ୍ମିତ ପାତ୍ର ପାଲଟା ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ତାମିଲନାଡୁ କ’ଣ ଭାରତରୁ ବାହାରେ ? ତାମିଲନାଡୁଠାରୁ ମାସ୍କ କିଣିବା ପାଇଁ କିଛି ପ୍ରତିବନ୍ଧକ ରହିଛି କି ?

Leave A Reply

Your email address will not be published.